ଡ଼ିସିପି ଅଫିସରେ ଲାଗିଲା ମୋବାଇଲ ମେଳା

ଭୁବନେଶ୍ୱର, ୧୭ା୧୨ : ମଙ୍ଗଳବାର ଦିନ ଭୁବନେଶ୍ୱର ଡ଼ିସିପି ଅଫିସରେ ଲାଗିଲା ମୋବାଇଲ ମେଳା । ଚୋରୀ ହୋଇଥିବା ୨୫ ଜଣ ପ୍ରକୃତ ମାଲିକଙ୍କୁ ଡକାଯାଇ ସେମାନଙ୍କ ମୋବାଇଲ ଫୋନ୍ ଫେରସ୍ତ କରିଛନ୍ତି ଡ଼ିସିପି ପିନାକ ମିଶ୍ର । ଏହି ଚୋରୀ/ଲୁଟ୍ କିମ୍ବା ହଜିଯାଇଥିବା ମୋବାଇଲ ଫୋନ୍ ଗୁଡ଼ିକୁ ପାହାଳ ଥାନା ଦ୍ୱାରା ଉଦ୍ଧାର କରାଯାଇଛି ।
 ସୂଚନାଯୋଗ୍ୟ ଯେ, ଗତ ୩୦.୧୧.୨୦୨୪ ତାରିଖରେ ଅଭିଯୋଗକାରୀ ନଖରା ଅଞ୍ଚଳରେ ମେକପ୍ ଆର୍ଟିସ୍ଟ ଭାବେ କାମ କରୁଥିବା ରାକେଶ କୁମାର ଖୁଣ୍ଟିଆଙ୍କ ଆଇଫୋନ ଟି ଚୋରି ହୋଇଯାଇଥିଲା । ଏନେଇ ସେ ପାହାଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଗତକାଲି ରାତିରେ ଲୁଟେରା ମନୋଜ କୁମାର ନାୟକକୁ ଗିରଫ କରିବାରେ ସକ୍ଷମ ହେବା ସହ ଚୋରି ମୋବାଇଲ ଜବତ କରାଯାଇଥିଲା । ସେହିପରି ଗତ ୬.୧୧.୨୦୨୪ ତାରିଖରେ ଭୀମପୁର ଅଞ୍ଚଳରେ ଥିବା ଏକ ଇକମ୍ ଏକ୍ସପ୍ରେସ କମ୍ପାନୀରୁ ମୋବାଇଲ ଫୋନ ଏବଂ ଅନ୍ୟାନ୍ୟ ଜିନିଷ ଚୋରୀ ହୋଇଥିବାର ନେଇ ପାହାଳ ଥାନାରେ ଅଭିଯୋଗ ହୋଇଥିଲା । ପୁଲିସ ମାମଲା ରୁଜୁକରି ଗତକାଲି ଅଭିଯୁକ୍ତ ତପନ କୁମାର ସାମଲ ଓ ପ୍ରଭାତ କୁମାର ସାହୁଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ ଏବଂ ସେମାନଙ୍କ ଠାରୁ ୧୨ଟି ମୋବାଇଲ ଜବତ କରାଯାଇଥିଲା । ସେହିପରି ଅନ୍ୟ ମୋବାଇଲ ଫୋନ ଗୁଡ଼ିକ ଭୁବନେଶ୍ୱର ସହରର ବିଭିନ୍ନ ଅଞ୍ଚଳ ତଥା ଅନ୍ୟ ଜିଲ୍ଲା ମାନଙ୍କରୁ ତଦନ୍ତ ସମୟରେ ଉଦ୍ଧାର କରାଯାଇଥିଲା ଓ ଉଦ୍ଧାର କରାଯାଇଥିବା ମୋବାଇଲ ଗୁଡ଼ିକର ମାଲିକାନା ଯାଞ୍ଚ ପରେ ସେମାନଙ୍କ ପ୍ରକୃତ ମାଲିକ ମାନଙ୍କୁ ଯୋଗାଯୋଗ କରାଯାଇ ଆଜି ଅବା ମଙ୍ଗଳବାର ଦିନ ଭୁବନେଶ୍ୱର ଡ଼ିସିପିଙ୍କ କାର୍ଯ୍ୟାଳୟ ଠାରେ ସେଗୁଡ଼ିକୁ ଡ଼ିସିପି ପିନାକ ମିଶ୍ରଙ୍କ ଦ୍ୱାରା ସମସ୍ତଙ୍କୁ ହସ୍ତାନ୍ତର କରାଯାଇଥିଲା । 
 ଉଲ୍ଲେଖଯୋଗ୍ୟ ଯେ, ଚଳିତ ୨୦୨୪ ମସିହାରେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ମୋଟ ୯୪୬ଟି ମୋବାଇଲ ଫୋନ ଉଦ୍ଧାର କରାଯାଇଥିବା ବେଳେ, ସେଥିମଧ୍ୟରୁ ମୋଟ ୮୯୧ଟି ମୋବାଇଲ ଫୋନ୍ ସେମାନଙ୍କର ପ୍ରକୃତ ମାଲିକମାନଙ୍କୁ ଫେରସ୍ତ ଦିଆଯାଇ ପାରିଛି ।