୨୪ ଘଣ୍ଟା ଗଡୁଛି ବାଲିଗାଡ଼ି, ସହରବାସୀ ଅତିଷ୍ଠ


ଯାଜପୁର ସଦର:  ସମୟସୀମା କିଛି ନାହିଁ । ଦିନ ହେଉ କି ରାତି ୨୪ଘଣ୍ଟା ଧରି ଯାଜପୁର ସହରାଞ୍ଚଳରେ ଗଡୁଛି ବାଲିଗାଡ଼ି । ଗୋଟେ ପଟେ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ହୋଇଚାଲୁଥିବା ବେଳେ ଅନ୍ୟପଟେ ମିଳୁଥିବା ଚବିଶ ଘଣଟିଆ ସେବା ସହରବାସୀଙ୍କୁ କରିଛି ଅତିଷ୍ଠ । ବୈତରଣୀରୁ ବେଆଇନ ବାଲି କାରବାର ରାଜ୍ୟ ସରକାରଙ୍କୁ କୋଟିକୋଟି ଟଙ୍କାର ରାଜସ୍ୱ ହରାଇବାକୁ ପଡ଼ୁଛି । ଯାହା ଅଭିଯୋଗ ହୁଏ ରାତି ୧୦ବାଜିଲେ ବାଲି ମାଫିଆଙ୍କ ରାଜୁତି ଆରମ୍ଭ ହୋଇଯାଏ । ଯେପରିକି ସହର ମଧ୍ୟରେ ବାଲି ମାଫିଆଙ୍କୁ ନିୟନ୍ତ୍ରଣ କରିବା ପାଇଁ ଯାଜପୁର ଜିଲା ପ୍ରଶାସନ ପକ୍ଷରୁ କୈାଣସି ନିୟମାବଳୀ ନାହଁ । ଯାହା ଶୁଣିବାକୁ ମିଳେ ଲଘୁ ଖଣିଜ ବିଭାଗ ପକ୍ଷରୁ ବାଲି ମାଫିଆଙ୍କୁ ବହୁ ମାତ୍ରାରେ ସହଯୋଗ ମିଳେ । ଟାଉନ୍ ଥାନା ଅଧିକାରୀଙ୍କ ନେତୃତ୍ୱରେ ବାଲି ମାଫିଆ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବେଳେ କିଛି ତଳିଆ କର୍ମଚାରୀଙ୍କ ପାଇଁ ବେଳେ ବେଳେ ସବୁ ଫସର ଫାଟିଯାଉଛି । ସହର ମଧ୍ୟରେ ସରକାରଙ୍କ ରାଜସ୍ୱ ବିଭାଗ ଅଛି ବୋଲି ଜଣାପଡ଼େ ନାହିଁ । କାରଣ ଖୋଦ୍ ତହସିଲଦାରଙ୍କ ସରକାରୀ ବାସଭବନ ଦେଇ ଶହଶହ ଟ୍ରାକ୍ଟର ଓ ହାଇବା ଗୁଡ଼ିକ ଦିନ ରାତି ହରଦମ୍ ଯିବା ଆସିବା କରୁଥିବା ବେଳେ ବଡ଼ବଡ଼ ସରକାରୀ ଅଧିକାରୀ ବାବୁ ମାନଙ୍କ ନିଦ ଭାଙ୍ଗୁ ନାହିଁ । ଯାହା ଫଳରେ ବାଲି ମାଫିଆଙ୍କ ରାଜୁତି ବଢ଼ିଚାଲିଛି । କିଛି କର୍ମଚାରୀ ସରକାରଙ୍କ ବଦଳି ନିଦେ୍ର୍ଦଶନାମାକୁ ମାନୁ ନ ଥିବା ବେଳେ, ଗୋଟେ ଜାଗାରେ ବହୁ ବର୍ଷ ହେଲାଣି ଚାକିରିରେ ଅଛନ୍ତି । ଥାନାଧିକାରୀଙ୍କ ନେତୃତ୍ୱରେ ଦିନ ହେଉ କି ରାତି ଅଚାନକ ଚଢ଼ଉ ପାଇଁ ସଜବାଜ ହୋଉଥିବା ସ୍ଥଳେ ବାଲି ମାଫିଆଙ୍କୁ ତଳିଆ କର୍ମଚାରୀ ଜଣାଇ ଦିଅନ୍ତି ବୋଲି ସହରରେ ଆଲୋଚନା ହେଉଛି । ଯାହାଫଳରେ ବାଲି ମାଫିଆ ବେପାରର ଗତିପଥକୁ ବଦଳାଇ ଦେଇଛନ୍ତି । ବାଲି ମାଫିଆ ଦିନ ବେଳେ ପଣସା, ବିନ୍ଧାଣ, ମୋକେଇପୁର, ଆଙ୍କୁଲା, ମେଡିକାଲ କଲେଜର ପଛପଟେ, କେନାଲ ବନ୍ଧ ଆରପଟେ ବୈତରଣୀ ନଦୀ ପଠାରୁ ବାଲି ନେଉଥିବାରୁ ତାହା ବିରାଟ ଖାଲ ହୋଇ ରହୁଥିବା ବେଳେ କିଛି ବି ଦୁର୍ଘଟଣା ଘଟିପାରେ ବୋଲି ନଦୀ କୁଳରେ ବସବାସ କରୁଥିବା ଲୋକମାନେ କୁହନ୍ତି । ଏବେ ବାଲି ମାଫିଆ ମାନେ ନଦୀ ଗର୍ଭରୁ ବାଲି ତାଢିବା ଆରମ୍ଭ କରୁଥିବା ବେଳେ ନଦୀ କୂଳରେ ବସବାସ କରୁଥିବା ଆଦିବାସୀ ଜଳ ପାଇଁ ବହୁ ସମସ୍ୟା ଦେଖାଦେଉଥିବା ଅଭିଯୋଗ ହେଉଛି । କାରଣ ବାଲି ନଦୀର ଜଳସ୍ତରକୁ ବାନ୍ଧି ରଖୁଥିବା ବେଳେ ଅତ୍ୟଧିକ ଚୋରା ବାଲି ଉଠାଣ ଯୋଗୁଁ ଭୂତଳ ଜଳସ୍ତର ଧିରେ ଧିରେ ବିପଦ ସଂକେତ ଆଡ଼କୁ ଯାଉଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଯାଜପୁର ସହରବାସୀ କହିବୁଲୁଛନ୍ତି । ପ୍ରାୟେ ସମୟରେ ସହର ମଧ୍ୟରେ ବାଲି ମାଫିଆ ମାନଙ୍କ ଦ୍ୱାରା ନିୟୋଜିତ ନାବାଳକ ଡ୍ରାଇଭର ମାନଙ୍କୁ ନିଜର ଅର୍ଥ ରୋଜଗାରର ଲୋଭରେ ଟ୍ରାକ୍ଟର ଓ ହାଇବା ଗାଡ଼ି ଗୁଡ଼ିକ ବାଲି ଓ ମାଟି ପରିବହନ ପାଇଁ ନାବାଳକ ଚଲାଇବାକୁ ଦେଉଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଜନିତ କାରଣରୁ ନିରିହ ଜନସାଧାରଣ ମାନଙ୍କ ଅମୂଲ୍ୟ ଜୀବନ ଅକାଳରେ ଯାଉଥିବା ବେଳେ ବହୁ ସୁନାର ଘର ସଂସାର ଉଜୁଡି ଯାଉଥିବା ଦେଖାଯାଏ । ବାଲି ମାଫିଆ ଏବେ ଏକ ନୂଆ କୈାଉଶଳ ଆପଣାଇଛନ୍ତି । ଅନୁସୂଚିତ ଜାତି ଓ ଜନଜାତିର ପିଲାମାନଙ୍କୁ ଟ୍ରାକ୍ଟର ଓ ହାଇବା ଡ୍ରାଇଭର ନିଯୁକ୍ତି ଦେଉଛନ୍ତି । କୈାଣସି କାରଣବସତ ଏହି ଚୋରା ବାଲି ମାଫିଆଙ୍କ ଟ୍ରାକ୍ଟର ଓ ହାୱାଆ ଗାଡ଼ି ଗୁଡ଼ିକ କୁ ଗ୍ରାମର କୈାଣସି ଲୋକମାନେ ଅବରୋଧ କଲେ, ଏମାନେ ଥାନାରେ ମିଥ୍ୟା (ଜାତିଆଣ)କେସ୍ ଦେଇ ଏମାନଙ୍କ ଉପରେ ଆରୋପ ଲଗାଇବା ସହିତ ବହୁ ହଇରାଣ ହରକତ୍ କରୁଛନ୍ତି । ଜିଲ୍ଲା ପ୍ରଶାସନର ଛାତି ଉପରେ ବେଧଡକ ଚୋରା ବାଲି ଟ୍ରାକ୍ଟର ଓ ହାଇବା ଚାଲିଛି । ଏଥିପାଇଁ ସହରବାସୀ ଚିନ୍ତାପ୍ରକଟ କରୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ଏମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।