ଓଡ଼ିଶାରେ ଆନ୍ଧ୍ର ବ୍ୟବସାୟୀଙ୍କ ରାଜ୍‌ : ସରକାରୀ ଜମିରେ କରୁଛନ୍ତି ପାମ୍‌ ଚାଷ 

ଭବାନୀପାଟଣା : ସରକାରୀ ଜମିକୁ ଜବରଦଖଲ କରି ଆନ୍ଧ୍ର୍ରପ୍ରଦେଶର ଜଣେ ବ୍ୟବସାୟୀ କରୁଛନ୍ତି ପାମ୍‌ ପ୍ଳାଣ୍ଟେସନ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ମ.ରାମପୁର ନିକଟସ୍ଥ କୁସୁମଖାଲ ଗାଁରେ ଆନ୍ଧ୍ରପ୍ରଦେଶରୁ ଆସି ଏକର ଏକର ସରକାରୀ ଜମିକୁ ଜବରଦଖଲ କରି ପାମ୍‌ ପ୍ଳାଣ୍ଟେସନ କରୁଥିବା ଅଭିଯୋଗ ହୋଇଛି । ହେଲେ ରାଜସ୍ୱ ବିଭାଗ ପକ୍ଷରୁ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ  । ଯାହା ଫଳରେ ରାଜସ୍ୱ ବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି  । ଆନ୍ଧ୍ର ବ୍ୟବସାୟୀ ଜଣକ ୧୩୫.୭୭ ଏକର ଜମି କିଣିଥିବା ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଉଥବା ବେଳେ ଅନ୍ୟ ୫୧.୧୭ ଏକର ସରକାରୀ ଜମିକୁ ଜବରଦଖଲ କରି ଚାଷ କରୁଛନ୍ତି  । ଏହା ସହିତ ସରକାରଙ୍କ ପକ୍ଷରୁ ଗରିବ ଲୋକଙ୍କୁ ଦିଆଯାଇଥିବା ୩୩.୯୫ ଏକର ଜମିକୁ ସେମାନଙ୍କ ସହିତ ବୁଝାମଣା କରି ଚାଷ କରୁଥିବା ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି  । ଏଭଳି ସ୍ଥିତିରେ ରାଜସ୍ୱ ବିଭାଗ ଜାଣିବା ପରେ ଖାଲି ଫାଇନ କାଟି କାମ ସାରିଦେଇଛି  । ହେଲେ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ  । ଏପଟେ ବ୍ୟବସାୟୀ ଜଣକ ନିକଟରେ ଥିବା ଜମିରୁ ଜେସିବି ସାହାଯ୍ୟରେ ବଡ ବଡ ମୂଲ୍ୟବାନ ଗଛ କାଟି ଜମିକୁ ସଫା କରୁଥିବା ମଧ୍ୟ ଦେଖିବାକୁ ମିଳିଛି  । ହେଲେ ରାଜସ୍ୱ ବିଭାଗର ଅଧିକାରୀମାନେ କାହିଁକି ଚୁପ୍‌ ରହୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି  । ଏନେଇ ତହସିଲଦାରଙ୍କୁ ପଚାରିବାରୁ ଘଟଣା ସଂପୂର୍ଣ୍ଣ ସତ୍ୟ  । ବ୍ୟବସାୟୀ ଜଣକ ସରକାରୀ ଜମିକୁ ଜବରଦଖଲ କରିଥିବାରୁ ଫାଇନ କାଟିଛୁ ଆଉ ୧ମାସ ମଧ୍ୟରେ ସରକାରୀ ଜମିକୁ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି  । ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ । ତେବେ କେବେ କେବେ ଜବରଦଖଲ ହଟିବ ଆଉ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାକୁ ହିଁ ଅପେକ୍ଷା ।