ବିଜେଡ଼ି ନେତାଙ୍କୁ ବିଜେପି ଥୋପ

BJD and BJP

ବିଜେଡ଼ି ନେତାଙ୍କୁ ବିଜେପି ଥୋପ

ଭୁବନେଶ୍ୱର : ବିଜେଡ଼ିର ସ୍ଥାୟୀତ୍ୱ, ଶକ୍ତି ଓ ଭବିଷ୍ୟତକୁ ନେଇ ଏବେ ବିଜେଡ଼ି ନେତାଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟିହୋଇଛି  । ଯାହାର ଫାଇଦା ନେବାକୁ ଅନେଇ ବସିଛି ଭାରତୀୟ ଜନତା ପାର୍ଟି  । ସମ୍ପ୍ରତି ରାଜ୍ୟରେ ଉଭୟ ଶାସକ ବିଜେପି ଓ ବିରୋଧୀ ବିଜେଡ଼ିର ଶକ୍ତି ସମାନ ସମାନ ରହିଛି  । ତେବେ ଦୀର୍ଘଦିନ ଧରି ସରକାରରେ ରହିବା ସହ ନବୀନଙ୍କ କ୍ରେଜ୍‌ ଥିବାରୁ ବିଜେଡ଼ିର ସଂଗଠନ ମଜବୁତ୍‌ ଥିଲା  । କିନ୍ତୁ ୨୦୨୯ ବେଳକୁ ନବୀନଙ୍କ ନେତୃତ୍ୱରେ ବିଜେଡ଼ି ଲଢ଼ିବ କି ନାହିଁ ସେନେଇ ଆଶଙ୍କା ପ୍ରକାଶ ପାଇଛି  । ଅସୁସ୍ଥତା କାରଣରୁ ନବୀନ ବିଧାନସଭାକୁ ବି ଆସୁନାହାନ୍ତି  । ବିରୋଧୀ ଦଳ ନେତା ହୋଇଥିଲେବି ଦଳ ତାଙ୍କର ଅନୁପସ୍ଥିତି ଅନୁଭବ କରୁଛି  । ଏହାର ଏକ ନକରାତ୍ମକ ପ୍ରଭାବ ନେତାଙ୍କ ଉପରେ ପଡ଼ିବା ଆରମ୍ଭ କରିଛି  । ସୁସ୍ଥ ରହିବା ଓ କାର୍ଯ୍ୟକ୍ଷମ ହେବା ଭିତରେ ବହୁତ ବଡ଼ ବ୍ୟବଧାନ ରହିଛି  । ତେବେ ନବୀନ କେତେ ଫିଟ୍‌ ତାହା ଆସନ୍ତା ନଭେମ୍ବରରେ ହିଁ ଜଣାପଡ଼ିବ  । କାହିଁକିନା ନଭେମ୍ବରରୁ ନବୀନ ସାରା ରାଜ୍ୟ ବୁଲିବା ଆରମ୍ଭ କରିବେ  । ବିଜେଡ଼ି ନେତାମାନଙ୍କ ମନରେ ବିଶ୍ୱାସ ଭରିବେ  । ଏସବୁ ଭିତରେ ବିଜେପି ମଧ୍ୟ ବିଜେଡ଼ିରେ ପୋଚିଂ କରିବାକୁ ଯୋଜନା କରିସାରିଛି  । ମମତା ମହାନ୍ତଙ୍କୁ ଦଳ ନିଜ ଆଡ଼କୁ ନେଇସାରିବା ପରେ ବିଜେଡ଼ିର କନଫିଡେ଼ନ୍ସ ବି ବଢ଼ିଯାଇଛି  । ଆଗାମୀ ଦିନରେ ଦଳ ତୃଣମୂଳସ୍ତରରୁ ଛୋଟଛୋଟ ନେତାଙ୍କୁ ନିଜ ଖାଳେଇରେ ପୂରାଇବାକୁ ଯୋଜନା କରିଛି  । ସେପ୍ଟେମ୍ବରରୁ ଦଳ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ  । ଏଥିପାଇଁ ଦଳ ଗାଁ ସରପଂଚମାନଙ୍କୁ ଆଖେଇଛି  । ଗାଁରେ ଏବେ ଧିରେଧିରେ ବିଜେପି କ୍ରେଜ ବଢ଼ିବାରେ ଲାଗିଥିବାରୁ ୨୦୨୭ ପାଇଁ କିଛି ନେତା ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି  । ଏହି ମଉକାରେ ସେମାନେ ବିଜେପିକୁ ଯିବା ପାଇଁ ମନସ୍ଥିର କରିସାରିଛନ୍ତି  । ତେଣୁ ଆଗାମୀ ଦିନରେ ବିଜେପିରେ ଏକ ବଡ଼ ଧରଣର ମିଶ୍ରଣ ପର୍ବ ଅଭିଯାନ ଆରମ୍ଭ ହେବ  । ବିଧାୟକମାନଙ୍କୁ ମଧ୍ୟ ଏନେଇ ଟାର୍ଗେଟ୍‌ ଦିଆଯାଇଛି  । ନିଜ ନିଜ ଅଂଚଳର ବିଜେଡ଼ିର ଆଗଧାଡ଼ିର ନେତାଙ୍କୁ ଦଳରେ ମିଶାଇବାକୁ କୁହାଯାଇଛି  । ଇତିମଧ୍ୟରେ ଅନେକ ବିଧାୟକ ଏଥିରେ ସଫଳ ମଧ୍ୟ ହୋଇସାରିଲେଣି  । ଖାଲି ସେତିକିନୁହେଁ ରାଜ୍ୟରେ ବିଜେପିକୁ ମଜବୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘନଘନ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି  । ପଂଚାୟତ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଓଡ଼ିଶାରେ ୫ଟି ବଡ଼ ସଭା କରିବାର ବି କାର୍ଯ୍ୟକ୍ରମ ଥିବା ଜାଣିବାକୁ ମିଳିଛି  । ରାଷ୍ଟ୍ରୀୟ ନେତାମାନେ ମଧ୍ୟ ଆଗାମୀ ବର୍ଷ ଠାରୁ ଓଡ଼ିଶା ଉପରେ ଫୋକସ କରିବେ ବୋଲି ରଣନୀତି ହୋଇଛି  ।