ହାଇୱା ଦଖଲରେ ସଠିପୁର-ବୈତରଣୀ ରୋଡ଼ ରାସ୍ତା
ପାଣିକୋଇଲି: ହାଇୱା ଦଖଲରେ କୋରେଇ ବ୍ଲକ ସଠିପୁର-ବୈତରଣୀ ରୋଡ଼ ରାସ୍ତା । ଶହଶହ ସଂଖ୍ୟାର ହାଇୱା ଉକ୍ତ ରାସ୍ତାକୁ ଦଖଲ କରିରଖୁଥିବାରୁ ସାଧାରଣ ଜନତା ହିନସ୍ତା ଭୋଗୁଛନ୍ତି । ଏହା ବାଲି ପାଇଁ ଘଟୁଛି । କୋରେଇ ବ୍ଲକ ଦେଇ ପ୍ରବାହିତ ବୈତରଣୀ ନଦୀର ବିଭିନ୍ନ ବାଲି ଘାଟକୁ ଲିଜସୂତ୍ରରେ ଦିଆଯାଇଛି । ଲିଜ ଘାଟରୁ ପ୍ରତିଦିନ ଶହଶହ ସଂଖ୍ୟାର ହାଇୱାରେ ବାଲି ବୋଝେଇ ହୋଇ ଜିଲା ଏବଂ ଜିଲା ବାହାରକୁ ଚାଲାଣ ହେଉଛି । ଦିନ ହେଉ କି ରାତିରେ ଚାଲିଛି ବାଲି ଚାଲାଣ । ବାଲି ବୋଝେଇ କରି ପ୍ରତ୍ୟେକ ଘାଟରୁ ହାଇୱା ଗୁଡ଼ିକ ୧୬ନଂ ଜାତୀୟ ରାଜପଥକୁ ପଡ଼ିଛି ଏକମାତ୍ର ରାସ୍ତା । ଫଳରେ ରାସ୍ତାରେ ଲମ୍ବା ଲାଇନ ଲାଗିଯାଉଛି ବାଲି ବୋଝେଇ ହାଇୱା । ରାସ୍ତାରେ ହାଇୱା ଧାଡ଼ି ଲଗାଇଥିବାରୁ ସାଧାରଣ ଯାତ୍ର୍ରୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । କୋରେଇ ବ୍ଲକର ଏକାଧିକ ପଞ୍ଚାୟତର ଲୋକ ସଠିପୁର-ବୈତରଣୀ ରୋଡ଼ ରାସ୍ତା ଉପରେ ନିର୍ଭର କରିଥାନ୍ତି । ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଯିବା ଠାରୁ ହେଉ କି ବିଭିନ୍ନ କାମକାର୍ଯ୍ୟ ପାଇଁ ଲୋକେ ଗାଡ଼ିଯୋଗେ ଯିବା ବେଳେ ବିପଦର ଆଶଙ୍କା କରୁଛନ୍ତି । ବିଭିନ୍ନ ସମୟରେ ରାସ୍ତାରେ ଗଲା ବେଳେ ସାଧାରଣ ଯାତ୍ରୀ ବାଲି ବୋଝେଇ ହାଇୱା ପାଇଁ ହରକତ ହେଉ ନାହାନ୍ତି ବିପଦକୁ ଆଖିଆଗରେ ଦେଖୁଛନ୍ତି । ହାଇୱା ଯୋଗୁ ମେଡ଼ିକାଲ ଯାଉଥିବା ରୋଗୀବି ରାସ୍ତାରେ ଯିବାକୁ ସୁରକ୍ଷିତ ମଣୁନି । ତେବେ ଏହି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ପାଖରେ ଅଭିଯୋଗ ହେଉଥିଲେ ବି ଫଳ କିଛି ମିଳୁନି । ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।