ୟୁନାଇଟେଡ୍ ଫୋରମ ସଭାନେତ୍ରୀଙ୍କ ମନ୍ତବ୍ୟକୁ ଶ୍ରୀରାମ ସେନାର ବିରୋଧ
ଭଦ୍ରକ: ୟୁନାଇଟେଡ୍ ଫୋରମ୍ର ସଭାନେତ୍ରୀ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ସମ୍ୱନ୍ଧରେ ଦେଇଥିବା କଟୁ ମନ୍ତବ୍ୟକୁ ବିରୋଧ କରି ଶ୍ରୀରାମ ସେନା ଭଦ୍ରକ ଜିଲ୍ଲା ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ଏ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସହିତ ଜିଲ୍ଲାର ସମସ୍ତ ଥାନା ଅଧିକାରୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ପ୍ରକାଶ ଯେ, ପାରାଦୀପର ଆମ୍ବେଦକର ପାର୍କ ଠାରେ ଅନୁଷ୍ଠିତ ସଭାରେ ୟୁନାଇଟେଡ୍ ଫୋରମ୍ର ସଭାନେତ୍ରୀ ସୁପ୍ରଭା ମଲ୍ଲିକ ଆମ୍ବେଦକର ପ୍ରତି ଗୃହମନ୍ତ୍ରୀ ଅମିତ ଶାହା ଦେଇଥିବା ମନ୍ତବ୍ୟକୁ ବିରୋଧ କରି ସଭାକାର୍ଯ୍ୟ କରିଥିବା ବେଳେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ସମ୍ୱନ୍ଧରେ କଟୁ ମନ୍ତବ୍ୟ ଦେଇଥିଲେ । ଯାହାକୁ ଶ୍ରୀରାମ ସେନା ଭଦ୍ରକ ଜିଲ୍ଲା ସଂଗଠନ ପକ୍ଷରୁ ବିରୋଧ କରାଯାଇଛି । ରାଜନୀତି କରାଯାଉ କିନ୍ତୁ ଧର୍ମ ଦେବଦେବୀଙ୍କୁ ଅସମ୍ମାନ କରି କହିବା ଭୁଲ୍ ବୋଲି ଜିଲ୍ଲା ଉପଦେଷ୍ଟା ଶ୍ରୀ ପାଣି ଘୋର ଉଦ୍ବେଗ ପ୍ରକାଶ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ଅବସରରେ ମୁଖ୍ୟ ଉପଦେଷ୍ଟା ଜ୍ଞାନ ପ୍ରକାଶ ପାଣି, ସଭାପତି ହରିହର ଚାନ୍ଦ, ସମ୍ପାଦକ ସରୋଜ ଦାସ, ଜିଲ୍ଲା ଉପସଭାପତି ମଧୁସୂଦନ ସାହୁ, ରଶ୍ମି ରଂଜନ, ନରେଶ ବଳ, ଗୋବିନ୍ଦ ପୁହାଣ ପ୍ରମୁଖ ଉପସ୍ଥିତ ଥିଲେ ।