ବୁଦ୍ଧ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସମାରୋହ
କୁଆଖିଆ : ଅହିଂସା ହିଁ ପରମ ଧର୍ମ ଯାହାକୁ ଆଧାର କରି ମହାତ୍ମା, ଗୌତମ ବୁଦ୍ଧ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ତାହା ହିଁ ଆଜିର ବିଶ୍ୱ ମାନବ ସଭ୍ୟତା ପ୍ରତି ଅପରିହାର୍ଯ୍ୟ ହୋଇପଡିଛି ବୋଲି ରସୁଲପୁର ବ୍ଲକ ନାଉପାଳ ଗ୍ରାମ ବୁଦ୍ଧ ବାଟିକାରେ ଆୟୋଜିତ ବୁଦ୍ଧ ଆଲୋଚନାଚକ୍ର ଓ ସମ୍ବର୍ଦ୍ଧନା ସମାରୋହରେ ବିଶିଷ୍ଟ ବ୍ୟକ୍ତି ମତପୋଷଣ କରିଛନ୍ତି । ପରିବେଶ ସୁରକ୍ଷା ସଂଗ୍ରାମ ସମିତିର ସଭାପତି ପ୍ରତାପରୁଦ୍ର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ସମାରୋହରେ ଅତିଥି ଭାବରେ ଶ୍ରୀଶ୍ରୀ ବିଶ୍ୱାନନ୍ଦ ଦେବଦାସ ଗୋସ୍ୱାମୀ (ଅଖାବାବା) ଅବସରପ୍ରାପ୍ତ ବିଚାରପତି ଗୟାଧର ପଣ୍ଡା, ଭାରତୀୟ ବୁଦ୍ଧ ସୋସାଇଟ୍ର ଟ୍ରଷ୍ଟି ସୌରେନ୍ଦ୍ର କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ବିଶ୍ୱ କଲ୍ୟାଣ ନିମନ୍ତେ ଭଗବାନ୍ ବୁଦ୍ଧ ଯେଉଁ ପଞ୍ଚଶୀଳ ନିତି ପ୍ରଚାର କରିଯାଇଛନ୍ତି ତାହା ଆଜିର ମାନବ ସଭ୍ୟତାର ଶାନ୍ତି, ସଂଘତି ଓ ସୈାହାର୍ଦ୍ଦ୍ୟ ପାଇଁ ଅପରିହାର୍ଯ୍ୟ ହୋଇପଡିଛି ବୋଲି ମତବ୍ୟକ୍ତ କରିଥିଲେ । ରବିନ୍ଦ୍ର କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ, ବସନ୍ତ କୁମାର ସାହୁ ସ୍ୱାଗତ୍ ଭାଷଣ ପ୍ରଦାନ କରିଥିବା ବେଳେ ଆବାହକ ତଥା ସମ୍ପାଦକ କୈଳାସ ଚନ୍ଦ୍ର ମଲିକ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସଦସ୍ୟ ଅଧ୍ୟାପକ ସନ୍ତୋଷ କୁମାର ସାହୁ, ଡକ୍ଟର ବୈଦେନ୍ଦ୍ରନାଥ ସାହୁ ଅତିଥିଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ ଅବସରପ୍ରାପ୍ତ ଅଧ୍ୟାପକ ତଥା ସାହିତି୍ୟକ ନିତ୍ୟାନନ୍ଦ ମହାନ୍ତି, ସମାଜସେବୀ ତଥା ଧର୍ମ ଉପାସକ ସୀତାରାମ ପାଣି, ବଂଶୀ ବାଦକ ହରିହର ମଲିକଙ୍କୁ ଅତିଥି ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରହଲ୍ଲାଦ ମଲିକ, ସତ୍ୟସୁଧାଂଶୁ ମଲିକ, ସାଗର ମଲିକ, ସୁଶାନ୍ତ କୁମାର ସାହୁ ଏବଂ ଗ୍ରାମର ମା ବସୁଳାଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ପରିଚାଳନା କରିଥିଲେ । ଆଲୋଚନାଚକ୍ରରେ ଧର୍ମଶାଳା ଆମ୍ବେଦକର ଫାଉଣ୍ଡେସନର ସଭାପତି ସୁରେନ୍ଦ୍ର କୁମାର ମଲିକ, ପୂର୍ବତନ ସମିତି ସଭ୍ୟ କାର୍ତିକ ଚନ୍ଦ୍ର ମଲିକ, କଳ୍ପତରୁ ପଣ୍ଡା, ସରପଞ୍ଚ ସୁରେନ୍ଦ୍ର କୁମାର ତିଆଡି, ପଣ୍ଡିତ ଅଭୟ କୁମାର ତ୍ରିପାଠୀ, ବନମାଳୀ ରଥ ପ୍ରଭୃତି ଅଂଶ ଗ୍ରହଣ କରିଥିବାବେଳେ ଯୁବ ସଂଗଠକ ଅଭିମନୁ୍ୟ ମଲିକ ଧନ୍ୟବାଦ ଅର୍ପଣ କରିଥିଲେ ।