୨୯ ମାଓବାଦୀଙ୍କ ଆତ୍ମସମର୍ପଣ 

୨୯ ମାଓବାଦୀଙ୍କ ଆତ୍ମସମର୍ପଣ 

ରାୟପୁର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କଣ୍ଟ ଯେତିକି ପାଖେଇ ଆସୁଛି ଛତିଶଗଡରେ ଲାଲ ବାହିନୀର ଗଡ ସେତିକି ପରିମାଣରେ ଭୁଶୁଡିବାର ଲାଗିଛି । ଆଜି ପୁଣି ଛତିଶଗଡ଼ର ସୁକମା ଜିଲ୍ଲାରେ ୨୯ ଜଣ ମାଓବାଦୀ ପୁଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି । ସୁକମା ପୁଲିସ ଅଧୀକ୍ଷକ କିରଣ ଚୌହ୍ୱାନ କହିଛନ୍ତି ଯେ, ନିଷିଦ୍ଧ ସିପିଆଇ (ମାଓବାଦୀ)ର ସମ୍ମୁଖ ଶାଖାର ସଦସ୍ୟ ଭାବରେ ସକ୍ରିୟ ଥିବା ଏହି କ୍ୟାଡରମାନେ "ପୁନା ମାର୍ଗେମ’  ପଦକ୍ଷେପ ଅଧୀନରେ ଏଠାରେ ବରିଷ୍ଠ ପୁଲିସ ଓ ସିଆରପିଏଫ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି ।


  ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ପୁନର୍ବାସ ନୀତିରେ ସେମାନେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଗୋଗୁଣ୍ଡା ଅଞ୍ଚଳର ଦଣ୍ଡକାରଣ୍ୟ ଆଦିବାସୀ କିଷାନ ମଜଦୁର ସଂଗଠନ (ଡିଏକେଏମଏସ - ମାଓବାଦୀଙ୍କ ସମ୍ମୁଖ ଶାଖା)ର ମୁଖ୍ୟ ପୋଡିଅମ ବୁଧ୍ରାଙ୍କ ମୁଣ୍ଡରେ ୨ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଅନ୍ୟ କ୍ୟାଡରମାନେ ମାଓବାଦୀଙ୍କ ଡିଏକେଏମଏସ, ମିଲିସିଆ ଓ ଜନତନା ସରକାର ଶାଖାର ସଦସ୍ୟ ଥିଲେ । ଗୋଗୁଣ୍ଡା ଅଞ୍ଚଳରେ ଏକ ସୁରକ୍ଷା ଶିବିର ପ୍ରତିଷ୍ଠା ସମ୍ପ୍ରତି ଆତ୍ମସମର୍ପଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଶ୍ରୀ ଚୌହ୍ୱାନ କହିଛନ୍ତି ଯେ ଶିବିର ସ୍ଥାପନ ପରେ ତୀବ୍ର ନକ୍ସଲ ବିରୋଧୀ ଅଭିଯାନ, ନିରନ୍ତର ଚାପ ଓ ନିରନ୍ତର ସନ୍ଧାନ ଅଭିଯାନ ଏହି ଅଞ୍ଚଳରେ ମାଓ କାର୍ଯ୍ୟକଳାପକୁ ଯଥେଷ୍ଟ ହ୍ରାସ କରିଛି । କଠିନ ଓ ଦୂରବର୍ତ୍ତୀ ଭୂଖଣ୍ଡ ହେତୁ ଗୋଗୁଣ୍ଡା ଅଞ୍ଚଳକୁ ପୂର୍ବରୁ ମାଓବାଦୀଙ୍କ ଦରଭା ଡିଭିଜନ ପାଇଁ ଏକ ନିରାପଦ ଓ ରଣନୈତିକ ଆଧାର ଭାବରେ ବିବେଚନା କରାଯାଉଥିଲା । ଜାନୁଆରି ୮ରେ ପଡୋଶୀ ଦାନ୍ତେୱାଡା ଜିଲ୍ଲାରେ ୬୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ୭ରେ ସୁକମାରେ ୨୬ ଜଣ କ୍ୟାଡର ମାଓବାଦୀ ହିଂସା ପରିହାର କରି ସମାଜର ମୁଖ୍ୟଧାରାରେ ସାମିଲ ହୋଇଥିଲେ । ୨୦୨୫ ରେ ରାଜ୍ୟରେ ୧,୫୦୦ ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କେନ୍ଦ୍ର ଚଳିତ ବର୍ଷ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ନକ୍ସଲବାଦକୁ ଦୂର କରିବାକୁ ସଂକଳ୍ପ ନେଇଛି ।