୩ ମୋବାଇଲ ଲୁଟେରା ଗିରଫ
ପୁରୀ : ସମୁଦ୍ରକୂଳରୁ ମୋବାଇଲ ଫୋନ୍ ଚୋରାଇ ନେଇଥିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୁମ୍ଭାରପଡ଼ା ଥାନା ବାଲିକୁଦ ରାମଚଣ୍ଡୀ ସାହିର ସ୍ୱର୍ଗତ ଲକ୍ଷ୍ମୀକ୍ଷର ମହାପାତ୍ରଙ୍କ ପୁଅ ବିଷ୍ଣୁ ମହାପାତ୍ର, ପୁରୀ ସଦର ଥାନା ନୂଆପଡ଼ାର ସ୍ୱର୍ଗତ ଈଶ୍ୱର ଚନ୍ଦ୍ର ମିଶ୍ରଙ୍କ ପୁଅ ଅଶୋକ କୁମାର ମିଶ୍ର (୩୧) ଏବଂ ପୁରୀ ଜିଲ୍ଳା ରାମଚଣ୍ଡୀ ଥାନା ପୋଡ଼ତରା ଗ୍ରାମର ପଦ୍ମଚରଣ ସାହୁଙ୍କ ପୁଅ ବିଷ୍ଣୁଚରଣ ସାହୁ ଓରଫ ଗେଡ଼ୁ (୩୫) । ପୋଲିସ ସୂତ୍ରରୁ ପ୍ରକାଶ ଯେ ବଲାଙ୍ଗୀର ଜିଲ୍ଳା ରୁଇସିଂହାର ସାର୍ଥକ କୁମାର ବିଶ୍ୱାଳ ନାମକ ଜଣେ ଯୁବକ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସି ୨୬ତାରିଖ ଦିନ ସମୁଦ୍ରରେ ଗାଧଉଥିବା ବେଳେ ଅଭିଯୁକ୍ତମାନେ ତାଙ୍କ ଫୋନ୍କୁ ଝାମ୍ପି ନେଇ ଦୌଡ଼ି ପଳାଇଥିଲେ । ସାର୍ଥକ ସେମାନଙ୍କୁ ବାଧା ଦେବାରୁ ସେମାନେ ତାଙ୍କୁ ଧକ୍କା ମାରି ତଳେ ପକାଇ ଦେଇଥିଲେ । ତେବେ ପାଟିତୁଣ୍ଡ ଶୁଣି ଚକ୍ରତୀର୍ଥ ବ୍ୟବସାୟୀ ସଂଘର ସଭ୍ୟମାନେ ସେମାନଙ୍କୁ ଧରି ମୋବାଇଲଟି ଉଦ୍ଧାର କରିଥିଲେ । ସେମାନଙ୍କୁ ଥାନାକୁ ଅଣାଯାଇ ଗିରଫ କରାଯାଇଥିଲା । ଅଭିଯୁକ୍ତମାନେ ବହୁ ଅପରାଧିକ ମାମଲାରେ ସଂଶ୍ଲିଷ୍ଟ ଓ ସେମାନଙ୍କ ଠାରୁ ୭ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ସେମାନଙ୍କୁ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ୱାନ୍ଙ୍କ ନିକଟରେ ହାଜର କରାଯାଇଥିଲା । ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତମାନେ ବହୁ ଅପରାଧିକ ମାମଲାରେ ସଂପୃକ୍ତ । ସେମାନଙ୍କ ମଧ୍ୟରୁ ବିଷ୍ଣୁ ମହାପାତ୍ର ବିରୋଧରେ କୁମ୍ଭାରପଡ଼ା ଓ ତାଳବଣିଆ ଥାନାରେ ୭ଟି ମାମଲା ଥିବା ବେଳେ ବିଷ୍ଣୁଚରଣ ଓରଫ ଗେଡ଼ୁ ବିରୋଧରେ କୋଣାର୍କ, ପୁରୀ ସଦର, ,କୁମ୍ଭାରପଡ଼ା ଓ ରାମଚଣ୍ଡୀ ଥାନାରେ ୧୦ଟି ମାମଲା ରହିଛି । ସେହିପରି ଅଶୋକ ବିରୋଧରେ କୋଣାର୍କ, ପୁରୀ ସଦର, ଟାଉନ ଓ କୁମ୍ଭାରପଡ଼ା ଥାନାରେ ୬ଟି ମାମଲା ରହିଛି । ଏମାନଙ୍କ ବିରୋଧରେ ସମୁଦ୍ରକୂଳ ଥାନାରେ ବିଏନ୍ଏସ୍ର ୩୦୯(୬) ଓ ୩(୫) ଦଫାରେ ୧୦୩/୨୦୨୫ ନମ୍ବର ମାମଲା ରୁଜୁ ହୋଇଛି ।