ସ୍ୱାସ୍ଥ୍ୟକେନ୍ଦ୍ର ଗୃହ ନିର୍ମାଣରେ ଅନିୟମିତତା
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ଡୁଙ୍ଗୁରା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନୂତନ ଗୃହ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ସ୍ୱାସ୍ଥ୍ୟକେନ୍ଦ୍ର ସଂଲଗ୍ନ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଧୀନରେ ଚାଲିଥିବା ଏହି କାର୍ଯ୍ୟ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତି ଏହି ନିମ୍ନମାନର କାର୍ଯ୍ୟକୁ ଅଧିକ ପ୍ରୋତ୍ସାହିତ କରୁଛି । ସଂପୃକ୍ତ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଡୁଙ୍ଗୁରା ସମେତ ଗୋଳିହା, ଅମରିଆ-ଅଗ୍ନିପୁର, ଝିଙ୍କିରିଆ ଇତ୍ୟାଦି ପଞ୍ଚାୟତବାସୀ ଦାବି କରିଛନ୍ତି ।
ଏହି ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ପାଖାପାଖି ୭୨ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ଗୃହ ନିର୍ମାଣର ଅବଧି ସରିବାକୁ ବସିଥିବାବେଳେ ଏପର୍ଯ୍ୟନ୍ତ ୩୦ଭାଗ କାମ ସରିନାହିଁ । ସେପଟେ ଏଷ୍ଟିମେଟରେ ଫାଉଣ୍ଡେସନ ପାଇଁ ବୋରିଂ ୧୫ଫୁଟ ଥିବାବେଳେ ଏହା ୧୨ଫୁଟ କରାଯାଇଥିବା ନେଇ ଖୋଦ କାମ କରୁଥିବା ଶ୍ରମିକମାନେ ପ୍ରକାଶ କରିଛନ୍ତି । ଏଥିରେ ବ୍ୟବହୃତ ସିମେଣ୍ଟ ପୁରୁଣା ଷ୍ଟକ ହୋଇଥିବାରୁ ଘରର ସ୍ଥାୟିତ୍ୱ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିଭଳି ବାଲି ମଧ୍ୟ ନିମ୍ନମାନର ହୋଇଥିବା ବେଳେ ଢଳେଇ କାମ ଏଷ୍ଟିମେଟ ଅନୁଯାୟୀ ହେଉନଥିବା କୁହାଯାଉଛି । ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟମିଶନ ଏହି କାମର ତଦାରଖ କରୁଥିବାବେଳେ ବିଲ୍ଡିଂ ଦାୟିତ୍ୱ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ବୁଝୁଛନ୍ତି । ପିସି ଭାଗବଣ୍ଟା ହୋଇ ଆଦାୟ କରାଯାଉଥିବାରୁ ଠିକାଦାରଏହି ନିମ୍ନମାନର କାମ ପାଇଁ ବାଧ୍ୟ ହେଉଛନ୍ତି ବୋଲି ଠିକାଦାରଙ୍କ ଜଣେ ସମ୍ପର୍କୀୟ କହିଛନ୍ତି । ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ରୁବି ଖାତୁନଙ୍କୁ ଯୋଗାଯୋଗ କରାଯିବାରେ କାମରେ କୌଣସି ଅନିୟମିତତା ହୋଇନଥିବା କହିଛନ୍ତି ।