୧୫ ବର୍ଷରେ ୩୮ ହଜାର ଭିନ୍ନକ୍ଷମ ଚିହ୍ନଟ ; ୧୦ହଜାର ସରକାରୀ ସହାୟତାରୁ ବଞ୍ଚିତ
ଆଜି ଭିନ୍ନକ୍ଷମ ଦିବସ
ଯାଜପୁର : ଆଜି ଡ଼ିସେମ୍ବର ୩ ତାରିଖ ବିଶ୍ୱ ଭିନ୍ନକ୍ଷମ ଦିବସ । ଦେଶ, ରାଜ୍ୟ ଏବଂ ଜିଲାସ୍ତରରେ ଦିବସ ଧୁମଧାମରେ ପାଳନ କରାଯିବ । ଦିବସରେ ସରକାରୀ କଳ ଏବଂ ସରକାରୀ ଦଳ ଭିନ୍ନକ୍ଷମଙ୍କ ପାଇଁ ସରକାରଙ୍କ ପକ୍ଷରୁ କ’ଣ କ’ଣ ପଦକ୍ଷେପ ନିଆଯାଇଛି ଏବଂ କ’ଣ ନିଆଯିବାକୁ ପରିକଳ୍ପନା କରାଯାଉଛି ତାହା ବଖାଣିବେ । କିନ୍ତୁ ବାସ୍ତବରେ କ’ଣ ଭିନ୍ନକ୍ଷମ ସମସ୍ତ ସରକାରୀ ସୁବଧା ପାଇପାରୁଛନ୍ତି? । କିନ୍ତୁ ତଥ୍ୟ କହୁଛି, ସମସ୍ତ ଭିନ୍ନକ୍ଷମ ପାଖରେ ପହଁଚିପାରୁନି ସରକାରୀ ସୁବିଧା ସୁଯୋଗ । ଯାଜପୁର ଜିଲାରେ କେତେ ଭିନ୍ନକ୍ଷମ ଅବସ୍ଥାନ କରୁଛନ୍ତି, ତାହାର ଚିହ୍ନଟ ପ୍ରକ୍ରିୟା ୨୦୧୧ ମସିହାରେ ଆରମ୍ଭ ହୋଇଥିଲା । ଜିଲାର ସୁକିନ୍ଦା, ଦାନଗଦୀ, କୋରେଇ, ବିଞ୍ଝାରପୁର, ଦଶରଥପୁର, ଯାଜପୁର, ବରୀ, ରସୁଲପୁର, ଧର୍ମଶାଳା ଏବଂ ବଡ଼ଚଣା ପ୍ରଭୂତି ବ୍ଲକ ମାନଙ୍କରେ ଭିନ୍ନକ୍ଷମ ଚିହ୍ନଟ ଶିବିର ଆୟୋଜନ କରାଯାଇଥିଲା ।
ପ୍ରତିବର୍ଷ କ୍ରମାନ୍ୱୟରେ ଚିହ୍ନଟ ପ୍ରକ୍ରିୟା ଜିଲା ସ୍ୱାସ୍ଥ୍ୟ ବିଭାଗ ଆୟୋଜନରେ କରାଯାଉଛି, ପ୍ରତି ବ୍ଲକରୁ ହଜାର ହଜାର ଶିବିରରେ ସାମିଲ ହୋଇ ନିଜର ପରୀକ୍ଷା ନିରିକ୍ଷା କରାଉଛନ୍ତି । ଶିବିରରେ କିଏ କେତେ ପ୍ରତିଶତ ଭିନ୍ନକ୍ଷମ, ତାହାର ପ୍ରମାଣପତ୍ର ବଣ୍ଟନ କରାଯାଉଛି । ଯଦି ଜିଲା ବିଭାଗ କାର୍ଯ୍ୟାଳୟରେ ଉପଲବ୍ଧ ତଥ୍ୟକୁ ଧରିବା, ତେବେ ଜିଲାରେ ୩୭ହଜାର ୯୦୭ଜଣ ଭିନ୍ନକ୍ଷମ ରହିଛନ୍ତି । ଯାହା ଯଥେଷ୍ଟ ଅଧିକ ହେବ । କାରଣରୁ ପ୍ରତି ଶିବିରରୁ ଅନେକ ନିରାଶ ହୋଇ ଫେରିଥାନ୍ତି କିମ୍ବା ଭୁଲ ପରୀକ୍ଷା ନିରିକ୍ଷାରୁ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହୋଇଥାନ୍ତି । ଭିନ୍ନକ୍ଷମ ଉତଥାନ ପାଇଁ କାର୍ଯ୍ୟ କରୁଥିବା ମଣ୍ଟୁ ଦାସଙ୍କ ହିସାବ ମତେ ଜିଲାରେ ୫୦ହଜାର ଭିନ୍ନକ୍ଷମ ରହିଛନ୍ତି । ଯାହା ଅନୁଧ୍ୟାନ ସାପେକ୍ଷ । କିନ୍ତୁ ଯଦି ସରକାରୀ ବା ଜିଲା ପ୍ରଶାସନ ତଥ୍ୟକୁ ସତ୍ୟ ବୋଲି ଧରାଯାଏ, ତେବେ ବି ସମସ୍ତ ଭିନ୍ନକ୍ଷମ ସରକାରୀ ସୁବିଧା ବା ସହାୟତାରୁ ବଞ୍ଚିତ ରହିଛନ୍ତି । ବିଭାଗ ତଥ୍ୟ କହୁଛି, ଜିଲାରେ ୩୭ହଜାର ୯ଶହରୁ ଅଧିକ ଭିନ୍ନକ୍ଷମ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮ହଜାର ୨୧୪ ଜଣଙ୍କୁ ସରକାରୀ ସହାୟତା ଅର୍ଥ ବା ଭତାରୁ ବଞ୍ଚିତ ରହିଛନ୍ତି । ଏହା ହେଉଛି ବିଭାଗ ତଥ୍ୟ । ଏଣୁ ପ୍ରଶ୍ନ ଉଠୁଛି, ଯଦି ଭିନ୍ନକ୍ଷମ ଚିହ୍ନଟ କରାଗଲା, ତେବେ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବାରେ କାଳକ୍ଷେପଣ ନୀତି କାହିଁକି ? । କେବଳ ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର, ଟ୍ରାଇସାଇକଲ, ଶ୍ରବଣଯନ୍ତ୍ର ମାନ ଦେଇ କାର୍ଯ୍ୟ ସରିଗଲା ବୋଲି ଧରିନେବା ଠିକ୍ ନୁହେଁ । ଭିନ୍ନକ୍ଷମଙ୍କୁ ଡ଼ିଆରଆଇ ଋଣ, ଆବାସ୍, ମାଗଣାରେ ଭୋକେସନାଲ ଟ୍ରେନିଂ, ଶିକ୍ଷା, ଦାରିଦ୍ରମୁକ୍ତ ଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଏହା ହେଲେ ଯାଇ ଦିବସ ପାଳନ ଯଥାର୍ଥ ବୋଲି କୁହାଯାଇପାରିବ ।