୬ରୁ ଏସଏସଆଇ ପକ୍ଷରୁ ଜାତୀୟ କ୍ରୀଡ଼ା ଉକ୍ରର୍ଷ : ସମ୍ମାନିତ ହେବେ ୧୬ଜଣ ଆଇକନ୍‌

୬ରୁ ଏସଏସଆଇ ପକ୍ଷରୁ ଜାତୀୟ କ୍ରୀଡ଼ା ଉକ୍ରର୍ଷ : ସମ୍ମାନିତ ହେବେ ୧୬ଜଣ ଆଇକନ୍‌

ଭୁବନେଶ୍ୱର : କ୍ରୀଡା ବିଜ୍ଞାନ ଓ କ୍ରୀଡା ପ୍ରୋତ୍ସାହନ ସଂସ୍ଥା ଏସଏସ୍‌ଆଇ ଭୁବନେଶ୍ୱରରେ ଭାରତୀୟ କ୍ରୀଡାକୁ ନେଇ ଏକ ଉଲ୍ଲେଖନୀୟ ଉତ୍ସବ ପାଳନ କରିବାକୁ ଯାଉଛି  । ଡ.ସାର୍ଥକ ପଟ୍ଟନାୟକ ଏବଂ ସୌମ୍ୟ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ଏସ୍‌ଏସ୍‌ଆଇ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଗାମୀ ଡିସେମ୍ବର ୬ ତାରିଖରେ ଏସଏସ୍‌ଆଇ ସ୍ପୋର୍ଟସ୍‌ ନ୍ୟାସନାଲ ଆୱାର୍ଡସ୍‌ ଏବଂ ଡିସେମ୍ବର ୭ ତାରିଖରେ ଲାଇଫ୍‌ ହୋଟେଲରେ ସ୍ପୋର୍ଟସ୍‌ ସାଇନ୍ସ କନ୍‌କ୍ଲେଭ ଭଳି ଦୁଇଟି ପ୍ରମୁଖ ଜାତୀୟ କାର୍ଯ୍ୟକ୍ରମ ଆୟୋଜନ କରୁଛି । ପୁରସ୍କାର ପ୍ରଦାନ ସମାରୋହକୁ ଓଡିଶାର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କ୍ରୀଡା ସଚିବ ସଚିନ ରାମଚନ୍ଦ୍ର ଯାଦବ ଏବଂ ଅତିରିକ୍ତ ଡିଜି ତଥା ପରିବହନ କମିଶନର ଅମିତାଭ ଠାକୁର ଉଦ୍‌ଘାଟନ କରିବେ । ସମ୍ମାନିତ ହେବାକୁ ଥିବା ପ୍ରମୁଖ କ୍ରୀଡା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଭାରତୀୟ ଆଇସ୍‌ ହକି ଟିମ୍‌ ଅନ୍ତର୍ଭୁକ୍ତ । ଏଥିସହିତ ବ୍ୟାଡମିଣ୍ଟନ ପ୍ରତିଭା ଆୟୁଷ ସେଟ୍ଟି, ଆଇକନିକ୍‌ ସଟ୍‌-ପୁଟର୍‌, ଟ୍ରିପଲ ଅଲିମ୍ପିଆନ୍‌, ସନ୍ତରଣକାରୀ ସଜନ ପ୍ରକାଶ, ଟେବଲ ଟେନିସ୍‌ ଚେହେରା ଅଚାନ୍ତ ଶରଥ କମଲ ଏବଂ ଜାତୀୟ ରେକର୍ଡଧାରୀ ହର୍ଡଲର ଜ୍ୟୋତି ୟାରାଜୀ ପ୍ରମୁଖ ମଧ୍ୟ ସମ୍ମାନିତ ହେବେ । ଏସଏସ୍‌ଆଇ କର୍ଣ୍ଣ ପୁରସ୍କାର ବୀରତ୍ୱ, ଲକ୍ଷ୍ୟବଦ୍ଧତା ଏବଂ କ୍ରୀଡାରେ ଉତ୍ସାହର ପ୍ରତୀକ ଭାବରେ ପୈାରାଣିକ ଯୋଦ୍ଧାଙ୍କ ଅନୁସାରେ ନାମିତ କରାଯାଇଛି ଏବଂ ଏହା ଏକାଧିକ ପ୍ରମୁଖ ବିଭାଗରେ ପ୍ରଦାନ କରାଯିବ । ମିଲ୍‌ଖା ସିଂ ସ୍ପ୍ରିଣ୍ଟ ଆୱାର୍ଡ କିମ୍ବଦନ୍ତୀ ଧାବକଙ୍କ ପରିବାର ନିକଟରୁ ଯଥାଯଥ ଅନୁମତି ମିଳିବା ପରେ ପ୍ରଦାନ କରାଯାଉଛି । ଏହି କାର୍ଯ୍ୟକ୍ରମଗୁଡିକର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ଡ.ସାର୍ଥକ ପଟ୍ଟନାୟକ କହିଥିଲେ, “ଏସଏସ୍‌ଆଇ ସ୍ପେର୍ଟସ୍‌ ନ୍ୟାସନାଲ ଆୱାର୍ଡସ୍‌ ଏବଂ ସ୍ପୋର୍ଟସ୍‌ ସାଇନ୍ସ କନକ୍ଲେଭ ଭଳି କାର୍ଯ୍ୟକ୍ରମ ଭାରତରେ କ୍ରୀଡା ଓ କ୍ରୀଡା ବିଜ୍ଞାନ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ନିତାନ୍ତ ଜରୁରୀ  ।