‘ଜୀବନାନୁଭୂତି’-ଏକ ସିଂହାବଲୋକନ
ତପନ କୁମାର ଶତପଥୀ :
ଇତ୍ୟବସରରେ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କର ସଦ୍ୟ ପ୍ରକାଶିତ ଗ୍ରନ୍ଥ ‘ଜୀବନାନୁଭୂତି’ ଅଗଷ୍ଟ ୧୫, ୨୦୨୫ରିଖରେ କଟକ ଶତାବ୍ଦୀ ଭବନଠାରେ ପାଠକାର୍ପଣ ହୋଇଯାଇଛି । ଏହି ବହିରେ ମୋଟ ଏକଶତଟି ପ୍ରବନ୍ଧ ସ୍ଥାନିତ । ପ୍ରବନ୍ଧ ଗୁଡିକ କ୍ରମାନ୍ୱୟରେ ପ୍ରତି ରବିବାର ‘ସୂର୍ଯ୍ୟପ୍ରଭା’ ଦୈନିକ ଖବରକାଗଜରେ ସାପ୍ତାହିକ ସ୍ତମ୍ଭ ଆକାରରେ ଗତ ଦୁଇବର୍ଷ ଧରି ନିୟମିତ ପ୍ରକାଶିତ ହେଉଥିଲା ଓ ଏଗୁଡିକ ବହୁଳ ପାଠକୀୟ ଆଦୃତି ଲାଭ କରିଥିଲା । ଯଦିଓ ବହିଟିର ଶୀର୍ଷକ ‘ଜୀବନାନୁଭୂତି’- ଏହା ବାସ୍ତବରେ ସମ୍ୟକ୍ ଆତ୍ମଜୀବନୀ ଓ ବିସ୍ତୃତ ଭାବରେ ପ୍ରଜ୍ଞାଦୀପ୍ତ ପ୍ରସଙ୍ଗ ଭିତ୍ତିକ ଆଲୋଚନା । ଯେଉଁ ବିଷୟ ଯେଉଁ ସ୍ଥାନରେ ଆଲୋଚନା ପ୍ରସଙ୍ଗକୁ ଆସିଛି, ତାହାକୁ ଲେଖକ ଅନ୍ତର୍ଯ୍ୟାମୀ ମିଶ୍ର ସ୍ୱକୀୟ ଦିବ୍ୟାନୁଭୂତିର ସ୍ପର୍ଶରେ ତାହାକୁ ବିଶ୍ଲେଷଣ କରି ତା’ର ନାନ୍ଦନିକ ମହତ୍ତ୍ୱକୁ ପ୍ରତିପାଦନ କରିବାକୁ ତତ୍ପର ହୋଇଛନ୍ତି । ଏହାକୁ ବାସ୍ତବରେ ଲେଖକଙ୍କ ପ୍ରୌଢ ଜୀବନର ସାଧନସିଦ୍ଧ ଅନୁଭୂତି ମାଳା କହିଲେ ଅତୁ୍ୟକ୍ତି ହେବ ନାହିଁ । ବିଷୟ ଗୁଡିକର ବ୍ୟାପକତାକୁ ବିଚାର କରି ଓ ଆଧାର କରି ଏହି ଗ୍ରନ୍ଥରେ ସନ୍ନିବେଶିତ ବିଷୟ ଗୁଡିକୁ ମୁଖ୍ୟତଃ ନିମ୍ନୋକ୍ତ ମତେ ବିଭାଗୀକରଣ କରି ଆଲୋଚନା କରାଯାଇଛି । ପ୍ରଥମତଃ ନିଜ ଜନ୍ମସ୍ଥାନ ଓ ଜୀବନୀ, ତତ୍ପରେ ତୀର୍ଥାଟନ, ଆଧ୍ୟାତ୍ମିକ ଜୀବନ, ଢେଙ୍କାନାଳର ଐତିହ୍ୟ, କଟକର ଐତିହ୍ୟ, ଗୁଣାତ୍ମକ ଶିକ୍ଷା, ଦେବାଦେବୀ ଓ ଦେବୋତ୍ତର, ଇତିହାସ ଓ ସଂସ୍କୃତି, ବେଦ ଓ ଉପନିଷଦ, ଭାରତୀୟ ଧର୍ମଧାରା, ଓଡ଼ିଆ ଭାଷା, ଜାତି ଓ ଜାତୀୟତା, ମୋ÷ଳିକ ଓଡ଼ିଆ ବ୍ୟାକରଣ, ଏବଂ ପରିଶେଷରେ ଶ୍ରୀଜଗନ୍ନାଥ ଦର୍ଶନ ଓ ସଂସ୍କୃତି ବିଷୟରେ ଏହି ଗ୍ରନ୍ଥରେ ପ୍ରାଞ୍ଜଳ ଓ ବିସ୍ତୃତ ତଥା ବିଶ୍ଲେଷଣାତ୍ମକ ଆଲୋଚନା ସନ୍ନିବେଶିତ ରହିଛି ।
ଲେଖକ ପଦ୍ମଶ୍ରୀ ପଣ୍ଡିତ ଡଃ ଅନ୍ତର୍ଯ୍ୟାମୀ ମିଶ୍ର ବହୁମୁଖୀ ପ୍ରତିଭାର ଅଧିକାରୀ । କେବଳ ସାରସ୍ୱତ ସାଧନା ନୁହେଁ, ତାଙ୍କ ବ୍ୟକ୍ତିତ୍ୱ ଅତ୍ୟନ୍ତ ଅସାଧାରଣ । ସେ ଜଣେ ପ୍ରତିଷ୍ଠିତ ସ୍ତମ୍ଭକାର, ପ୍ରାଚ୍ୟ ବିଦ୍ୟା ଗବେଷକ, ଭାଷାତତ୍ତ୍ୱର ଗବେଷଣା ବିଷାରଦ, ବେଦବେଦାନ୍ତ ପୁରାଣଶାସ୍ତ୍ରର ଆଧ୍ୟାତ୍ମିକ ପ୍ରବକ୍ତା, ତନ୍ତ୍ର, ଜ୍ୟୋତିଷ, ବାସ୍ତୁ ଇତ୍ୟାଦି ବିଷୟରେ ପ୍ରଥିତଯଶା ବ୍ୟକ୍ତିତ୍ୱ ଅଟନ୍ତି ।
ଗ୍ରନ୍ଥ ପ୍ରାରମ୍ଭରେ ସେ ତାଙ୍କ ଜନ୍ମମାଟି ମାର୍ଥାପୁର ଗ୍ରାମର ବର୍ଣ୍ଣନା କରିବାକୁ ଯାଇ ଏହାର ମହନୀୟତା ଉଲ୍ଲେଖ କରିଛନ୍ତି । ଗ୍ରାମର ଇଷ୍ଟ ଦେବତା ଶ୍ରୀ ବାଲୁଙ୍କେଶ୍ୱରଙ୍କ ଠାରୁ ଆରମ୍ଭ କରି ସମସ୍ତ ଦେବାଦେବୀ, ସେମାନଙ୍କ ଯାନି ଯାତ୍ରା ପର୍ବପର୍ବାଣୀ, ବିଭିନ୍ନ ଶତାବ୍ଦୀରେ ବ୍ରାହ୍ମଣୀ କିପରି ଦଶାର୍ଣ୍ଣ, ଶଙ୍ଖଜ୍ୟୋତି, ବ୍ରାହ୍ମୀ ଓ ବ୍ରାହ୍ମଣୀ ନାମିତ ହୋଇଛି ତାହା ବର୍ଣ୍ଣନା କରିଛନ୍ତି । ବେଦ ଭାଷ୍ୟକାର ସ୍କନ୍ଦ ସ୍ୱାମୀ ମହାରଥାପୁର (ମାର୍ଥାପୁର) ଗ୍ରାମର ଦାନ ଗ୍ରାହୀ ଓ ପ୍ରତିଷ୍ଠାତା । ସେ ସମୟରୁ ଏହି ଗ୍ରାମର ବିଦ୍ୱାନ ମଣ୍ଡଳୀ ନିଜର ପ୍ରଜ୍ଞାଦୀପ୍ତ ପ୍ରତିଭାରେ ଏ ଗ୍ରାମର ଗୋ÷ରବ ବୃଦ୍ଧି କରିଛନ୍ତି । ଲେଖକଙ୍କର ବିଭୁକୃପାଲବ୍ଧ ଜନ୍ମ, ବାଲ୍ୟାବସ୍ଥାରୁ ସଂସ୍କାର, ଶିକ୍ଷା ଗ୍ରହଣ ଓ ସାଧୁ ସନ୍ଥମାନଙ୍କର ସାନ୍ନିଧ୍ୟ ଲାଭ କଥା ପ୍ରସଙ୍ଗ କ୍ରମେ ବର୍ଣ୍ଣନା ରହିଛି । ନିଜ ଉପନୟନ ସହିତ ତାଙ୍କ ପିତାଙ୍କର ଆଧ୍ୟାତ୍ମିକତା, ସାମାଜିକ ଦୃଷ୍ଟିଭଙ୍ଗୀ ଓ ସ୍ୱାଧୀନତା ସଂଗ୍ରାମ ଜୀବନକୁ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରି ଏହା ତାଙ୍କ ଭବିଷ୍ୟତ ଜୀବନରେ କିପରି ସୁଦୂର ପ୍ରସାରୀ ପ୍ରଭାବ ପକାଇଥିଲା ତାହାର ବିଷଦ ବ୍ୟାଖ୍ୟା କରିଛନ୍ତି । ତାଙ୍କ ପିତା ସ୍ୱର୍ଗୀୟ ସତ୍ୟବାଦୀ ମିଶ୍ରଙ୍କ ଆଦର୍ଶ ଜୀବନଚର୍ଯ୍ୟାରେ ଲେଖକ ପଣ୍ଡିତ ଡଃ ମିଶ୍ର ଏତେ ମାତ୍ରାରେ ଉଦ୍ବୁଦ୍ଧ ଯେ ସେ ଏହି ସବୁ ଉଚ୍ଚ ମୂଲ୍ୟବୋଧ ଭିତ୍ତିକ ନୀତିଶିକ୍ଷା ଗୁଡିକୁ ସୁଦୀର୍ଘ ୭ଟି ଅଧ୍ୟାୟରେ ସନ୍ନିବିଷ୍ଟ କରିଛନ୍ତି । ନିଜ ଜନ୍ମଭୂମିର ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ ଜୀବନ ଶୈଳୀ ଯଥା, ଯଜ୍ଞ, ଯନ୍ତାଳ, ବନ୍ୟା, ଅଗ୍ନିକାଣ୍ଡ, ଭାଗବତ ଘର ଇତ୍ୟାଦିକୁ ବିଶ୍ଲେଷଣ କରି ସେ ସବୁର ସମକାଳୀନ ତାତ୍ପର୍ଯ୍ୟ ଓ ସର୍ବକାଳୀ ପ୍ରଭାବ ଉପରେ ନିଜର ସୁଚିନ୍ତିତ ଭାବନାକୁ ପରିପ୍ରକାଶ କରିଛନ୍ତି ।
ଲେଖକଙ୍କର ମୁଖ୍ୟତଃ ତାଙ୍କ ବାପାଙ୍କ ସାହଚର୍ଯ୍ୟରେ ତୀର୍ଥାଟନ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଯାହା ତାଙ୍କର ଜୀବନକୁ ମାର୍ଜିତ, ଋୁଦ୍ଧିବନ୍ତ, ଈଶ୍ୱର ବିଶ୍ୱାସୀ ଓ ଆଧ୍ୟାତ୍ମବାଦୀ ଭାବେ ଗଢି ତୋଳିଥିଲା । ମା ବିଦ୍ୟାଦାୟିନୀ ଶାରଳା, ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ସାଧନା ପୀଠ ଋଷିକେଶ, ଅଯୋଧ୍ୟା, ବାରାଣାସୀ, ସାରନାଥ ଇତ୍ୟାଦିକୁ ଅତି ସରଳ, ସାବଲୀଳ, ଦାର୍ଶନିକ ଦୃଷ୍ଟିରେ ପ୍ରଲେପ ଦେଇ ଅତି ଚମକ୍ରାର ବର୍ଣ୍ଣନା କରିଛନ୍ତି । ଲେଖକ ପଦ୍ମଶ୍ରୀ ଡଃ. ଅନ୍ତର୍ଯ୍ୟାମୀ ମିଶ୍ରଙ୍କର ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ତୀର୍ଥ ଯାତ୍ରା ଅଧ୍ୟାୟ ପାଠ କରି ମୁଁ ତାଙ୍କ ରଚିତ (୧) ପୁରୁଷୋତ୍ତମ ଜଗନ୍ନାଥ, (୨) ଦାରୁବ୍ରହ୍ମଙ୍କର ନବକଳେବର, (୩) ଶ୍ରୀଜଗନ୍ନାଥ ସ୍ୱାମୀ ବହି ଗୁଡିକର ସାରାଂଶ ପଢିଲା ପରି ଅନୁଭବ କଲି ।
ଏହି ତୀର୍ଥାଟନ ପ୍ରସଙ୍ଗ ବର୍ଣ୍ଣନାରେ ନିଜ ଜିଲ୍ଲା ଢେଙ୍କାନାଳର ପ୍ରମୁଖ କିଛି ତୀର୍ଥସ୍ଥାନ ଯଥା- ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଠାକୁରଙ୍କ କପିଳାସ ପୀଠ, ଏହି କପିଳାସ ପୀଠର ମଠ ମନ୍ଦିର, ଦେବାଦେବୀ ଓ ପର୍ବପର୍ବାଣୀକୁ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଛନ୍ତି । ଏହା ପାଠକଲା ସମୟରେ ମୋ ହୃଦୟରେ ତାଙ୍କ ରଚିତ, କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ (୪) ‘ପୁଣ୍ୟପୀଠ କପିଳାସ’ ଓ (୫) ‘ଶୈବଧାମ କପିଳାସ’ ସ୍ୱତଃ ଆନେ୍ଦାଳିତ ହେଲା । ତାଙ୍କ ବର୍ଣ୍ଣିତ ଯୋରନ୍ଦାର ମହିମାଗାଦି ଏବଂ ମହିମାଧର୍ମର ଉନ୍ମେଷ, ବିକାଶ ଓ ଇତିହାସ ଯେ କୋ÷ଣସି ପାଠକକୁ ବାନ୍ଧି ରଖିବ । ଏହି ସର୍ବ କନିଷ୍ଠ ବିଶ୍ୱଧର୍ମ କିପରି ଏହି ମାଟିରୁ ଅଙ୍କୁରୋଦଗମ ହୋଇ ମହାବୃକ୍ଷରେ ରୂପାନ୍ତରିତ ହୋଇଛି ଓ ସମାଜର ଦଳିତ ନିଷ୍ପେସିତ ବର୍ଗଙ୍କ ମନରେ ଆଶାର ସଞ୍ଚାର କରିଛି- ତାହାର ଏକ ମହତ୍ତର ବ୍ୟାଖ୍ୟା କରିଛନ୍ତି । ଏହାର ଝଲକ ତାଙ୍କ ରଚିତ ପ୍ରକାଶିତ ପୁସ୍ତକ (୬) ଢେଙ୍କାନାଳର ଐତିହ୍ୟ ଓ ସଂସ୍କୃତି, (୭) ଭାରତୀୟ ସଂସ୍କୃତି ଓ ଐତିହ୍ୟ, (୮) ଭାରତୀୟ ଧର୍ମ ଓ ସଂସ୍କୃତି ଇତ୍ୟାଦି ଗ୍ରନ୍ଥରେ ଅତ୍ୟନ୍ତ ଆକର୍ଷଣୀୟ ଭାବରେ ବର୍ଣ୍ଣନା କରିଛନ୍ତି । ସପ୍ତଶଯ୍ୟାର ଶ୍ରୀରାମଧାମ, ସେଠାରେ ମନ୍ଦିର ନିର୍ମାଣ, ପୂର୍ବରୁ ପ୍ରଚଳିତ ଆଧ୍ୟାତ୍ମିକ ଧାରା ଲେଖକଙ୍କୁ ଆକର୍ଷିତ କରିଛି । ଏହାକୁ ସେ ସାରସ୍ୱତ ରୂପ ଦେଇଛନ୍ତି । ଯଦିଓ ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ବହୁ ପ୍ରାଚୀନ, ବର୍ତ୍ତମାନ ଏହାର ନବ୍ୟ ଓ ଆଧୁନିକ ସଂସ୍କରଣ ଚାଲିଛି କହିଲେ ଅତୁ୍ୟକ୍ତି ହେବ ନାହିଁ । ଏହାକୁ ଲେଖକ ମର୍ମେ ମର୍ମେ ଉପଲବଧି କରି ସ୍ୱକୀୟ ଦୃଷ୍ଟିଭଙ୍ଗୀ ଓ ଏହି ଉପାସନା ପଦ୍ଧତିର ପ୍ରାଞ୍ଜଳ ସୂଚନା ଦେଇଛନ୍ତି । କଟକ ଲେଖକଙ୍କର ଶିକ୍ଷା କ୍ଷେତ୍ର । ତେଣୁ ଏହି ପ୍ରାଚୀନ ସଂସ୍କୃତି ସମ୍ପନ୍ନ, ଐତିହ୍ୟ ବିମଣ୍ଡିତ, ସାରସ୍ୱତ ଓ ଆଧ୍ୟାତ୍ମିକ ପ୍ରାଣକେନ୍ଦ୍ରର ପ୍ରତିଟି ଗାଥା ତାଙ୍କ କର୍ଣ୍ଣ ଗହ୍ୱରରେ ପ୍ରତିଧ୍ୱନିତ ହୋଇଛି ଓ ହୃଦୟରେ ସ୍ପନ୍ଦିତ ହୋଇଛି । ଏହି କ୍ରମରେ ତାଙ୍କ କଲେଜ ଶିକ୍ଷା, କଟକର ଦେବାଦେବୀ, ବାଲିଯାତ୍ରା, କଟକ ନଗରର ଇତିହାସ, ଜାତୀୟ ଆନେ୍ଦାଳନ ଓ ସ୍ୱାଧୀନତା ଆନେ୍ଦାଳନର ପ୍ରାଣ କେନ୍ଦ୍ର ରୂପେ କଟକର ଅବଦାନ, ସ୍ୱତନ୍ତ୍ର ଉକ୍ରଳ ପ୍ରଦେଶ ଗଠନରେ କଟକର ମାନସ ମନ୍ଥନ ତାଙ୍କ ଲେଖନୀରେ ଭବ୍ୟ ରୂପ ନେଇଛି ।
ଜୀବନକୁ ସୁଶୃଙ୍ଖଳିତ, ଜ୍ଞାନ ଦୀପ୍ତ, ମାନବୀୟ ଚେତନାର ଉଦ୍ବୁଦ୍ଧ କରିଥାଏ ଶିକ୍ଷା । ଏହି ଶିକ୍ଷା ଏତେ ବ୍ୟାପକ ଯେ ତା’ର କୋ÷ଣସି ସୀମା ସରହଦ ନଥାଏ । ଲେଖକଙ୍କର ଜୀବନରେ ସେପରି କିଛି ଘଟିଛି । ତେଣୁ ସେ ନିଜର ରାମାୟଣ ଶିକ୍ଷା, ସଂସ୍କୃତ ଭାଗବତ ଶିକ୍ଷା, ବେଦବେଦାନ୍ତ ଶିକ୍ଷା; ଋକବେଦ ସାମବେଦ ଯଜୁର୍ବେଦ ଓ ଅର୍ଥବ ବେଦାଧ୍ୟୟନ, ଉପନିଷଦ୍ ଅଧ୍ୟୟନ, ଶ୍ରୀଜଗନ୍ନାଥ ତତ୍ତ୍ୱ ଶିକ୍ଷା, ପ୍ରଭୃତିକୁ ସର୍ବାଧିକ ପ୍ରାଧାନ୍ୟ ଦେଇଛନ୍ତି । ଏହିସବୁ ଅଧ୍ୟାୟ ଗୁଡିକ ପାଠ କରି ତାଙ୍କ ଲେଖା- (୯) ଉପନିଷଦ ବିଚନାମୃତ, (୧୦) ଦିବ୍ୟ ବିଚନାମୃତ (୧୧) ପୁରାଣ ପରିଚୟ (୧୨) ଓଡ଼ିଶାରେ ତନ୍ତ୍ରଧାରା, (୧୩) ମୋ ଦୃଷ୍ଟିରେ ଓଡ଼ିଶା, (୧୪) ପ୍ରବନ୍ଧ ସୋ÷ରଭ ପ୍ରଭୃତି କେତେକ ସୁନିର୍ବାଚିତ ପୁସ୍ତକ ବିଷୟରେ ମୋର ମନେ ପଡିଲା । ପ୍ରତୀୟମାନ ହେଲା, ସତେ ଯେପରି ସେ ସବୁ ପୁସ୍ତକରେ ବର୍ଣ୍ଣିତ ଗୁରୁତ୍ୱପୂର୍ଣ୍ଣ କଥାବସ୍ତୁକୁ ପୁନଃ ସଂଯୋଜନ କରି ସେ ନିଜ ‘ଜୀବନାନୁଭୂତି’କୁ ପରିପୁଷ୍ଟ କରିଛନ୍ତି ।
ଲେଖକଙ୍କର ଭାଷ୍ୟଶିକ୍ଷା, ଲିପିତତ୍ତ୍ୱ ଶିକ୍ଷା, ପାଲି ଓ ପ୍ରାକୃତ ଭାଷା ଶିକ୍ଷା ସମସାମୟିକ ସମୟରେ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ମନେ ହୁଏ । ସେ ଏହି କ୍ଷେତ୍ରରେ ଉଚ୍ଚାଙ୍ଗ ବୁ୍ୟତ୍ପତ୍ତି ହାସଲ କରି ନିଜ ପ୍ରବୃଦ୍ଧ ଓ ପରିପକ୍ୱ ସମୟରେ ସାରସ୍ୱତ ସାଧନାର ଗତିପଥ ସତେ ଯେପରି ପରିବର୍ତ୍ତନ କରି ସେଥିରେ ନିଜକୁ ମହିମାମଣ୍ଡିତ କରି ପାରିଛନ୍ତି । ଏହି ଅଧ୍ୟାୟ ଗୁଡିକରେ ସେ ଓଡ଼ିଆ ଭାଷାର ଉତ୍ପତ୍ତି, ପ୍ରାଚୀନତା, ଲିପିତତ୍ତ୍ୱର କ୍ରମବିକାଶ, ଭାଷାର ଉକ୍ରର୍ଷ ସାଧନ, ବିଭିନ୍ନ ଶତାବ୍ଦୀରେ ରଚିତ କାଳଜୟୀ, ଲେଖା ସମୂହର ଅନ୍ତର୍ନିହିତ ସାରସ୍ୱତ ସୋ÷ରଭକୁ ନିଜସ୍ୱ ଶୈଳୀରେ ବର୍ଣ୍ଣନା କରିଛନ୍ତି । ଏପରିକି ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ରୂପେ ମନୋନୀତ ହୋଇ ଭାରତ ସରକାରଙ୍କ ସ୍ୱତନ୍ତ୍ର ଗେଜେଟରେ ନିଦେ୍ର୍ଦଶନାମା ପ୍ରକାଶର ବର୍ଷକ ପୂର୍ବରୁ ତାଙ୍କ ବହି (୧୫) ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା’ ରାଜ୍ୟ ସରକାରଙ୍କ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ସଂସ୍ଥା ତରଫରୁ ପ୍ରକାଶିତ ହୋଇ ବିଦ୍ୱାନ ମଣ୍ଡଳୀଙ୍କ ଦ୍ୱାରା ବହୁ ପ୍ରଶଂସାର ଗୋ÷ରବ ହାସଲ କରିପାରିଥିଲା । ଓଡ଼ିଆ ଭାଷା ଓ ବ୍ୟାକରଣ ସମ୍ବନ୍ଧୀୟ ତାଙ୍କ ଗ୍ରନ୍ଥ ସମୂହ, ଯଥା- (୧୬) ଓଡ଼ିଆ ଭାଷା, ଜାତି ଓ ଜାତୀୟତା (୧୭) ଓଡ଼ିଆ ଭାଷାର ଇତିବୃତ୍ତ , (୧୮) ଓଡ଼ିଆ ଭାଷାର ଇତିହାସ, (୧୯) ମୋ÷ଳିକ ଓଡ଼ିଆ ଭାଷାତତ୍ତ୍ୱ (୨୦), ଭାଷାନୁଚିନ୍ତା, (୨୧) ମୋ÷ଳିକ ଓଡ଼ିଆ ବ୍ୟାକରଣ ଓଡ଼ିଆ ଭାଷା ପ୍ରେମୀ ବିଦ୍ୱାନ ସଂଗୋଷ୍ଠୀ ଦ୍ୱାରା ବିପୁଳ ସମାଦୃତ ହୋଇଛି ।
ଆମ ବିଦ୍ୱାନମାନଙ୍କ ମଧ୍ୟରେ ଆମେ ସାଧାରଣତଃ ଲକ୍ଷ୍ୟ କରିଥାଏ ଯେ, ଜଣେ ଜଣେ ଅତି ଉଚ୍ଚକୋଟିର ଲେଖକ । କିନ୍ତୁ ସେହିମାନେ ସେହିଭଳି ଦକ୍ଷତା ତାଙ୍କ ଭାଷଣରେ ହାସଲ କରିପାରିନାହାନ୍ତି । ସେହିପରି ବେଳେ ବେଳେ ଅନେକ କ୍ଷେତ୍ରରେ ଆମେ ଦେଖୁ ଯେ ବହୁ ଉଚ୍ଚକୋଟିର ପ୍ରଗଲ୍ଭ ବକ୍ତା ମଧ୍ୟ ନିଜ ଲେଖନୀୟ ଜୀବନରେ ଆଶାନୁରୂପ ସଫଳତା ପାଇପାରିନଥାନ୍ତି । ଏହି ଉଭୟ ରଚନାସିଦ୍ଧି ଲେଖକ ପଦ୍ମଶ୍ରୀ ପଣ୍ଡିତ ଡଃ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ କ୍ଷେତ୍ରରେ ଦେଖିବାକୁ ପାଉ । ଆଲୋଚନା ପ୍ରସଙ୍ଗରେ ଯେଉଁ ବିଷୟରେ ଯେତେବେଳେ ପଚାରିଦେଲେ ତତକ୍ଷଣାତ୍ ଏକ ସର୍ବୋତ୍ତମ ନିର୍ଭୁଲ ଉତ୍ତର ଆମେ ତାଙ୍କଠାରୁ ପାଇଥାଉ । ତେଣୁ ସେ ଯଥାର୍ଥରେ ଚଳନ୍ତି ଜ୍ଞାନକୋଷ(ଖସଙ୍ଖସଦ୍ଭଶ ଋଦ୍ଭମଚ୍ଚମକ୍ଷକ୍ଟକ୍ଟ୍ରବରୟସବ) ପର୍ଯ୍ୟାୟଭୁକ୍ତ । ଆମ ସମାଜ ତାଙ୍କ ଜ୍ଞାନ ଓ ଦକ୍ଷତାର ସ୍ୱୀକୃତି ସ୍ୱରୂପ ଲେଖକଙ୍କୁ ଯଥୋଚିତ ସମ୍ମାନ ପ୍ରଦାନ କରିଛି । ଖ୍ରୀ-୨୦୧୭ ମସିହାରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ (ବର୍ତ୍ତମାନ ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ) ତାଙ୍କୁ ସମ୍ମାନ ସୂଚକ ଡି.ଲିଟ୍ ଉପାଧି ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ଭାବରେ ପ୍ରତିପାଦନ କରିଥିବାରୁ ପ୍ରଦାନ କରିଛନ୍ତି । ଭାରତର ମହାମହିମ ରାଷ୍ଟ୍ରପତି ପ୍ରଥମ ଶାସ୍ତ୍ରୀୟ ଭାଷା ପୁରସ୍କାର ସ୍ୱରୂପ ପାଞ୍ଚଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ଖ୍ରୀ ୨୦୧୯ରେ । ସେହିପରି ଶିକ୍ଷା ଓ ସାରସ୍ୱତ ସାଧନାର ଉକ୍ରର୍ଷ ହାସଲ ନିମନ୍ତେ ଖ୍ରୀ-୨୦୨୩ରେ ମହିମହିମ ରାଷ୍ଟ୍ରପତି ଲେଖକଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି । ଏହା ବ୍ୟତୀତ ଅନ୍ୟାନ୍ୟ ବହୁତ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ଗବେଷଣା ପ୍ରତିଷ୍ଠାନ, ସାରସ୍ୱତ ସଂସ୍ଥା ଲେଖକଙ୍କର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମରେ ଦକ୍ଷତା ପ୍ରଦର୍ଶନ ନିମନ୍ତେ ସମ୍ବର୍ଦ୍ଧିତ କରିଛନ୍ତି ।ଏଭଳି ସମ୍ବର୍ଦ୍ଧନା/ସମ୍ମାନ ସଂଖ୍ୟା ତିନିଶହରୁ ଊଦ୍ଧ୍ୱର୍ । ଲେଖକଙ୍କର ଅଦ୍ୟାବଧି ୩୫ଟିରୁ ଅଧିକ ଗ୍ରନ୍ଥ ପ୍ରକାଶିତ ଓ ଅନ୍ୟ କିଛି ଗ୍ରନ୍ଥ ପ୍ରକାଶ ଅପେକ୍ଷାରେ । ଲେଖକଙ୍କର ସାମଗ୍ରିକ କୃତି ଓ ଜୀବନାଦର୍ଶ ଭବିଷ୍ୟତ ବଂଶଧରମାନଙ୍କୁ ଅବଶ୍ୟ ପ୍ରେରଣା ଯୋଗାଇବ ।
ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ
ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ମହିଷାପାଟ, ଏନଏଚବାଇପାସ
ଢେଙ୍କାନାଳ, ମୋ-୭୯୭୮୯୨୦୧୦୫