ସ୍ୱଚ୍ଛ ଭାରତ ମିଶନ ଫେଲ... ନର୍ଦ୍ଦମା ପାଣିରେ ଭାସୁଛି ଗାଁ ରାସ୍ତା
 ବ୍ରହ୍ମବରଦା: ସମ୍ପ୍ରତି ଯାଜପୁର ଜିଲାରେ ଏବେ ଡାଇରିଆ ଓ ହଇଜା ଭଳି ଭୂତାଣୁ ଜନିତ ରୋଗର ଭୟାବହତା ଲାଗିରହିଥିବା ବେଳେ ପ୍ରତି ଗାଁ, ଗଳିକନ୍ଦି, ରାସ୍ତାଘାଟ, ଘର ଦ୍ୱାର ସବୁ ସ୍ଥାନକୁ ସ୍ୱଚ୍ଛ ଓ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନ କରାଯାଉଛି । ଏନେଇ ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସରପଞ୍ଚ ମାନଙ୍କୁ ମଧ୍ୟ ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା ପାଇଁ ନିଦେ୍ର୍ଦଶ ରହିଛି । କିନ୍ତୁ ରସୁଲପୁର ବ୍ଲକରାଉତରାପୁର ପଞ୍ଚାୟତ କୁଣ୍ଡପାଟଣା ଗ୍ରାମର ମଝିସାହି ଠାକୁର ଘର ସାମ୍ନାର ରାସ୍ତାକୁ ଦେଖିଲେ ଏହା କେବଳ ଧର୍ମକୁ ଆଖିଠାର ସଦୃଶ ମନେ ହେଉଛି । ଉକ୍ତ ପ୍ରମୁଖ ରାସ୍ତାଟି ଏବେ ଦୈନିକ ନର୍ଦ୍ଦମା ପାଣିରେ ଭାସୁଛି । ଅପରିଷ୍କାର ପାଣିର ଦୁର୍ଗନ୍ଧରେ ନାକକାନ ଫାଟି ପଡୁଛି । ଉକ୍ତ ରାସ୍ତାଟିକୁ ସଫାସୁତରା କରାଯାଉନି କି ପାଣି ଜମି ନର୍ଦ୍ଦମା ହେଉଥିବା ସ୍ଥାନରେ ବ୍ଲିଚିଙ୍ଗ ବି ଟିକେ ପଡୁନି । ଯାହାଦ୍ୱାରା ଲୋକେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିବା ସମୟରେ ନର୍ଦ୍ଦମା ଜଳର ସଂସ୍ପର୍ଶରେ ଆସି ଚର୍ମ ରୋଗର ଆଶଙ୍କା ରହୁଥିବା ବେଳେ, ଡାଇରିଆ ଓ ହଇଜା ଭଳି ଭୂତାଣୁ ଜନିତ ରୋଗକୁ ଯେପରି ହାତଠାରି ଡାକୁଛି । ଯାହାକୁ ନେଇ ଗ୍ରାମର ଲୋକେ ଏବେ ଆତଙ୍କିତ ହୋଇ ରହିଛନ୍ତି । ଏଥରୁ ସୂଚୀତ ହେଉଛି କି ଏଠାରେ ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱଚ୍ଛ ଭାରତ ମିସନ ପ୍ରହସନ ପାଲଟିଥିବା ବେଳେ, ଏକ ପ୍ରକାର ଫେଲ୍ ମାରିଛି କହିଲେ ଚଳେ ।
ଅନ୍ୟପକ୍ଷରେ ଦେଖିବାକୁ ଗଲେ ବିଗତ ୨୦୦୯ ମସିହାରେ ଉକ୍ତ ରାଉତରାପୁର ପଞ୍ଚାୟତଟି ଜିଲା ପରିମଳ ଯୋଜନାରେ ଶ୍ରେଷ୍ଠ ବିବେଚିତ ହୋଇ ସ୍ୱଚ୍ଛତା କ୍ଷେତ୍ରରେ ରାଜ୍ୟପାଳ ପୁରସ୍କାର ସହ ୫ଲକ୍ଷ ଟଙ୍କା ଅର୍ଥରାଶି ହାସଲ କରିଥିଲା । ତେଣୁ ଯେଉଁ ପଞ୍ଚାୟତ ଦିନେ ସ୍ୱଚ୍ଛତା ପାଇଁ ସୁନାମ ଆଣିଥିଲା ତାହା ଏବେ ଦୁର୍ନାମ ଖାତାରେ ଗୁନ୍ଥି ହୋଇପଡିଛି । ଏନେଇ ରାଉତରାପୁର ପଞ୍ଚାୟତ ସରପଞ୍ଚ ସ୍ୱର୍ଣ୍ଣଲତା ସାହୁଙ୍କ ପ୍ରତିନିଧି ପ୍ରତାପ ସାହୁଙ୍କୁ ପଚାରିବାରୁ ସେ କହିଥିଲେ କି ବିଗତ ଦିନରେ ହୋଇଥିବା ବାତ୍ୟା "ୟଶ’ ସମୟରୁ ଏହି ସ୍ଥାନରେ ଡ୍ରେନେଜ ନିର୍ମାଣ ପାଇଁ ୨ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ସେଠାକାର ଲୋକଙ୍କ ମଧ୍ୟରେ ରାଜନୈତିକ ଆକ୍ରୋଶ କାରଣକୁ ଡ୍ରେନ୍ ନିର୍ମାଣ ହୋଇପାରୁନାହିଁ । ଯାହାଦ୍ୱାରା ନର୍ଦ୍ଦମା ପାଣି ରାସ୍ତାରେ ଭାସୁଛି ।                        
 
 Rasmita Behera
                                    Rasmita Behera                                 
    
 
    
 
 
 
