ଝିଅଙ୍କ ନାଁରେ ବିହନ ନାମକରଣ
ନୟାଗଡ : ଝିଅଙ୍କ ନାମରେ ବିହନର ନାମକରଣ କରିଛନ୍ତି ବୈଜ୍ଞାନିକ ଡକ୍ଟର ରମେଶ ଚନ୍ଦ୍ର ମିଶ୍ର । ସେ ଉଦ୍ଭାବନ କରିଥିବା ଡାଲି ବିହନର ନାମ ସୁଜାତା ଓ ଜ୍ୟୋତି ରଖିଛନ୍ତି । ଖାଲି ସେ ନୁହଁନ୍ତି ବୈଜ୍ଞାନିକ ଡକ୍ଟର ପ୍ରମୋଦ କୁମାର ନାୟକ ମଧ୍ୟ ଉଦ୍ଭାବନ କରିଥିବା ଆଖୁ ବିହନର ନାମ ସବିତା ରଖିଛନ୍ତି । ଏଭଳି କରି ସେ ସମାଜକୁ ଏକ ନି÷ଆରା ବାର୍ତ୍ତା ଦେଇଛନ୍ତି । ନୟାଗଡ଼ ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅମାନଙ୍କ ଆନୁପାତିକ ସଂଖ୍ୟା ଯଥେଷ୍ଟ କମ୍ ରହିଥିଲା ବେଳେ, ବୈଜ୍ଞାନିକଙ୍କ ଉଦ୍ଭାବନ କ୍ଷେତ୍ରରେ କିନ୍ତୁ କନ୍ୟାମାନଙ୍କୁ ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯିବା ନିଶ୍ଚିତ ଭାବେ ଏକ ଉଲ୍ଲେଖନୀୟ ଘଟଣା । ଜିଲ୍ଲାରେ ଏଭଳି ଲିଙ୍ଗଗତ ବୈଷମ୍ୟ ବୃଦ୍ଧି ପାଉଥିବାରୁ ଏହି ପରିପ୍ରେକ୍ଷୀରେ ଅନେକ ସଚେତନ ମୂଳକ କାର୍ଯ୍ୟକ୍ରମ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି । ଏପରିକି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପ୍ରାୟୋଜନାରେ ଜିଲାରେ ‘ବେଟି ବଚାଓ ବେଟି ପଢ଼ାଓ’ ଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଚାଲୁରହିଛି । ଏସବୁ ସତ୍ୱେ ଅନେକ ପିତାମାତା କନ୍ୟାସନ୍ତାନଙ୍କ ପ୍ରତି ଆଦର ଓ ଅନୁରାଗ ପ୍ରଦର୍ଶନ କରୁନାହାଁନ୍ତି । କାର୍ଯ୍ୟତଃ ଜିଲ୍ଲାରେ ଏଭଳି ଲିଙ୍ଗଗତ ପ୍ରଭେଦ ସୃଷ୍ଟି ହୋଇଛି । ତେବେ ଅନେକ ପିତା ଅଛନ୍ତି ଯେଉଁମାନେ ସେମାନଙ୍କ କନ୍ୟାଙ୍କ ଖୁବ ଗୁରୁତ୍ୱ ପ୍ରଦାନ କରିଥାନ୍ତି । ଏହାର ଉଦାହରଣ ନୟାଗଡ଼ର ୨ଟି ଗବେଷଣା କେନ୍ଦ୍ରରେ ଦେଖିବାକୁ ମିଳୁଛି । ନୟାଗଡ଼ର ଡ଼ାଲି ଗବେଷଣା କେନ୍ଦ୍ରରୁ ଉଦ୍ଭାବିତ ୨ଟି ନୂତନ ବିହନ ଦୁଇଜଣ ବାଳିକାଙ୍କ ନାମରେ ନାମିତ ହୋଇଛି । ସମ୍ପୃକ୍ତ ବୈଜ୍ଞାନିକଙ୍କ ଏଭଳି ପ୍ରେରଣାଦାୟୀ କାର୍ଯ୍ୟରେ ସମସ୍ତ ବାପମାଆ ଅନୁପ୍ରାଣିତ ହେଲେ ଜିଲ୍ଲାରେ ଏଭଳି ଘୃଣ୍ୟ ଲିଙ୍ଗଗତ ବୈଷମ୍ୟ ଆଉ ରହିବ ନାହିଁ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି ।