ୱାକ୍ଫ କମ୍ପନ : ନବୀନଙ୍କ ନାଲିଆଖି ଭୟ; ବରିଷ୍ଠଙ୍କ ପାଟି ଖୋଲିଲାନି
ଭୁବନେଶ୍ୱର : ୱାକଫ ବିଲ୍କୁ ବିଜେଡ଼ିର ସମର୍ଥନ ନେଇ ଶଙ୍ଖ ଭବନରେ ବରିଷ୍ଠ ନେତାମାନେ ବେଶ୍ ତୁମ୍ବିତୋଫାନ କରିଥିଲେ । ସଭାପତି ବିରୋଧ କରିବାକୁ କହିଥିଲେବି ସାଂସଦମାନେ ଏମିତି କେମିତି କଲେ ? ନିଷ୍ପତ୍ତି ବଦଳିଲା କେମିତି ? ଏହା ପଛରେ ଡିଲ୍ ହୋଇଛି ? ସଭାପତିଙ୍କୁ ଦେଖା କରି ଏକଥା ପଚାରିବୁ । ଏମିତି ଅନେକ କଥା ବରିଷ୍ଠ ନେତାମାନେ କହିଥିଲେ । ମଧ୍ୟାହ୍ନରେ ଟାଇଁ ଟାଇଁ ଖରା ଭଳି ଟାଅାଁସିଆ କଥା କହୁଥିବା ନେତାମାନେ କିନ୍ତୁ ସଂଜରେ ଝାଉଁଳି ଯାଇଥିଲେ । ସଞ୍ଜ ନଇଁଲେ ଯେମିତି ସବୁକିଛି କାଲୁଆ ହୋଇପଡେ଼ ଠିକ୍ ସେମିତି ନବୀନ ନିବାସ ଯିବା ପରେ ବିଜେଡ଼ି ନେତାଙ୍କ ବଚନ ବାହାରି ନଥିଲା । ଅନେକ ବିଜେଡ଼ି ନେତା କିଛି ନକହି ଖାଲି ଚୁପ୍ ହୋଇ ଶୁଣିଥିଲେ । ୱାକଫ ବିଲରେ ଦଳର ଆଭିମୁଖ୍ୟ ସଂକ୍ରାନ୍ତରେ ଗଣମାଧ୍ୟମକୁ କହିଥିବାରୁ ନବୀନ ବିରକ୍ତ ହୋଇଥିବା ଜାଣିବାକୁ ମିଳିଛି । ବିଜେଡ଼ିରେ ପାଣ୍ଡିଆନ୍ ଓ ନବୀନଙ୍କ ବିନା ପତ୍ରଟେ ବି ହଲେନି । ସସ୍ମିତ ପାତ୍ର ଏମିତି ଟାଣୁଆ ନେତା ନୁହଁନ୍ତିଯେ, ପାଣ୍ଡିଆନଙ୍କ ପରାମର୍ଶ ବିନା ସେ ଏକ୍ସରେ ପୋଷ୍ଟ କରିଥିବେ । ସବୁ ଜାଣିଶୁଣି ବରିଷ୍ଠ ନେତାମାନେ କିନ୍ତୁ ଟିଭି ଆଗରେ ଏମିତି କହିଲେଯେ, ସତେଯେମିତି ଆଜି ସେମାନେ ନବୀନଙ୍କ ଆଗରେ ଠିଆହୋଇ ପ୍ରଶ୍ନ କରିବେ । ହେଲେ ନବୀନଙ୍କ ନାଲି ଆଖି ବରିଷ୍ଠ ନେତାମାନେ ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ ବୋଲି ଜାଣିବାକୁ ମିଳିଛି ।