୨ ମୋବାଇଲ୍ ଚୋର ଗିରଫ
ଫୁଲବାଣୀ : ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ରାସ୍ତା ନାରାୟଣୀ ହିଲଟପ ଉପରେ ଛୁରୀ ଓ ମରଣାସ୍ତ୍ର ଦେଖାଇ ଲୋକଙ୍କ ଠାରୁ ମୋବାଇଲ ଛଡାଇ ନେଉଥିବାବେଳେ ଦୁଇ ନାବାଳକଙ୍କୁ କାବୁ କରିଛି ଟାଉନ ଥାନା ପୁଲିସ । ଉଭୟ ଟାଉନ ଥାନା ଅଞ୍ଚଳର ବୋଲି ଜଣାପଡିଛି । ଏବଂ ବହୁ ଦିନ ଧରି ଏମାନେ ଏଭଳି କାର୍ଯ୍ୟରେ ଲିପ୍ତ ଅଛନ୍ତି । ଜନଗହଳି ସ୍ଥାନ ଛାଡ଼ି ନିରୋଳା ସ୍ଥାନରେ ଚୋରି କରିବାକୁ ଯୋଜନା କରି ନାରାୟଣୀ ହିଲଟପ ରାସ୍ତାକୁ ସେମାନେ ବାଛିଥିଲେ । ଏ ନେଇ ଅଭିଯୋଗ ମିଳିବା ପରେ ଟାଉନ ଥାନା ଅଧିକାରୀ ପି. ସ୍ୱରୂପ କିଶନ ସଦଳବଳେ ଚଢଉ କରିଥିଲେ । ଜନୈକ ବ୍ୟକ୍ତିଙ୍କଠାରୁ ମୋବାଇଲ ଫୋନ ଛଡ଼ାଇ ଚାଲି ଯାଉଥିବାବେଳେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା ପୁଲିସ । ସେମାନଙ୍କ ଠାରୁ ଗୋଟିଏ ଆଇ ଫୋନ ଓ ଗୋଟିଏ ସ୍ମାର୍ଟ ଫୋନ୍ ସହିତ ୬ଶହ ଟଙ୍କା ଜବତ କରାଯାଇଛି । ସେମାନେ ବ୍ୟବହାର କରୁଥିବା ଏକ ଛୁରୀ ଓ ଅନ୍ୟ ଏକ ତିନି ଫାଳିଆ ଲୁହାଅସ୍ତ୍ର ଜବତ କରାଯାଇଥିବା ତଦନ୍ତକାରୀ ଅଧିକାରୀ ମନୋରଞ୍ଜନ ଭୋଇ କହିଛନ୍ତି । ଏ ନେଇ କେସ ନଂ ୧୧୮/୨୫ରେ ଏକ ମାମଲା ରୁଜୁ କରାଯିବା ସହ ସମ୍ପୃକ୍ତ ଦୁଇ ନାବାଳକଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇ ବୌଦ୍ଧ ସ୍ଥିତ ଜୁଭେନାଇଲ ହୋମକୁ ପଠାଇ ଦିଆଯାଇଥିବା ଟାଉନ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।