ଚାମ୍ପିଅନ୍ସ ଟ୍ରଫି: ବର୍ଷା ବାଧକ ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ ବାତିଲ

ରାୱଲପିଣ୍ଡି:  ବର୍ଷା ସାଜିଲା ବାଧକ । ଫଳରେ ପାକିସ୍ତାନ୍ର ରାୱଲପିଣ୍ଡି ଠାରେ ଆଜି ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହେବାକୁ ଥିବା ପାକିସ୍ତାନ୍ ଓ ବାଂଲାଦେଶ ମ୍ୟାଚ୍କୁ ଶେଷରେ ବାତିଲ କରାଯାଇଛି । ଅପରାହ୍ଣରେ ପ୍ରବଳ ବର୍ଷା ଯୋଗୁ ଉଭୟ ଦଳ ମଧ୍ୟରେ ଟସ୍ ମଧ୍ୟ ପଡ଼ିପାରି ନ ଥିଲା । ବର୍ଷା ଯୋଗୁ ପିଚ୍କୁ ଜରିପାଲ ଦ୍ୱାରା ଢଙ୍କା ଯାଇଥିଲେ ମଧ୍ୟ ସମୟ ଅତିବାହିତ ହୋଇ ଯାଇଥିବାରୁ ପ୍ରାୟ ୪ଟା ବେଳକୁ ମ୍ୟାଚ୍କୁ ବାତିଲ କରାଯାଇଥିଲା । ଏହାରି ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ସାଜିଥିବା ନିଜେ ପାକିସ୍ତାନ୍ ତିନୋଟି ମ୍ୟାଚ୍ ମଧ୍ୟରୁ ଗୋଟିଏ ବି ଜିତି ନ ପାରି କାନମୁଣ୍ଡା ଆଉଁଷି ଟ୍ରଫିରୁ ବିଦା ହୋଇଛି । ଆଉ ନିଜ ମାଟିରେ ହିଁ ଆଜି ଦଳ ନିଜ ଲୋକଙ୍କ ଆକ୍ରୋଶର ଶିକାର ହେଉଛି ।
ସେପଟେ ମ୍ୟାଚ୍ ବାତିଲ ହେବା ଯୋଗୁଁ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଥିଲେ ମଧ୍ୟ ରିଜୱାନଙ୍କ ଦଳ ଗ୍ରୁପ-ଏରେ ସଭା ଶେଷ ସ୍ଥାନରେ ରହିଛି । ସେହିପରି ବାଂଲାଦେଶ ପାକ୍ ଠାରୁ ଉପରକୁ ତୃତୀୟ ସ୍ଥାନରେ ରହିଥିବା ବେଳେ ଗ୍ରୁପ୍-ଏରୁ ଭାରତ ଏବଂ ନୁ୍ୟଜିଲାଣ୍ଡ ସେମିଫାଇନାଲ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତେବେ ବାଂଲାଦେଶ ତିନୋଟି ମ୍ୟାଚ୍ରୁ ଦୁଇଟି ମ୍ୟାଚ୍ରେ ପରାଜୟ ଏବଂ ଗୋଟିଏ ଡ୍ର ପରେ ଗୋଟିଏ ପଏଣ୍ଟ ସହିତ -୦.୪୪ ନେଟ୍ ରନ୍ ରେଟ୍ରେ ପଏଣ୍ଟ ଟେବୁଲ୍ର ତୃତୀୟ ସ୍ଥାନରେ ଅବସ୍ଥାପିତ କରିଛି । ସେହିପରି ପାକିସ୍ତାନ -୧.୦୯ ନେଟ୍ ରନ୍ ରେଟ୍ ସହିତ ଚତୁର୍ଥ ସ୍ଥାନରେ ରହିଛି । ନୁ୍ୟଜିଲ୍ୟାଣ୍ଡ ଏବଂ ଭାରତ ବିପକ୍ଷରେ ପାକିସ୍ତାନ ଦୁଇଟି ମ୍ୟାଚ୍ ଖେଳିଥିବା ବେଳେ ଦୁଇଟି ଯାକ ମ୍ୟାଚ୍ରେ ସେ ପରାଜୟ ହୋଇଛି । ବାଂଲାଦେଶ ମଧ୍ୟ ଏହି ଦୁଇ ଦଳ (ଭାରତ, ନୁ୍ୟଜିଲାଣ୍ଡ୍) ବିପକ୍ଷରେ ପରାସ୍ତ ହୋଇଛି । ଏହାରି ମଧ୍ୟରେ ଭାରତ ଦୁଇଟି ମ୍ୟାଚ୍ ଖେଳି ବିଜୟୀ ହୋଇଥିବା ବେଳେ ଆସନ୍ତା ମାର୍ଚ୍ଚ ୨ରେ ନୁ୍ୟଜିଲାଣ୍ଡ୍ ସହିତ ମୁହାଁମୁହିଁ ହେବ ।