ଆମ୍ବୁଲାନ୍ସ ଡ୍ରାଇଭରଙ୍କ ମୃତଦେହ ଜବତ ଘଟଣା
ପରିବାର ଆଣିଲେ ହତ୍ୟା ଅଭିଯୋଗ; ୫ ଯୁବକଙ୍କୁ ପଚରା ଉଚରା
ଭୁବନେଶ୍ୱର, ୨୩ା୧୦ : ସୋମବାର ଅପରାହ୍ଣରୁ ନିଖୋଜ ଥିବା ପଥରଗାଡିଆର ସୁଶାନ୍ତ ବେହେରା(୩୦)ଙ୍କ ମୃତଦେହ ମଙ୍ଗଳବାର ଦିନ ଏକ ପଥରଗାଡିଆ ନିକଟ ଏକ ନିର୍ମାଣାଧୀନ ମନ୍ଦିରରୁ ଠାବ ହୋଇଥିଲା । ରହସ୍ୟମୟ ଭାବେ ନିଖୋଜ ହେବା ଓ ସନେ୍ଦହଜନକ ଅବସ୍ଥାରେ ମୃତଦେହ ମିଳିବା ଘଟଣାକୁ ନେଇ ପରିବାର ଲୋକେ ବୁଧବାର ହତ୍ୟା ଅଭିଯୋଗ ଆଣିଛନ୍ତି । ମୃତ ସୁଶାନ୍ତଙ୍କ ଭାଇ ନବକିଶୋର ବେହେରାଙ୍କ ଅଭିଯୋଗ ଆଧାରରେ ଇନ୍ଫୋସିଟି ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ଛାନ୍ଭିନ୍ ଚଳାଇଛି । ପୁଲିସ ମୃତ ସୁଶାନ୍ତଙ୍କ ପରିଚିତ ୫ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି । କିନ୍ତୁ ଏହାପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଘଟିଥିବା ଉତ୍ତେଜନା ପାଇଁ ଆଜି ସୁଶାନ୍ତଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇପାରିନାହିଁ । ବ୍ୟବଚ୍ଛେଦ ରିପୋର୍ଟ ଓ ପ୍ରାଥମିକ ତଦନ୍ତ ସରିବା ପରେ ସୁଶାନ୍ତଙ୍କ ମୃତୁ୍ୟ ପଛର କାରଣ ଜଣାପଡିବ ବୋଲି ପୁଲିସ ସୂଚନା ଦେଇଛି ।
ସୁଶାନ୍ତ ପଟିଆ ଅଞ୍ଚଳସ୍ଥିତ ଏକ ଘରୋଇ ହସ୍ପିଟାଲର ଆମ୍ବୁଲାନ୍ସ ଚାଳକ ଭାବେ କାମ କରନ୍ତି । ସୋମବାର ଅପରାହ୍ନ ୨ଟାରେ ସେ ଘରୁ ବାଇକ୍ ଧରି ହସ୍ପିଟାଲ ଯାଇଥିଲେ । ରାତି ସାଢ଼େ ୧୧ରେ ଘରକୁ ଫେରିବା କଥା । କିନ୍ତୁ କୌଣସି ଜରୁରୀ କାମ ନେଇ ପରିବାର ଲୋକେ ତାଙ୍କୁ ଅପରାହ୍ଣ ସାଢ଼େ ୪ଟା ବେଳେ ଫୋନ କରିଥିଲେ । ମୋବାଇଲ ସ୍ୱିଚଅଫ୍ ଦେଖାଇଥିଲା । ପରେ ପରିବାର ଲୋକେ ବାରମ୍ବାର ଫୋନ୍ କରିଥିଲେ ହେଁ ମୋବାଇଲ ସୁଇଚଅଫ୍ ଦେଖାଇଥିଲା । ତେଣୁ ମଙ୍ଗଳବାର ସକାଳେ ପରିବାର ପକ୍ଷରୁ ଇନଫୋସିଟି ଥାନାରେ ଏକ ନିଖୋଜ ମାମଲା କରାଯାଇଥିଲା । ପୁଲିସ ସୁଶାନ୍ତଙ୍କ ମୋବାଇଲ ଟ୍ରାକ୍ କରି ଅପରାହ୍ଣ ପାଖାପାଖି ୩ଟା ବେଳେ ଶୁଭମ୍ ଗ୍ରାଣ୍ଡ ଓୟୋ ନିକଟ ନିର୍ମାଣାଧୀନ ମନ୍ଦିର ନିକଟରୁ ଯୁବକ ସଂଜ୍ଞାହୀନ ଅବସ୍ଥାରେ ପଡିଛନ୍ତି ବୋଲି ପୁଲିସକୁ ଖବର ମିଳିଥିଲା । ନାକ ଓ କାନରୁ ରକ୍ତ ଝରିଝରି ଶୁଖିଯାଇଥିବା ଦେଖିବାକୁ ମିଳିଥିଲା । ବଞ୍ଚିଥିବ ଭାବି ପୁଲିସ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ । ପରେ ଜଣାପଡିଲା ଯେ ମୃତକ ହେଉଛନ୍ତି ନିଖୋଜ ସୁଶାନ୍ତ । ଖବର ପାଇ ପରିବାର ଲୋକେ ଓ ସମ୍ପର୍କୀୟମାନେ ହସ୍ପିଟାଲରେ ପହଞ୍ଚିବା ପରେ ଉତ୍ତେଜନା ବଢ଼ିଥିଲା । ନାକ ଓ କାନରୁ ରକ୍ତ ବାହାରୁଥିବା ଦେଖି ସେମାନେ ଏହା ଏକ ହତ୍ୟାକାଣ୍ଡ ବୋଲି ଦାବି କରିଥିଲେ । ସିସିଟିଭି ଫୁଟେଜ୍ ଯାଞ୍ଚ ଆଧାରରେ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ସୋମବାର ଅପରାହ୍ଣରେ ସୁଶାନ୍ତ ଓୟୋ ନିକଟରେ ବାଇକ୍ ରଖି ୫/୬ଜଣଙ୍କ ସହ ନିର୍ମାଣାଧୀନ ମନ୍ଦିରକୁ ଯାଇଥିଲେ । ରାତି ସୁଦ୍ଧା ଅନ୍ୟମାନେ ଫେରିଥିଲେ ହେଁ ସୁଶାନ୍ତ ଫେରିନଥିଲେ । ସୁଶାନ୍ତଙ୍କ ସହ ଯାଇଥିବା ୫ଜଣଙ୍କୁ ପୁଲିସ ଚିହ୍ନଟ କରିବା ପରେ ସେମାନଙ୍କୁ ଥାନାକୁ ଆଣି ପଚରା ଉଚରା ଚଳାଇଛି । ସେମାନେ ନିର୍ମାଣାଧୀନ ମନ୍ଦିରକୁ କ’ଣ ପାଇଁ ଯାଇଥିଲେ, ସେଠାରେ କି ପ୍ରକାର ପରିସ୍ଥିତି ଉପୁଜିଥିଲା, ସୁଶାନ୍ତଙ୍କୁ ସେମାନେ କାହିଁକି ଏକୁଟିଆ ଛାଡି ପଳାଇଆସିଲେ, କିଛି ଅଘଟଣ ଘଟିଥିଲେ ହେଁ ପୁଲିସକୁ କାହିଁକି ଜଣାଇନଥିଲେ, ସେସବୁ ବାବଦରେ ପୁଲିସ ପଚରା ଉଚରା ଚଳାଇଛି ।