୮ମ ପେନ୍ଇନ୍ ବୁକ୍ସ ଯୁବଲେଖକ ସମ୍ମାନ ଘୋଷଣା, ଡିସେମ୍ବର ୧ରେ ସମ୍ମାନିତ ହେବେ ୧୦ଯୁବ ଲେଖକ
ଭୁବନେଶ୍ୱର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ୮ମ ଯୁବ ଲେଖକ ସମ୍ମାନ ଘୋଷଣା କରାଯାଇଛି । ଚଳିତ ବର୍ଷ ପାଇଁ ୧୦ ଜଣ ଲେଖକ ସେମାନଙ୍କ ଅପ୍ରକାଶିତ ପାଣ୍ଡୁଲିପି ନିମନ୍ତେ ଏହି ସମ୍ମାନ ଗ୍ରହଣ କରିବେ । କବିତା ପାଣ୍ଡୁଲିପି ‘ମତେ ଖୋଜୁଛ କି ଈଶ୍ୱର' ନିମନ୍ତେ ବରଗଡର ଜୀନାତମାମ୍ ଦର୍ଜୀ, କବିତା ପାଣ୍ଡୁଲିପି ‘ଦେଶ ଦେହ' ପାଇଁ ଝାରସୁଗୁଡାର କହ୍ନେଇ ସାହୁ, କବିତା ପାଣ୍ଡୁଲିପି ‘ଭାବନା କୁହୁକ' ପାଇଁ ସୁନ୍ଦରଗଡର ବୈଜୟନ୍ତୀ କର, କବିତା ପାଣ୍ଡୁଲିପି ‘ସାବାଳିକା' ପାଇଁ ନୟାଗଡର ବିଶ୍ୱଜିତ ମହାପାତ୍ର, ଗଳ୍ପ ପାଣ୍ଡୁଲିପି ‘କାଗଜ ବାଘ' ପାଇଁ ଢେଙ୍କାନାଳର ରଶ୍ମିତା ବେହେରା, ଗଳ୍ପ ପାଣ୍ଡୁଲିପି ‘ଏକ୍ସ ବୟଫ୍ରେଣ୍ଡେ୍ ଓ ଅନ୍ୟାନ୍ୟ ଗଳ୍ପ' ପାଇଁ ଯାଜପୁରର ଅନୀତା ଦାସ, ଗଳ୍ପ ପାଣ୍ଡୁଲିପି ‘ଇନ୍ଦ୍ରଧନୁ' ପାଇଁ ସମ୍ବଲପୁରର ସତ୍ୟରଞ୍ଜନ ସାହୁ, ଗଳ୍ପ ପାଣ୍ଡୁଲିପି ‘ଦର୍ପଣ' ପାଇଁ ଜଗତସିଂହପୁରର ରୋଜାଲିନ୍ ମୁଦୁଲି, ଗଳ୍ପ ପାଣ୍ଡୁଲିପି ‘ଈଶ୍ୱରଙ୍କ ଭାଷା ଓ ଅନ୍ୟାନ୍ୟ ଗଳ୍ପ' ପାଇଁ କେନ୍ଦୁଝରର ଅମିତ୍ କୁମାର ସାହୁ ଓ ଇଂରାଜୀ ଗଳ୍ପ ପାଣ୍ଡୁଲିପି ‘ହ୍ୱିସ୍ପର୍ସ ଥ୍ରୋ ଦ ହ୍ୱାଇଟ୍ କୋଟ୍' ପାଇଁ ମୟୂରଭଞ୍ଜର ଶାଶ୍ୱତ ଅଭିଜ୍ଞାନମ୍ ୨୦୨୪ ନିମନ୍ତେ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୨୦୧୭ ମସିହାଠାରୁ ପ୍ରତିବର୍ଷ ୪୦ ବର୍ଷ ବା ତହିଁରୁ କମ୍ ବୟସର ୧୦ ଜଣ ଯୁବ ଲେଖକଙ୍କୁ ଏହି ସମ୍ମାନ ଦିଆଯାଉଛି ବୋଲି ପେନ୍ ଇନ୍ ବୁକ୍ସର ପ୍ରତିଷ୍ଠାତା ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି । ୨୦୨୪ ମସିହା ପାଇଁ ମୋଟ ୫୨ଟି ପାଣ୍ଡୁଲିପି ଗ୍ରହଣ କରାଯାଇଥିବାବେଳେ ବିଚାରକ ମଣ୍ଡଳୀ ଦ୍ୱାରା ୧୦ ପାଣ୍ଡୁଲିପିକୁ ଚୟନ କରାଯାଇଛି । ଜଣାଶୁଣା କବି ରକ୍ଷକ ନାୟକ ଓ କଥାଶିଳ୍ପୀ ଶକ୍ତି ମହାନ୍ତି ଏଥର ବିଚାରକ ଥିଲେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଯୁବ ପିଢ଼ିର ଲେଖକଙ୍କୁ ସ୍ୱୀକୃତି ଦେବା ଓ ପ୍ରକାଶିତ କରିବା ସହ ବୃହତ୍ତର ପାଠକ ଗୋଷ୍ଠୀ ସହ ଯୋଡିବା ଏ ସମ୍ମାନର ଉଦେ୍ଦଶ୍ୟ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଆସନ୍ତା ଡିସେମ୍ବର ୧ ତାରିଖରେ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର ଉସôବରେ ସମସ୍ତ ପ୍ରତିଭାଙ୍କୁ ସମ୍ମାନିତ କରାଯିବ । ଆସନ୍ତା ବର୍ଷ ସେମାନଙ୍କ ପାଣ୍ଡୁଲିପିଗୁଡିକ ପୁସ୍ତକ ଆକାରରେ ପ୍ରକାଶ ପାଇବ । ଚଳିତ ବର୍ଷର ସମ୍ମାନ ଉସôବରେ ୨୦୨୩ ମସିହାରେ ସମ୍ମାନିତ ହୋଇଥିବା ଯୁବ ଲେଖକମାନଙ୍କର ପୁସ୍ତକଗୁଡିକ ମଧ୍ୟ ଉନ୍ମୋଚିତ ହେବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି ।