୪ ବର୍ଷ ପରେବି ଭୂଇଁରୁ ଉଠୁପାରୁନି ବିଜୁସେତୁ : ମାଟି ମିଶ୍ରିତ ବାଲିଗୋଡ଼ିରେ ନିର୍ମାଣ ହେଉଛି ପୋଲ
କାଳିଆପାଣି : କାଳିଆପାଣି ଓ ଚିଙ୍ଗୁଡ଼ିପାଳ ପଞ୍ଚାୟତକୁ ସଂଯୋଗ କରିବା ନିମନ୍ତେ ଡମଶାଳ ନାଳ ଉପରେ ଦୀର୍ଘ ୪ ବର୍ଷ ହେଲା ଏକ ବିଜୁସେତୁ ନିର୍ମାଣ ଚାଲିଛି । କିନ୍ତୁ ଏବେଯାଏ ଉକ୍ତ ପୋଲଟି କେବଳ ମାଟି ତଳେ ହିଁ ରହିଛି । ଏହି ପୋଲ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁଁ ପ୍ରତିଦିନ ଶହଶହ ଲୋକ ଏକ ବିପଦ ସଂକୁଳ ଝୁଲନ୍ତା ଲୁହା ଖୁଣ୍ଟ ଉପରେ ଚଳପ୍ରଚଳ କରିବାକୁ ବାଧ୍ୟ ହେଉଛନ୍ତି ଏବଂ ପ୍ରତିଦିନ ଏଠାରେ କେହି ନା କେହି ବାଟୋଇ ଝୁଲନ୍ତା ପୋଲ ତଳକୁ ଖସି ଖଣ୍ଡିଆ ଖାବରା ହେଉଥିବାର ନଜିର ରହିଛି । ପୋଲଟି ନିର୍ମାଣ କରିବାରେ ବିଭାଗୀୟ ଅଧିକାରୀ ଏବଂ ଠିକାଦାର କାହିଁକି ଅହେତୁକ ବିଳମ୍ବ କରୁଛନ୍ତି ତାହା ସ୍ଥାନୀୟ ବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି । ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ବାଲି, ସିମେଣ୍ଟ ଓ ଚିପ୍ସ ଅତ୍ୟନ୍ତ ନିମ୍ନ ମାନର ହୋଇଥିବା ବେଳେ ମାଟି କାଦୁଅ ମିଶ୍ରିତ ବାଲି ଓ ଚିପ୍ସ ନିର୍ମାଣ କାର୍ଯ୍ୟରେ ବ୍ୟବହାର ହେଉଥିବା ଯୋଗୁଁ ଏହାର ସ୍ଥୟୀତ୍ୱ ପ୍ରତି ପ୍ରଶ୍ନ ବାଚି ସୃଷ୍ଟି ହୋଇଛି । ଯଦି ପୋଲ ନିର୍ମାଣର ମୂଳଦୁଆ ମଜବୁତ ନହୋଇ ଅପମିଶ୍ରିତ ବାଲିଗୋଡିରେ ଏହା ନିର୍ମାଣ କରାଯାଏ ତେବେ ଭବିଷ୍ୟତରେ ଦୁର୍ଘଟଣା ଘଟିବା ନିଶ୍ଚିତପ୍ରାୟ ଏବଂ କେତେ ବେଳେ ପୋଲଟି ଗଳିପଡିବ ତାହା କିଏ କହିବ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହି ବିଜୁ ସେତୁ ନିର୍ମାଣ କାର୍ଯ୍ୟ ଦୀର୍ଘ ୪ ବର୍ଷ ଠାରୁ ଚାଲିଥିଲେ ସୁଦ୍ଧା ଏଠାରେ କୌଣସି ସୂଚନା ଫଳକ ନାହିଁ କିମ୍ବା ବିଭାଗୀୟ ଅଧିକାରି ଏଠାକୁ ଆସନ୍ତିନି । ଜନସାଧାରଣଙ୍କ ଯାତାୟାତ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥୁବା ବେଳେ ବିଭାଗୀୟ ଅଧିକାରିଙ୍କ ଖାମ ଖିଆଲି ନିତି ଯୋଗୁଁ ତାହା ମାଟିରେ ମିଶିଲାଣି । ସରକାରଙ୍କର କୋଟି କୋଟି ଟଙ୍କା ମାଟିରେ ମିଶିବା ପୂର୍ବରୁ ଏହାର ତୁରନ୍ତ ତଦନ୍ତ କରାଯାଇ ଠିକାଦାର ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ପୋଲ କାର୍ଯ୍ୟକୁ ଶିଘ୍ର ଶେଷ କରିବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି । ସୂଚନା ଥାଉକି ତତ୍କାଳୀନ ସୁକିନ୍ଦା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ସ୍ଥାନୀୟ ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ଖଣି ଅଞ୍ଚଳରେ ଥିବା ଡମଶାଳ ନାଳ ଉପରେ ମୋଟ ୪ଟି ବିଜୁସେତୁ ନିର୍ମାଣ କରିବାକୁ ଅନୁମୋଦିତ କରାଇଥିଲେ । ଯାହା ଏବେ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ଲେଉଟିଆ କିଆରୀ ସଦୃଶ୍ୟ ହୋଇଛି ।