ସଡ଼କ ସୁରକ୍ଷା ମାସ ଉଦ୍ୟାପିତ          

ଢେଙ୍କାନାଳ: ଚଳିତ ମାସ ପହିଲାରୁ ପାଳିତ ହେଉଥିବା ସଡ଼କ ସୁରକ୍ଷା ମାସ ପାଳନ ଉଦ୍ୟାପିତ ହୋଇଯାଇଛି । ଏହି ଉପଲକ୍ଷେ ଗାନ୍ଧି ମାର୍ଗ ରାସ୍ତାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗ ଦେଇ ପିଲାମାନେ ନିଜର ଅଭିଭାବକମାନଙ୍କୁ ନିଶ୍ଚିତ ହେଲମେଟ୍ ପିନ୍ଧିବାକୁ ଅନୁରୋଧ କରିବାକୁ କହିଥିଲେ । ପ୍ରତ୍ୟେକଙ୍କର ଜୀବନ ଅମୂଲ୍ୟ, ଏହାକୁ ରକ୍ଷା କରି ଦେଶ ନିମନ୍ତେ ଭଲ ଭଲ କାମ କରିବାକୁ ଉତ୍ସାହିତ କରିଥିଲେ । ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ସମସ୍ତେ ସଚେତନ ହେଲେ ଦୁର୍ଘଟଣାରୁ ଆମେ ବଞ୍ଚପାରିବା ସହିତ ଅନ୍ୟମାନଙ୍କୁ ବଞ୍ଚାଇ ପାରିବା ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ଓ ଗୁଡ୍ ସମରିଟାନ୍ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଉପଲକ୍ଷେ ସକାଳେ ବାଜି ଚୌକ ଠାରୁ ଏକ ସଚେତନତା ରାଲି ବାହାରିଥିଲା । ସ୍ୱେଚ୍ଛାକୃତ ରକ୍ତଦାତା ସଂଘର ସଭାପତି ବିରଞ୍ଚô ନାରାୟଣ ପାଣି, ଆଞ୍ଚଳିକ ପରିବହନ ଅଧିକାରୀ  ପ୍ରଣୟ କୁମାର ମିଶ୍ର,  ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ  ଶିବାଶିଷ ସାହୁ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ । ସତ୍ୟନାରାୟଣ କର କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ମଟର ଯାନ ନିରୀକ୍ଷକ ଦେବାଶିଷ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।