ଜରାଜୀର୍ଣ୍ଣ କପିଳାସ ଯାତ୍ରୀମଣ୍ଡପ ଓ ଲାଇବ୍ରେରୀ 

ଢେଙ୍କାନାଳ : ପ୍ରସିଦ୍ଧ ଶୈବପୀଠ କପିଳାସରେ ଥିବା  କଳାପରିଷଦ ଯାତ୍ରୀମଣ୍ଡପ ଓ ପାଠାଗାର ଏବେ ଜରାଜୀର୍ଣ୍ଣ ହୋଇ ପଡିରହିଛି । ପ୍ରଶାସନିକ ଅଧିକାରୀ ଅବହେଳା ଓ ଅଣଦେଖା ଯୋଗୁଁ ଏବେ ଏହି  ମଣ୍ଡପ ଶ୍ରଦ୍ଧାଳୁ ଭକ୍ତଙ୍କ ପାଇଁ ଉପେଯାଗୀ ନହେବା ସହ ଯେଉଁ ଲକ୍ଷ୍ୟ ନେଇ ତିଆରି ହୋଇଥିଲା ତାହା ସାଧନ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି । କପିଳାସ ପୀଠ ପରିସରରେ  ବିଶ୍ୱନାଥ ମନ୍ଦିର ନିକଟରେ କଳା ପରିଷଦ ଯାତ୍ରୀମଣ୍ଡପଟି  ନିର୍ମାଣ ହୋଇଥିଲା । କପିଳାସର ପ୍ରସିଦ୍ଧ ଜାଗର ଯାତ୍ରା, ଶ୍ରାବଣ ମାସର କାଉଡି ଯାତ୍ରା ସମେତ ଅନ୍ୟାନ୍ୟ ପର୍ବପର୍ବାଣୀ ସମୟରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ବ୍ୟବହାରରେ ଏହି ମଣ୍ଡପଟି ଲାଗୁଥିଲା । ସେହିପରି ମଣ୍ଡପକୁ ଲାଗି ରହିଥିବା ଲାଇବ୍ରେରୀରେ ଚନ୍ଦ୍ରଶେଖର ଜୀଉ ଠାକୁରଙ୍କ ଆବିର୍ଭାବ ଠାରୁ ଆାରମ୍ଭ କରି ଲିଳାଖେଳା ପର୍ଯ୍ୟନ୍ତ ବିଭିନ୍ନ ଲେଖକଙ୍କ ବହି ଏବଂ ବିଭିନ୍ନ ଆଧ୍ୟାତ୍ମିକ ପୁସ୍ତକ ସବୁ ରହିଥିଲା । ସଂପୃକ୍ତ ମଣ୍ଡପ ଏବଂ ପାଠାଗାର ବର୍ତ୍ତମାନ ତାଲା ପଡି ଦେବୋତର ବିଭାଗ ଅଧୀନରେ ରହିଛି । ତେବେ  ରକ୍ଷଣାବେକ୍ଷଣା ପାଇଁ କୌଣସି ବ୍ୟବସ୍ଥା କରାଗଲା ନାହିଁ  । ଦେବୋତ୍ତର ବିଭାଗ କର୍ତ୍ତୁପକ୍ଷ ମଧ୍ୟ ଏହାର ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ । ଜାଗର ଯାତ୍ରା ପାଇଁ ପ୍ରତ୍ୟେକ ବର୍ଷ ୩ରୁ ୪ଲକ୍ଷ ଖର୍ଚ୍ଚକରାଯାଇ ପୀଠ ସ୍ଥିତ ବିଭିନ୍ନ ମଠ, ମନ୍ଦିର  ଓ କୋଠାଗୁଡିକ ରଙ୍ଗ କରାଯାଉଛି । ଦେବୋତର ବିଭାଗ ତଥା ଠାକୁରଙ୍କ ସଂପତି ଭାବେ ସେହି ମଣ୍ଡପ ଓ ପାଠାଗାର ରହିଥିଲେ ମଧ୍ୟ ତାହାକୁ ଜାଣିଶୁଣି ରକ୍ଷଣାବେକ୍ଷଣା  କରାଯାଉନାହିଁ ବୋଲି ଲୋକେ ଅଭିଯୋଗ ଆଣିଛନ୍ତି । ଏ ସଂପର୍କରେ ପ୍ରତ୍ୟେକ ବର୍ଷ ଜାଗର ଯାତ୍ରା ପ୍ରସ୍ତୁତି ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଉଛି । ଚଳିତ ବର୍ଷ ମଧ୍ୟ ପ୍ରସ୍ତୁତି ବୈଠକରେ ଏହାର ସୁରକ୍ଷା ପାଇଁ ମୁଁ ନିଜେ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ଦେବୋତର ଅଧିକାରୀଙ୍କ ଚକ୍ରାନ୍ତରେ ଏହା ଉପରେ ଗୁରୁତ୍ୱ ଦିଆଯାଉନାହିଁ । ଏହାର ରକ୍ଷଣାବେକ୍ଷଣା ନହେଲେ କିଛିଦିନପରେ ଏହା ମାଟିରେ ମିଶିଯିବ । ପୀଠରେ ଦୀର୍ଘ ୨୭ ବର୍ଷ ଧରି ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ କଳାପରିଷଦ ଅନୁକୁଲ୍ୟରେ ମହାଶିବରାତ୍ରୀ ସମୟରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ଭଜନ ପିବେଷନ କରିଥାନ୍ତି । ଗତ ୨ବର୍ଷ ହେବ ଏହାକୁ ତାଲାପକାଇ ରଖାଯାଇଛି ବୋଲି ଅଭିଯୋଗ କରାଯାଇଛି ।