ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ

ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଏସ୍‌ସିବିରେ ହେବ ୧୭ ମହଲା ପାର୍କିଂ

ରାଜ୍ୟର ୭ ମେଡିକାଲ କଲେଜ କ୍ୟାମ୍ପସରେ ଆଟେଣ୍ଡାଣ୍ଟଙ୍କ ପାଇଁ ହେବ ବିଶ୍ରାମ ଗୃହ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ ଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଏହି ବୈଠକରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।


   ରାଜ୍ୟର ସର୍ବବୃହତ ମେଡିକାଲ କଲେଜ ହିସାବରେ ଏଠାକୁ ପ୍ରତିଦିନ ହଜାର ହଜାର ରୋଗୀ ଓ ସେମାନଙ୍କର ସମ୍ପର୍କୀୟମାନେ ଆସିଥାନ୍ତି । ଏହି ମେଡିକାଲ କଲେଜକୁ ଏକ ବିଶ୍ୱସ୍ତରୀୟ ମେଡିକାଲ କଲେଜ ରୂପେ ବିକଶିତ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ଆବଶ୍ୟକୀୟ ପାର୍କିଂ ସୁବିଧା ଉପରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକରୁ ଜଣାଯାଇଛିଯେ, ଏସ୍‌ସିବି ମେଡିକାଲ କଲେଜରେ ୬.୫୧ ଏକର ପରିମିତ ଅଞ୍ଚଳରେ ୧୭ ମହଲା (ଏ+୧୬) ବିଶିଷ୍ଟ ଏକ ମଲ୍‌ଟି ଲେଭଲ୍‌ ପାର୍କିଂ ସୁବିଧା ବିକଶିତ କରାଯିବ । ପାର୍କିଂ ସୁବିଧା ଉଭୟ ଏସ୍‌ସିବି ଓ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲକୁ ଆସୁଥିବା ରୋଗୀ ଓ ଆଟେଣ୍ଡାଣ୍ଟମାନେ ବ୍ୟବହାର କରିପାରିବେ । ଏହି ବିଲ୍‌ଡିଂରେ ୧୨ ମହଲା ପର୍ଯ୍ୟନ୍ତ ପାର୍କିଂ ସୁବିଧା ଏବଂ ଅବଶିଷ୍ଟ ମହଲାଗୁଡିକରେ ପ୍ରଶାସନିକ ବ୍ଲକ, ଆନାଟୋମୀ ବ୍ଲକ, ବି.ଫାର୍ମା ଏବଂ ଡି.ଫାର୍ମା କଲେଜ୍‌ ଇତ୍ୟାଦି କାର୍ଯ୍ୟକ୍ଷମ ହେବ।


   ଏଥିସହିତ ମେଡିକାଲ ଛାତ୍ରମାନଙ୍କୁ ଚାପମୁକ୍ତ ରଖିବା ପାଇଁ ଇଣ୍ଡୋର ଗେମ୍‌, ସୁଇମିଂ ପୁଲ୍‌ ସୁବିଧା ମଧ୍ୟ ଉପଲବ୍ଧ କରାଯିବ । ସୂଚନାଯୋଗ୍ୟଯେ, ଜାତୀୟ ଶିକ୍ଷାନୀତି ୨୦୨୦ରେ ପିଲାମାନଙ୍କୁ ଚାପମୁକ୍ତ ରଖିବା ପାଇଁ ବିଭିନ୍ନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଏଥି ନିମନ୍ତେ ଖୁବଶୀଘ୍ର ଡିପିଆର୍‌ ପ୍ରସ୍ତୁତ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏସ୍‌ସିବି ନିକଟରେ ୧୩ ଗୋଟି ହାଉସିଂ ଟାୱାର କାମ ନିର୍ମାଣଧୀନ ରହିଛି । ଯେଉଁଥିରେ ୬୭୨ଟି ଆବାସିକ ୟୁନିଟ୍‌ ଓ ୨,୨୪୪ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ସୁବିଧା କରାଯାଉଛି । ଏହି ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀ ସବିସ୍ତୃତ ଆଲୋଚନା କରି ଏହାର ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏଥିସହିତ ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ପୁନଃବିକାଶ କାର୍ଯ୍ୟ ଉପରେ ବୈଠକରେ ଆଲୋଚନା ହୋଇଥିଲା ।


  ପାଣିକୋଇଲି ଟ୍ରମା କେୟାର ସେଣ୍ଟରକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ, ଏହାକୁ ପିପିପି ମୋଡ୍‌ରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ହସ୍ପିଟାଲ ପରିଚାଳନା କ୍ଷେତ୍ରରେ ଅଭିଜ୍ଞତା ଥିବା କେନ୍ଦ୍ର ସରକାରଙ୍କ ପିଏସ୍‌ୟୁକୁ ଏକ୍ଷେତ୍ରରେ ପ୍ରାଥମିକତା ଦିଆଯାଉ । ଆବଶ୍ୟକସ୍ଥଳେ ଘରୋଇ କ୍ଷେତ୍ରକୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ସେ କହିଥିଲେ । ଏଥିସହିତ ରାଜ୍ୟର କଟକ, ବ୍ରହ୍ମପୁର, ବୁର୍ଲା, ସୁନ୍ଦରଗଡ, କୋରାପୁଟ, ବାରିପଦା ଓ ବଲାଙ୍ଗୀରରେ ଥିବା ସରକାରୀ ମେଡିକାଲ କଲେଜ୍‌ କ୍ୟାମ୍ପସ୍‌ରେ ଆଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମ ଗୃହ ନିର୍ମାଣ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱତୀ ଏସ୍‌, ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକ ଡ.ବୃନ୍ଦା ଡି ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।