ତୁଷ୍ଟିକରଣର କୌଶଳ
ଏବେ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ଘଟଣା ଦେଖିବାକୁ ମିଳୁଛି । ତାହା ହେଲା ସରକାରୀ ବିଦ୍ୟାଳୟରେ ପାଠ ପଢ଼େଇବାକୁ ପିତାମାତାମାନେ ଚାହୁଁନଥିବା ବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ଚାହୁଁନାହାନ୍ତି । ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଘରୋଇ ବିଦ୍ୟାଳୟରେ ନାମ ଲେଖାଇବା ପରେ ଘରୋଇ ବିଦ୍ୟାଳୟଗୁଡ଼ିକ ବର୍ତ୍ତମାନ ଏକ ପ୍ରକାରର ଠକେଇର ଜାଲ ବିଛେଇଛନ୍ତି କହିଲେ ଭୁଲ୍ ହେବ ନାହିଁ । ଯେହେତୁ ମୋଟା ଅଙ୍କର ଟୁ୍ୟସନ୍ ଫି; ଡ଼ୋନେସନ୍ ଆଦି ନେଉଛନ୍ତି, ସେହେତୁ ଛାତ୍ରଛାତ୍ରୀମାନଙ୍କୁ ଏବଂ
ପିତାମାତାମାନଙ୍କୁ ସନ୍ତୁଷ୍ଟ କରାଇବା ଭଳି ପିଲାଙ୍କୁ ମାର୍କ ବା ନମ୍ବର ଦିଆଯାଉଛି । ପ୍ରକୃତରେ ପିଲାମାନଙ୍କର ଶତକଡ଼ା ୯୦ ଭାଗ ମାର୍କ ରଖିବାକୁ ଯୋଗ୍ୟତା ଅଛି କି ନାହିଁ ସେ ଉପରେ କାହାରି ଧ୍ୟାନ ନାହିଁ । ପ୍ରଥମ ଶ୍ରେଣୀରୁ ଘରୋଇ ବିଦ୍ୟାଳୟ ଗୁଡ଼ିକରେ ପିଲାମାନଙ୍କୁ କେତେକ କ୍ଷେତ୍ରରେ ଶତକଡ଼ା ଶହେ ପର୍ଯ୍ୟନ୍ତ ନମ୍ବର ଦେଇ ଦେଉଛନ୍ତି । ଏଭଳି ନମ୍ବରରେ ନିଜେ ଛାତ୍ରଛାତ୍ରୀ ଖୁସି ହେବା ସହିତ ପିତାମାତାମାନେ ମଧ୍ୟ ନିଜକୁ ଗର୍ବିତ ମନେ କରୁଛନ୍ତି । କିନ୍ତୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକରେ ବାରମ୍ବାର ବିଫଳ ହେଉଛନ୍ତି । ସେତେବେଳେ ଆଉ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କର ଶତକଡ଼ା ୯୦ରୁ ୯୯ ପର୍ଯ୍ୟନ୍ତ ଦିଆଯାଉଥିବା ନମ୍ବର ଆଉ କାମ କରୁନାହିଁ । ଯେହେତୁ ସେମାନେ ଲକ୍ଷ ଲକ୍ଷ ଟଙ୍କାର ଡ଼ୋନେସନ୍ ନାମଲେଖା ବେଳେ ନେଉଛନ୍ତି, ସେମାନଙ୍କର ପିଲା ପ୍ରକୃତରେ କେତେ ଶିଖିଲା ତାକୁ ପିତାମାତାମାନଙ୍କୁ ଦେଖାଇ ଏକ ତୁଷ୍ଟିକରଣର ଜାଲ ବିଛାଇ ଦେଉଛନ୍ତି । ଗୋଟିଏ ସରକାରୀ ବିଦ୍ୟାଳୟ ଖୋଲିବା ପାଇଁ ଯେଉଁ ଯେଉଁ ସର୍ବନିମ୍ନ ଆବଶ୍ୟକତା ଦରକାର, ହେଉଛି ଘରୋଇ ବିଦ୍ୟାଳୟଗୁଡ଼ିକରେ ସେସବୁ କିଛି ନାହିଁ । ପାଠପଢ଼ାକୁ ଛାଡ଼ି ଦେଲେ ଶାରୀରିକ ଦକ୍ଷତା ବୋଲି କିଛି ନାହିଁ । ରାସ୍ତାରେ ଚାଲି ଯାଉଥିବା ବେଳେ ଭୋକୁଥିବା କୁକୁର ହାବୁଡ଼ରୁ କିମ୍ବା ଗୋଡ଼େଇ ଆସୁଥିବା ଷଣ୍ଢ ମୁହଁରୁ ୫୦ ମିଟର ଦୌଡ଼ି ଯିବା ଭଳି ସାମର୍ଥ୍ୟ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଠାରେ ଅଛି କି ନାହିଁ, ତାହା ଆଜିକା ଦିନରେ ବିରାଟ ଏକ ପ୍ରଶ୍ନ । ଠିକ୍ ସେହିପରି ଶିକ୍ଷା ସହିତ
ଅନ୍ୟାନ୍ୟ ବିଷୟ ଗୁଡ଼ିକରେ ପିଲାମାନେ କେତେ ଦକ୍ଷ, ତାହା ମଧ୍ୟ ଦେଖିବା ଉଚିତ୍ । ଅନ୍ୟାନ୍ୟ ବିଷୟ କହିଲେ ଏକ୍ସଟ୍ରା କରିକୁଲାର୍ ଆକ୍ଟିଭିଟି । ସେସବୁ ପାଇଁ ପିଲା ସମୟ ଦେଉଛି କି ନାହିଁ ସେକଥା ପରିବାର ଲୋକେ ଜାଣୁଥିବେ । ତେବେ ଗୋଟିଏ ବଡ଼ କଥା ହେଲା ପିଲାମାନଙ୍କର ବୁଦ୍ଧିମତ୍ତାର ପ୍ରୟୋଗ ନିଜର ବୁଦ୍ଧିମତ୍ତାକୁ ପ୍ରୟୋଗ କରି ସେମାନେ କେତେଦୂର ଜୀବନରେ ନିଜର ଛୋଟବଡ଼ ସମସ୍ୟାଗୁଡ଼ିକୁ ଅତିକ୍ରମ କରିବେ, ତାହା ମଧ୍ୟ ଏକ ବଡ଼ ପ୍ରଶ୍ନବାଚୀ । ଘରେ ମୂଷା ଉପଦ୍ରବ କରିଲେ ବଜାରରୁ ଜନ୍ତାଟିଏ କିଣି ଆଣି ବସାଇ କେତେଜଣ ଏଥିରେ ସଫଳ ହେବେ ଏହାବି ଆଉ ଏକ ପ୍ରଶ୍ନବାଚୀ । ବର୍ତ୍ତମାନ ଘରୋଇ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର ବ୍ୟବସାୟ ଚାଲିଛି ବୋଲି କିଛି ଲୋକ ଅଭିଯୋଗ କରନ୍ତି । ଯେଉଁଭଳି ମୋଟା ଅଙ୍କର ଟଙ୍କା ନେଉଛନ୍ତି ସେହିଭଳି ଖୋଲା ହାତରେ ନମ୍ବର ମଧ୍ୟ ଦେଉଛନ୍ତି । ଏଭଳି ଏକ ତୁଷ୍ଟିକରଣ କୌଶଳର ପ୍ରୟୋଗ ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କୁ ହତାଶ କରିଦେବ ନାହିଁ ତ- ଏ ପ୍ରଶ୍ନର ଉତ୍ତର ବର୍ତ୍ତମାନ କିଏ ଦେବ? ଶତକଡ଼ା ୯୦ରୁ ୯୫ ଭାଗ ନମ୍ବର ରଖୁଥିବା ପିଲାଟିଏ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଯଦି ଫେଲ୍ ହୁଏ ତାହା ଠାରେ କି ପ୍ରକାରର ମାନସିକତା ଦେଖା ଦେବ ସେ ବିଷୟରେ ଅନେକ ଲୋକ ସନ୍ଦୀହାନ । ଏପରିକି ଏ ପ୍ରକାରର ପ୍ରଶ୍ନ ମନରେ ଉଠାଇବା ପାଇଁ ମଧ୍ୟ କିଛି ପିତାମାତା ପ୍ରସ୍ତୁତ ନାହାନ୍ତି । ସେ ଯାହା ବି ହେଉ ଏ ସମସ୍ତ ଜିନିଷର ଅନ୍ତିମ ପରିଣତି ପିଲାଟିଏ ହିଁ ଭୋଗିବ । ସେ ଝିଅ ହେଉ କି ପୁଅ ହେଉ ଘରୋଇ ବିଦ୍ୟାଳୟର ତୁଷ୍ଟିକରଣ କୌଶଳର ଶିକାର ନହୁଅନ୍ତୁ ।