ସଡ଼କ ନିରାପତ୍ତା ଓ ପ୍ରଶିକ୍ଷଣ ଶିବିର
ଢେଙ୍କାନାଳ: ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ପକ୍ଷରୁ ସଡ଼କ ନିରାପତ୍ତା ଉପରେ ଏକ ଦିବସୀୟ ଶିବିରର ଆୟୋଜିତ ହୋଇଯାଇଛି । ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ରବର୍ଟ ଉଇଲସନ୍ ଭତ୍ରା ଓ ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରିଣୀ ବିଦୁସି ମଧୁସ୍ମିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ତଥା ଜାତୀୟ ସେବା ଯୋଜନା ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ । ସକାଳ ୯ଘଟିକା ସମୟରେ ମହାବିଦ୍ୟାଳୟର ପରିସରରୁ ପଦଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏହାପରେ ସଡ଼କ ନିରାପତ୍ତା ଉପରେ ଅଧିକ ଜ୍ଞାନ ଆହରଣ ପାଇଁ ଏକ ପାଠଚକ୍ରର ଆୟୋଜନ କରାଯାଇଥିଲା । ଏହାପରେ ଆଂଚଳିକ ପରିବହନ କାର୍ଯ୍ୟାଳୟ, ଢେଙ୍କାନାଳର ଅତିରିକ୍ତ ପରିବହନ ଅଧିକାରୀ ଶିବାଶିଷ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି "ସଡ଼କ ନିରାପତା’ର ବିଭିନ୍ନ ଦିଗ ଓ ନିୟମ ଉପରେ ସ୍ୱେଚ୍ଛାସେବୀଙ୍କୁ ଆଲୋକପାତ କରାଇଥିଲେ । ଦ୍ୱିତୀୟ ନିର୍ଘଂଟରେ ପରିବହନ କାର୍ଯ୍ୟାଳୟର ରକ୍ଷକ କାର୍ଯ୍ୟକ୍ରମର ପ୍ରଶିକ୍ଷକ ବରୁଣ ଚନ୍ଦ୍ର ମାଝୀ ସ୍ୱେଚ୍ଛାସେବୀଙ୍କୁ ସଡ଼କ ଦୁର୍ଘଟଣାରେ ଆହତଙ୍କୁ କିପରି ପ୍ରାଥମିକ ଚିକିତ୍ସା ଦିଆଯିବ ତାହା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଂଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀ ତନୁଜ କୁମାର ମହାପାତ୍ର ଓ ପ୍ରଦୀପ ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ଶେଷରେ କାର୍ଯ୍ୟକ୍ରମ ଅଧିକାରିଣୀ ବିଦୁସି ମଧୁସ୍ମିତା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।