୬୬୨ ବର୍ଗ ମହାବିଦ୍ୟାଳୟ ସଂଘର ଧାରଣା ଓ ଦାବିପତ୍ର 

 କେନ୍ଦୁଝର : ବୁଧବାର କେନ୍ଦୁଝର ଜିଲ୍ଲା ୬୬୨ ବର୍ଗ (ଯୁକ୍ତ ୨ ଓ ଯୁକ୍ତ ୩) ମହାବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସଂଘର ଅଧ୍ୟାପକ ଓ କର୍ମଚାରୀମାନେ ଜିଲ୍ଲାପାଳଙ୍କ ସମ୍ମୁଖରେ ଧାରଣା ଦେଇ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ବର୍ଗର ଅଧ୍ୟାପକ ଓ କର୍ମଚାରୀମାନେ ରାଜ୍ୟର ପ୍ରାୟ ୭୦ ଭାଗ ବିଦ୍ୟାର୍ଥୀଙ୍କୁ ଉଚ୍ଚ ଶିକ୍ଷା ପ୍ରଦାନ କରିଥାନ୍ତି । ମାତ୍ର ପରିତାପର ବିଷୟ ଯେ ବିଭିନ୍ନ ସମୟରେ ଏହି ବର୍ଗର ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାର ଅବହେଳା କରି ଆସୁଛନ୍ତି । ପେନସନ୍ ଓ ଚାକିରୀ ସର୍ତ୍ତାବଳୀ ବିହୀନ ଏହି କର୍ମଚାରୀମାନେ ୩୦/୩୫ ବର୍ଷ ସେବା କରି ଖାଲି ହାତରେ ଅବସର ଗ୍ରହଣ କରୁଛନ୍ତି । ଏହି ବର୍ଗର ଅଧ୍ୟାପକ ଓ କର୍ମଚାରୀଙ୍କ ମୁଖ୍ୟ ଦାବି ହେଉଛି ସମସ୍ତ ଚାକିରୀ ସର୍ତ୍ତାବଳୀ ସହିତ ପେନସନ ପ୍ରଦାନ କରିବା । ଗତ ସରକାର ଏମାନଙ୍କ ଦାବିକୁ ବିଚାର କରି ବାରମ୍ବାର ସମାଧାନର ପ୍ରତିଶୃତି ଦେଇ ପ୍ରବର୍ତ୍ତନା କରିଥିଲେ । ବର୍ତ୍ତମାନର ସରକାରଙ୍କୁ ମଧ୍ୟ ଏକ ବର୍ଷ ଧରି ସଂଘ ତରଫରୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ କରି ରାଜ୍ୟ ସଂଗଠନର ଆହ୍ୱାନକ୍ରମେ କେନ୍ଦୁଝର ଜିଲ୍ଲା ସଭାପତି ସତ୍ୟନାରାୟଣ ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ନରେନ୍ଦ୍ର ଶତପଥି, ସଂଗ୍ରାମ କେଶରୀ ବେହେରା, ଅଶୋକ କୁମାର ସାହୁ, ପ୍ରକାଶ କୁମାର ଆଚାର୍ଯ୍ୟ, ନାରାୟଣ ସାହୁ, ହିମାଂଶୁ ଶେଖର ମହାନ୍ତ, ତୁଳସୀ ଚରଣ ମହାନ୍ତ, ସ୍ମୃତି ବାନାର୍ଜୀ, ନିରୁପମା ଦାସ, ଏଲିନା ନାୟକ, ଅମୀୟ ସାମନ୍ତରା, ପରେଶ ଧର, ସନ୍ତୋଷ କୁମାର ସେଠୀ ପ୍ରମୁଖ ଅଧ୍ୟାପକ ଓ କର୍ମଚାରୀ ଯୋଗଦେଇ ଦେଇଥିଲେ ।