କର୍ଡନ ଭିତରେ ଯାଉଛି ପେଟ୍ରୋଲ୍‌ ଟ୍ୟାଙ୍କର

ସୁରକ୍ଷା ବଳୟ ଭିତରେ ଯାଉଛି ତେଲ ଟ୍ୟାଙ୍କର । ଡ୍ରାଇଭର ସଂଘ ଆନ୍ଦୋଳନ ପାଇଁ ତେଲ ଗାଡ଼ିକୁ ସୁରକ୍ଷା ଦେଇ ନେଉଛି ପୁଲିସ । ମୟୂରଭଞ୍ଜ ବେତନଟୀ ଓ ବଡ଼ସାହି ଅଞ୍ଚଳରେ ବିଭିନ୍ନ ଟାଙ୍କିକୁ ପୁଲିସ ସୁରକ୍ଷାରେ ଆସିଲା ତେଲ ଟ୍ୟାଙ୍କର । ପୁଲିସ ଗାଡ଼ି ତେଲ ଟ୍ୟାଙ୍କରକୁ ଏସକର୍ଟ କରି ନେଉଛି । ବୈଶିଙ୍ଗା ଓ ବେତନଟୀ ପୁଲିସ ସୁରକ୍ଷା ବଳୟ ଭିତରେ ୧୩ଟି ତେଲ ଟ୍ୟାଙ୍କର ବାଲେଶ୍ୱର ସ୍ଥିତ ସୋମନାଥପୁର ଡିପୋରୁ ବାହାରି ବଡ଼ସାହି ଓ ବେତନଟୀ ଅଞ୍ଚଳର ବିଭିନ୍ନ ଟାଙ୍କିକୁ ନେଇଛନ୍ତି । ଆନ୍ଦୋଳନରତ ଡ୍ରାଇଭର ତେଲ ଟ୍ୟାଙ୍କରକୁ ଅଟକାଉ ଥିବାରୁ ପୁଲିସ ସୁରକ୍ଷା ଭିତରେ ପେଟ୍ରୋଲ ପମ୍ପକୁ ଆସିଛି ତେଲଗାଡି । 

ବାଲେଶ୍ବର ସୋରରେ ବି ଦେଖିବାକୁ ମିଳିଛି ସମାନ ସ୍ଥିତି । ସୋମନାଥପୁର ଡିପୋରୁ ୮ଟି ପେଟ୍ରୋଲ ଗାଡ଼ି ପୁଲିସ ସୁରକ୍ଷା ଭିତରେ ଆସିଛି । ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଧର୍ମଘଟ କରିଥିବାରୁ କେତେକ ସ୍ଥାନରେ ପେଟ୍ରୋଲ ନଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ବାଲେଶ୍ଵର ଏସପିଙ୍କ ନିର୍ଦ୍ଦେଶ କ୍ରମେ ୮ଟି ପେଟ୍ରୋଲ ଗାଡି କଡ଼ା ସୁରକ୍ଷା ବଳୟରେ ଭଦ୍ରକ, କେନ୍ଦୁଝର, ଚାନ୍ଦବାଲି ସହ ଅନ୍ୟାନ୍ୟ ସ୍ଥାନକୁ ଯାଇଛି ।