ଆଠ ଦିନ ବିତିଲାଣି : ସିସି ଫୁଟେଜରେ ଦେଖାଯାଉଛି; ପୁଲିସ ପାଇଁ ଅପହଞ୍ଚ
ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: ଅନ୍ଧାର ରାତିରେ ରାଜପଥରୁ ହେଉଛି ବାସୁଆ ଏବଂ ଗୋ-ସଂପଦ ଚୋରି । ସିସି ଫୁଟେଜରେ ଚୋରି ଚିତ୍ର କଏଦ ହୋଇଛି । ହେଲେ ପୁଲିସ ଚୋରଙ୍କ ପାଖରେ ପହଞ୍ଚିପାରୁନି । ରାଜପଥ ଗୋ-ମାଫିଆଙ୍କ ପାଇଁ ଗୋ ଚାଲାଣର କରିଡ଼ର ପାଲଟିଥିବା ବେଳେ ଅନ୍ଧାର ରାତିରେ ଛୋଟବଡ଼ ଗାଡ଼ିରେ ଚରାବୁଲା କରୁଥିବା ଷଣ୍ଢ ଓ ଗୋରୁ ବୋଝେଇ କରି ନେବା ଘଟଣା ବି ଆରାମରେ ଘଟିଚାଲିଛି । ଆମେ କହୁଛୁ ୧୬ ଓ ୨୦ନଂ ରାତୀୟ ରାଜପଥକୁ ସଂଯୋଗ କରୁଥିବା ପାଣିକୋଇଲି ବଜାରର କଥା । ଯାଜପୁର ଜିଲାର ମଧ୍ୟମ ସ୍ଥଳପାଣିକୋଇଲି ସବୁ ବେଳେ ଚଳଚଞ୍ଚଳ । ୪ଦିଗୁ ରହିଛି ଗମନା ଗମନର ସୁବିଧା । ହେଲେ ଢିଲା ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କାରଣରୁ ଗୋଚାଲାଣ ଏବଂ ଷଣ୍ଢ ଭଳି ଗୋମାତା ଓ ବାସୁଆ ଚୋରି ହେବାରେ ଲାଗିଛି । ଆଠ ଦିନ ତଳେ ଗୋଟାଏ ବୋଲେରୋରେ ୪ଜଣ ଯୁବକ ପାଣିକୋଇଲି ଛକ ନିକଟରୁ ଏକ ଷଣ୍ଢକୁ ଦଉଡିରେ ବାନ୍ଧି ବୋଲେରୋ ପଛପଟେ ପୁରାଇ ଜବରଦସ୍ତ ନେଇ ଚମ୍ପଟ ମାରିଥିଲେ । ଯାହାର ସିସିଟିଭି ଫୁଟେଜ ଉପଲବ୍ଧ ଥିଲେ ହେଁ ଚୋରକୁ ଚିହ୍ନଟ କି ଗାଡ଼ିକୁ ଠାବ କରିପାରିନି ପୁଲିସ । ପୁଲିସ ସବୁ ଦେଖି ନଦଖିଲା ପରି ନୀରବ ରହୁଥିବାର ହେଉଛି ଅଭିଯୋଗ । ମାସକ ପୂର୍ବରୁ ୨୦ ରୁ ୩୦ଷଣ୍ଢ ବୁଲୁଥିବା ବେଳେ ଏବେ କିନ୍ତୁ ୪ ରୁ ୫ଟି ଷଣ୍ଢ ବୁଲୁଛନ୍ତି । ଆଉ ସବୁ ଚାଲାଣ ହୋଇଯାଇଥିବାର ଆଶଙ୍କା କରାଯାଉଛି । ଏହି ଚୋରିକୁ ରୋକିବା ପାଇଁ ପୁଲିସ ପାଟ୍ରୋଲିଂକୁ କଢ଼ା କାଢି କରିବା ସହ ସିସି ଫୁଟେଜରେ ରହିଥିବା ଚିତ୍ରକୁ ଅନୁଧ୍ୟାନ କରି ଚୋରକୁ ଗିରଫ କରିବାକୁ ସାଧାରଣରେ ଦୃଢଦାବି କରାଯାଇଛି ।