ଶୃଣ୍ୟନ୍ତୁ ବିଶ୍ୱେ ଅମୃତସ୍ୟ ପୁତ୍ରାଃ

ଡ.ଉମେଶ ଚନ୍ଦ୍ର ପାତ୍ର : ପ୍ରତିବର୍ଷ ଡିସେମ୍ବର ୨୦ରେ ବିଶ୍ୱ ସ୍ତରରେ ପାଳନ କରାଯାଏ ଅନ୍ତର୍ଜାତୀୟ ମାନବ ଏକତା ଦିବସ । ଏକତାକୁ ଏକ ମୌଳିକ ଓ ବିଶ୍ୱ ମୂଲ୍ୟବୋଧ ଭାବେ ୨୦୦୫ରେ ଜାତିସଂଘ ଘୋଷଣା କରିଥିଲା । ବିଶ୍ୱସ୍ତରୀୟ ବିଷୟ ଓ ସମସ୍ୟା ଗୁ୍‌ଡ଼ିକୁ ମିଳିତ ଭାବେ ସାମ୍ନା କରିବା କେତେ ଗୁରୁତ୍ୱପୂର୍ଣ୍ଣ, ଏହି ଦିବସ ତାହା ଆମକୁ ମନେପକାଇଦିଏ । ବିଶ୍ୱରେ ବିକାଶ ଲକ୍ଷ୍ୟ ପୁରଣରେ ଏକତା ହିଁ ଏକମାତ୍ର ରାସ୍ତା । ବିଶ୍ୱର ସମସ୍ତ ସମସ୍ୟା ସମାଧାନର ଏକମାତ୍ର ପନ୍ଥା ଏକତା ବୋଲି ଜାତିସଂଘର ସାଧାରଣ ସଚିବ ଗୁରୁତ୍ୱାରୋପ କରିଛନ୍ତି । ବିଶ୍ୱବାସୀ ଗୋଟିଏ ପରିବାରର ସଦସ୍ୟ ଭାବେ କାର୍ଯ୍ୟ କରିବା ଉଚିତ, ଫଳରେ ବୃହତ୍‌ ଲକ୍ଷ୍ୟ ସାଧନ ସହଜ ହେବ । ତେଣୁ ପ୍ରତ୍ୟେକ ବ୍ୟକ୍ତି ପରସ୍ପରକୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବା ସହିତ ସମସ୍ତେ ଗୋଟିଏ ସମୁଦାୟର ବୋଲି ମନେକରିବା ଉଚିତ । ଦାରିଦ୍ର୍ୟ ଦୂରୀକରଣରେ ଏକତାର ମୂଲ୍ୟବୋଧ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ମଧ୍ୟ ଏହି ଦିବସର ଅନ୍ୟତମ ମୁଖ୍ୟ ଲକ୍ଷ୍ୟ । ଏ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ମେଳନ ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ ନୂଆ ପନ୍ଥା ବାହାର କରିବାକୁ ଲୋକଙ୍କୁ ଉତ୍ସାହିତ କରାଯାଏ । ଲ୍ୟାଣ୍ଡମାଇନ୍‌ଗୁଡ଼ିକୁ ନିଷିଦ୍ଧ କରିବା, ଲୋକଙ୍କୁ ସ୍ୱାସ୍ଥ୍ୟ ଓ ଚିକିତ୍ସା ଯୋଗାଇଦେବା, ପ୍ରାକୃତିକ କିମ୍ବା ମାନବକୃତ ବିପର୍ଯ୍ୟୟରେ ପୀଡ଼ିତ ବ୍ୟକ୍ତିଙ୍କୁ ଉପଶମ ବ୍ୟବସ୍ଥା, ଶିକ୍ଷା, ଆତଙ୍କବାଦ, ଦୁର୍ନୀତି ଓ ଦାରିଦ୍ର୍ୟ ବିରୋଧରେ ଲଢେ଼ଇ ଆଦି ପ୍ରମୁଖ ବିଷୟଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ଅଭିଯାନ ମାଧ୍ୟମରେ ପ୍ରୋତ୍ସାହିତ କରାଯାଏ ।


      ଉଦାର ଚିତ୍ତ ବ୍ୟକ୍ତି ନିମିତ୍ତ ଏ ସମ୍ପୂର୍ଣ୍ଣ ପୃଥିବୀ ଗୋଟିଏ କୁଟୁମ୍ବ ସଦୃଶ  । ଉଦାର ବ୍ୟକ୍ତି ମୋର, ତୋର ବୋଲି କହି ନଥାନ୍ତି । ତାଙ୍କର ଜୀବନ ପର ସେବାରେ ନିୟୋଜିତ ରହେ । ଯେପରି ବୃକ୍ଷରେ ଫଳ ଆସିଲେ ନଇଁ ପଡେ଼ ତାହା ଅନ୍ୟର ସ୍ୱାର୍ଥରେ ଲାଗିଥାଏ, ଉଦାରବ୍ୟକ୍ତି କେବଳ ଅନ୍ୟର କଲ୍ୟାଣ ନିମିତ୍ତ ଚେଷ୍ଟାକରନ୍ତି । ସାଧୁ ମହାମାନବ ଏବଂ ସଜ୍ଜନ ଗଣ ବୃକ୍ଷ ସଦୃଶ । ବୃକ୍ଷ ନିଜେ ବହୁ କଷ୍ଟ ସ୍ୱୀକାର କରି ଫଳ ଧରେ ସେହି ଫଳକୁ ନିଜେ ଖାଏନା, ଅନ୍ୟକୁ ଦିଏ । ସେମିତି ଉଦାର ବ୍ୟକ୍ତିମାନେ ନିଜେ କଷ୍ଟ ସହି ଅନ୍ୟର ଉପକାର କରିଥାନ୍ତି । ଯେପରି ଫଳିଥିବା ବୃକ୍ଷକୁ ପଥର ଫିଙ୍ଗିଲେ ସେ ପଥର ମାଡ ସହି ମଧ୍ୟ ଫଳଦାନ କରିଥାଏ, ହିଂସାର ଉତ୍ତର ହିଂସା ନୁହେଁ କ୍ଷମା । ପରାର୍ଥେ ପ୍ରାଜ୍ଞ ପ୍ରାଣ ଉତ୍ସୃଜେତ୍‌ । କ୍ଷମା ହେଉଛି ମହତ୍‌ ଲୋକର ଲକ୍ଷଣ । କ୍ଷମା ଅର୍ଥ ଦୁର୍ବଳତା ବା ଭୀରୁତା ନୁହେଁ, କ୍ଷମାର ଅର୍ଥ ଉଦାରତା ଏବଂ ସହିଷ୍ଣୁତା । ଉଦାର ମନୁଷ୍ୟ ନିମିତ୍ତ ଧନ, ବୀର ପୁରୁଷଙ୍କ ନିମିତ୍ତ ମୃତ୍ୟୁ, ବିରକ୍ତଙ୍କ ନିମିତ୍ତ ସ୍ତ୍ରୀ ଓ ନିଷ୍ପୃହଙ୍କ ନିମିତ୍ତ ସଂସାର ତୃଣ ସମାନ ବୋଧ ହୁଏ । ଅର୍ଥାତ୍‌ ଅତି ତୁଚ୍ଛ ଅଟେ । ଉଦାର ବ୍ୟକ୍ତି ପରର ନିନ୍ଦାକୁ ମୁକ, ପରଦୋଷ ଦେଖିବାରେ ଅନ୍ଧ, ଚୁଗୁଲି କରିବାରେ ବଧିର ଭଳି ହୋଇଥାଆନ୍ତି । ଚନ୍ଦନ ବୃକ୍ଷକୁ କୁରାଢ଼ିରେ କାଟିଲେ ଯେପିର କାଟିବା ଯନ୍ତ୍ରକୁ ସେ ବାସ ବିତରଣ କରେ ବରଂ ବାରଣ କରେ ନାହିଁ ଯେ ମୋତେ କାଟିଛି ୟାକୁ ବାସ୍ନା ଦେବି ନାହିଁ, ସେହିପରି ଉଦାର ବ୍ୟକ୍ତିର ଅହିତ କରୁଥିବା ଲୋକକୁ କ୍ଷମାପ୍ରଦାନ କରନ୍ତି ଏବଂ ଭଲ ପାଇଥାଆନ୍ତି । ଯେପରି ଦାନବୀର କର୍ଣ୍ଣ ଜାଣିଥିଲେ କୁଣ୍ଡଳଟି ଚାଲିଗଲେ ମୃତ୍ୟୁ ସୁନିଶ୍ଚିତ ତଥାପି ନିଜର କୁଣ୍ଡଳକୁ, ଦାନ କରିଛନ୍ତି । ସେହିପରି ଶିବିରାଜା ଗୋଟିଏ ପକ୍ଷୀକୁ ବଞ୍ଚାଇବାକୁ ଯାଇ ନିଜର ମାଂସକୁ ମଧ୍ୟ ପ୍ରଦାନ କରିଥିଲେ । ଦେବତାମାନଙ୍କ ଦୁର୍ଦ୍ଦଶାକୁ ଦୂର କରିବାକୁ ଦଧିଚୀ ଋଷି ନିଜର ଶରୀରକୁ ତିଳ ତିଳ କରି କ୍ଷୟ କରିଥିଲେ ଏବଂ ନିଜର ଅସ୍ଥିକୁ ସମଗ୍ର ଜଗତ ପାଇଁ ଦାନ କରିଥିଲେ । ଯେଉଁ ଅସ୍ଥିରୁ ଜୀମୂତ ବାହନ ଇନ୍ଦ୍ରଙ୍କ ବଜ୍ରନିର୍ମିତ ହୋଇଥିଲା । ସାରା ସଂସାରରେ ମହାତ୍ମାଙ୍କ ନିକଟରେ କିଛି ଅଦେୟ ନଥାଏ ।


    ଲୋଭୀ ଲୋକ ଧନଲୋଭରେ ପଡ଼ି ସମସ୍ତ ଧନ ସମ୍ପତ୍ତିକୁ ମାଟିରେ ପୋତି ଦେଇଥାଏ। ସେହି ଧନ ତା ନିଜ କାର୍ଯ୍ୟରେ ଲାଗେ ନାହିଁ କିମ୍ବା ଅନ୍ୟର ଉପକାରରେ ମଧ୍ୟ ଲାଗେନାହିଁ । କିନ୍ତୁ ଯିଏ ଦାତା, ଜୀବନରେ ଅନ୍ୟର ଉପକାର କରି ନିଃସ୍ୱ ହୋଇଯାଇଥାଏ । ତଥାପି ତା'ର ମନ ଅତି ଆନନ୍ଦିତ । କାରଣ ତାର ଧନ ଅନ୍ୟର ଉପକାରରେ ଲାଗିଲା । ସେ ଭାବେ ଦାତା ଏକ ରାମ ଔର ଭିକାରୀ ସାରେ ଦୁନିଆଁ । ସବକୋ ଦେତା ହୈ ଏକହି ଦାତା । ତେଣୁ ସେ ତା'ର ଧନକୁ ଦାନକରି ଆନନ୍ଦ ପାଇଥାଏ । ଆଜି ମନୁଷ୍ୟ ମଧ୍ୟରେ ସ୍ୱାର୍ଥପର ଶୈତାନ୍‌ ବସିଥିବାରୁ ସେ ହିଂସା, ଈର୍ଷା ଏବଂ ଅନ୍ୟର କ୍ଷତିକରିବାକୁ ପଶ୍ଚାତ୍‌ପଦ ହେଉନାହିଁ । ତା'ର ଯେତିକି ଆବଶ୍ୟକ ତା'ଠାରୁ ବହୁଗୁଣ ଅଧିକ ସମ୍ପତ୍ତି ଠୁଳ କରୁଛି । ପାପ ଅର୍ଜିତ ସେହି ସମ୍ପତ୍ତିକୁ ସୁରକ୍ଷା କରିବାକୁ ଯାଇ ସରକାର ହାତରେ ଧରାପଡ଼ୁଛି । କେତେ ନିନ୍ଦା, କେତେ କଳଙ୍କର ଟୀକା ତାକୁ ବହନ କରିବାକୁ ପଡ଼ୁଛି । ମଣିଷ ଭାବେ ସମ୍ପତ୍ତି ନେଇ ସେ ସୁଖି ହେବ କିନ୍ତୁ ଯେଉଁ ସମ୍ପତ୍ତିକୁ ସେ ସୁଖର କାରଣ ଭାବେ ତାହା ଦିନେ ଦୁଃଖର କାରଣ ହୋଇ ଠିଆହୁଏ । ସମ୍ପତ୍ତିକୁ ଠୁଳକରିଥିବା ମଣିଷଟି ନା ଶାନ୍ତିରେ ଶୋଇପାରେ ନା ଶାନ୍ତିରେ ଭାଜନ କରିପାରେ । ମନଟି ତାର ସର୍ବଦା ଥାଏ ସମ୍ପତ୍ତି ପାଖରେ । ଯୁଗପୁରୁଷୋତ୍ତମ ଭଗବାନ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର ଉଲ୍ଲେଖ କରିଛନ୍ତି ଯେ, ଯେତେବେଳେ ମନ ଈଶ୍ୱର ବା ସତ୍‌ ଚିନ୍ତନରୁ ଓହରିଯାଇ ବିଷୟରେ ଲାଗିଯାଏ ସେତେବେଳେ ଯାବତୀୟ ଅଶାନ୍ତି ଆସିଥାଏ ।

    ମଣିଷର ଲୋଭ ପ୍ରବୃତ୍ତି ହିଁ ତା'ଅଶାନ୍ତିର ମୂଳକାରଣ ହୋଇଥାଏ । ଗୋଟାଏ ବଖରା ଘରକୁ ମଣିଷର ଆୟୁଷ ନାହିଁ ତଥାପି ସେ ଅନେକ ଘରତୋଳୁଛି । ସେତିକିରେ ଶାନ୍ତି ନରହି ଅଶାନ୍ତ ହୋଇ ଉଠୁଛି ଆହୁରି କିଛି ଜମି, ଜାଗା କିଣିବା ପାଇଁ । ବାସ୍ତବରେ ମଣିଷ ଭିତରେ ଉଦାରପଣିଆ ଟିକକ ଲୋପ ପାଇଗଲେ ଏପରି ଅବସ୍ଥା ସୃଷ୍ଟି ହୋଇଥାଏ । ଜୀବନରେ ଯେତିକି ଆବଶ୍ୟକ ସେତିକିକୁ ନେଇ ଚଳିପାରିଲେ ଶାନ୍ତି ମିଳିବ । ଆମେ ଭାବନ୍ତି ବହୁ ସମ୍ପତ୍ତି ହେଲେ ଉପଭୋଗ କରିବାର ସୁବିଧା ମିଳିଯିବ । ଏହା କିନ୍ତୁ ପରମେଶ୍ୱର ସହନ୍ତିନାହିଁ । ଯେଉଁଲୋକ ଯେତିକି ସମ୍ପତ୍ତି ଠୁଳକରେ ସେ ସେତିକି ଦୁଃଖୀ ହୋଇଥାଏ । ଯେ ଯେତିକି ସ୍ୱାର୍ଥପର ହୋଇଥାଏ ସେ ସେତିକି ଯନ୍ତ୍ରଣା ଜର୍ଜରିତ ହୋଇଥାଏ । ସଂସାରରେ କାହାର ଦୁଃଖର କାରଣ ନହେଲେ କେହି ତୁମ ଦୁଃଖର କାରଣ ହେବନାହିଁ । ସେଥିପାଇଁ ଯିଶୁ କହିଥିଲେ ସ୍ୱାର୍ଥପର ଶୈତାନ୍‌କୁ ତଡ଼ି, ପ୍ରେମମୟ ଭଗବାନଙ୍କୁ ହୃଦୟରେ ବସାଇବା ଉଚିତ । ସେହିପରି ଗୌରାଙ୍ଗ ଦେବ ନିଜେ ମାଡ଼ ଖାଇ ମଧ୍ୟ ଜଗାଇମାଧାଇଙ୍କୁ ପ୍ରେମମୟ ପ୍ରଭୁଙ୍କୁ ଦର୍ଶନ କରି ନିଜ ଜୀବନକୁ ପରାର୍ଥେ ଉତ୍ସର୍ଗୀକୃତ କରି ସମଗ୍ର ବଶ୍ୱ ବାସୀଙ୍କୁ ନିଜର କୁଟୁମ୍ବ ବୋଲି ଭାବିଥାଆନ୍ତି । ଆମେ ସେହି ଏକ ପରମପିତାଙ୍କର ସନ୍ତାନ ସନ୍ତତି ହୋଇ ଚଳିବା ଉଚିତ୍‌ । 


ମୋ : ୯୪୩୭୦୫୧୯୫୭