୨୦ରୁ ଟେଷ୍ଟ, ଆଜି ଫେରିପାରନ୍ତି ଗମ୍ଭୀର

 ମୁମ୍ବାଇ : ଆସନ୍ତା ୨୦ ତାରିଖରେ ଇଲଣ୍ଡରେ ଭାରତ ବନାମ ଇଂଲଣ୍ଡ ୫ ଦିନିଆ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଆଉ ଏଥିପାଇଁ ଟିମ୍ ଇଣ୍ଡିଆ ଅଭ୍ୟାସ ମଧ୍ୟ ଆରମ୍ଭ କରି ଦେଇଛି । ଗତ ୧୩ ତାରିଖରେ ଇଂଲଣ୍ଡର ବେକାନହାମ୍ ଠାରେ ଭାରତ ୪ ଦିନିଆ ଇଣ୍ଟ୍ରା ସ୍କ୍ୱାଡ୍ ମ୍ୟାଚ୍ ଖେଳିଛି । କିନ୍ତୁ ଗତ ୧୨ ତାରିଖରୁ ଇଣ୍ଡିଆ ଟିମ୍ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ନିଜ ମା’ଙ୍କ ଅସୁସ୍ଥତା ପାଇଁ ଘରକୁ ଫେରିଆସିଥିବା ବେଳେ ଆସନ୍ତାକାଲି ସେ ଇଂଲଣ୍ଡ ବାହୁଡ଼ିବେ ବୋଲି ସୂଚନା ମିଳିଛି । ଗମ୍ଭୀରଙ୍କ ଅନୁପସ୍ଥିତିରେ ଆସିଷ୍ଟାଣ୍ଟ କୋଚ୍ମାନେ ଟିମ୍ ଦାୟିତ୍ୱ ତୁଲାଉଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ରାୟନ ଟେନ୍ ଡଜ୍ଚେଟ୍, ବ୍ୟାଟିଂ କୋଚ୍ ସିତାଂଶୁ କୋଟାକ ଏବଂ ବୋଲିଂ କୋଚ୍ ମୋର୍ନେ ମୋର୍କେଲ୍ । ଏହି ଆସିଷ୍ଟାଣ୍ଟ କୋଚ୍ମାନଙ୍କ ତତ୍ତ୍ୱାବଧାନରେ ଟିମ୍ ଇଣ୍ଡିଆ ଦୁଇଟି ଭାଗରେ ଭାରତ ଓ ଭାରତ ‘ଏ’ରେ ବିଭକ୍ତ ହୋଇ ନିଜର ଅଭ୍ୟାସ ଜାରି ରଖିଛି । ବର୍ତ୍ତମାନ ଟିମ୍ ଇଣ୍ଡିଆର ଟେଷ୍ଟ ସିରିଜ୍ର ଅଧିନାୟକ ଦାୟିତ୍ୱ ଶୁବମନ ଗିଲ୍ ତୁଲାଉଛନ୍ତି । ତେବେ ସେପଟେ ୨୦୦୭ରେ ରାହୁଲ ଦ୍ରାବିଡ଼ଙ୍କ ଅଧିନାୟକତ୍ୱରେ ଭାରତ ଟେଷ୍ଟ ସିରିଜ୍ ଭିକ୍ଟ୍ରି ହାସଲ କରିଥିବା ବେଳେ ସେହି ଫର୍ମାଟ୍କୁ ଭିତ୍ତି କରି ଗିଲ୍ ଏବେ ନିଜ ଦଳକୁ ସଜାଡ଼ୁଛନ୍ତି ।
ସୂଚନାଯୋଗ୍ୟ ଗତ ଜୁନ୍ ୧୧ରେ ଗୌତମ ଗମ୍ଭୀରଙ୍କ ମା’ ହୃଦଘାତରେ ଗୁରୁତର ହୋଇ ଦିଲ୍ଲୀର ଏକ ହସ୍ପିଟାଲ୍ରେ ଭର୍ତ୍ତି ହେବାରୁ ବାଧ୍ୟବସତଃ ଗମ୍ଭୀର ୧୨ ତାରିଖ ଦିନ ଘରବାହୁଡ଼ା ହୋଇଥିଲେ । ଏବେ ତାଙ୍କ ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାରୁ ସେ ଆସନ୍ତାକାଲି ଇଂଲଣ୍ଡ ଗସ୍ତ କରିବେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।