୨୫ରୁ ଆମେରିକାକୁ ଡାକସେବା ବନ୍ଦ
ନୂଆଦିଲ୍ଲୀ: ଆମେରିକାର ୫୦ ପ୍ରତିଶତ ଶୁଳ୍କ ବୃଦ୍ଧିକୁ ନେଇ ଭାରତର ଡାକ ବିଭାଗ ବଡ ନିଷ୍ପତ୍ତି ନେଇଛି । ଏଣିକି ଡାକରେ ଆମେରିକାକୁ ପାର୍ସଲ ପଠାଇବା କଷ୍ଟକର ହୋଇପଡ଼ିବ । କାରଣ ଭାରତର ଡାକ ବିଭାଗ ଆସନ୍ତା ୨୫ ତାରିଖରୁ ଆମେରିକାକୁ ଡାକ ସେବାକୁ ଅସ୍ଥାୟୀ ଭାବରେ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।
ଆମେରିକା ସରକାରଙ୍କ ଦ୍ୱାରା ସମ୍ପ୍ରତି ଜାରି ହୋଇଥିବା କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶ ନମ୍ବର ୧୪୩୨୪ ଯୋଗୁଁ ଏହି ପଦକ୍ଷେପ ନିଆଯାଇଛି । ଏହି ନିଦେ୍ର୍ଦଶ ଅନୁଯାୟୀ, ଆସନ୍ତା ୨୯ ତାରିଖରୁ ୮୦୦ ଡଲାର ପର୍ଯ୍ୟନ୍ତ ସାମଗ୍ରୀ ଉପରେ ଶୁଳ୍କମୁକ୍ତ ଛାଡ଼କୁ ଉଚ୍ଛେଦ କରାଯାଇଛି । ବର୍ତ୍ତମାନ ଆମେରିକାକୁ ପଠାଯାଉଥିବା ସମସ୍ତ ଜିନିଷ ଉପରେ କଷ୍ଟମ୍ ଶୁଳ୍କ ଲାଗୁ ହେବ । ତଥାପି ୧୦୦ ଡଲାର ପର୍ଯ୍ୟନ୍ତ ଉପହାର ସାମଗ୍ରୀ ଓ ଚିଠି / ଡକୁ୍ୟମେଣ୍ଟ ପୂର୍ବ ପରି ଗ୍ରହଣ କରାଯିବ । ଆମେରିକା କଷ୍ଟମ୍ସ ଓ ସୀମା ସୁରକ୍ଷା (ସିବିପି) କିଛି ନିଦେ୍ର୍ଦଶାବଳୀ ଜାରି କରିଛି, କିନ୍ତୁ ଶୁଳ୍କ ସଂଗ୍ରହ ଓ ଅନ୍ୟାନ୍ୟ ବୈଷୟିକ ପ୍ରକ୍ରିୟା ସମ୍ପର୍କରେ ଏପର୍ଯ୍ୟନ୍ତ କିଛିି ସ୍ପଷ୍ଟ ହୋଇନାହିଁ । ଏହି କାରଣରୁ ବିମାନ କମ୍ପାନୀଗୁଡ଼ିକ ଅଗଷ୍ଟ ୨୫ ତାରିଖରୁ ଆମେରିକାକୁ ପାର୍ସଲ ଓ ଅନ୍ୟାନ୍ୟ ସାମଗ୍ରୀ ପଠାଇବାକୁ ମନା କରିଦେଇଛନ୍ତି । ତେଣୁ ଇଣ୍ଡିଆ ପୋଷ୍ଟ ଆସନ୍ତା ୨୫ ତାରିଖ ଠାରୁ ଆମେରିକା ପାଇଁ ସମସ୍ତ ପ୍ରକାରର ଜିନିଷର ବୁକିଂ ସ୍ଥଗିତ ରଖିଛି । କେବଳ ୧୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ମୂଲ୍ୟର ଚିଠି, ଡକୁ୍ୟମେଣ୍ଟ ଏବଂ ଉପହାର ସାମଗ୍ରୀ ବ୍ୟତୀତ । ଡାକ ବିଭାଗ କହିଛି ଯେ ଯେଉଁ ଗ୍ରାହକମାନେ ପୂର୍ବରୁ ପଠାଯାଇ ପାରୁନଥିବା ପାର୍ସଲ ବୁକ୍ କରିଛନ୍ତି ସେମାନେ ଡାକ ଫେରସ୍ତ ଦାବି କରିପାରିବେ । ଡାକ ବିଭାଗ ଗ୍ରାହକମାନଙ୍କୁ ହେଉଥିବା ଅସୁବିଧା ପାଇଁ ଗଭୀର ଭାବରେ ଦୁଃଖ ପ୍ରକାଶ କରିଛି । ଆଶ୍ୱାସନା ଦେଇଛି ଯେ ଯଥାଶୀଘ୍ର ଆମେରିକାକୁ ପୂର୍ଣ୍ଣ ସେବା ପୁନଃ ଆରମ୍ଭ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି ।