ଘଣ୍ଟେଶ୍ୱରକୁ ବ୍ଲକ ମାନ୍ୟତା ଦାବି : ଦାବିପୂରଣ ନ ହେଲେ ଆନେ୍ଦାଳନ ଚେତାବନୀ
ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଘଣ୍ଟେଶ୍ୱର ଅଞ୍ଚଳରେ ବ୍ଲକ ମାନ୍ୟତା ପାଇଁ ଦାବି ପ୍ରତିଦିନ ତିବ୍ର ହେବାରେ ଲାଗିଛି । ଗତ କିଛି ବର୍ଷ ଧରି ସ୍ଥାନୀୟ ଲୋକମାନେ, ସାମାଜିକ ସଙ୍ଗଠନ, ଛାତ୍ରଛାତ୍ରୀ, ବ୍ୟବସାୟୀ, କୃଷକ, ସହିତେ ପଞ୍ଚାୟତ ପ୍ରତିନିଧି ବାରମ୍ବାର ଏହି ଦାବିକୁ ସ୍ୱର ଦେଇଆସୁଛନ୍ତି । ସେମାନଙ୍କ ମତ, ଘଣ୍ଟେଶ୍ୱରକୁ ସ୍ୱତନ୍ତ୍ର ବ୍ଲକ ଘୋଷଣା କରାଗଲେ, ଏହା କେବଳ ପ୍ରଶାସନୀକ ସୁବିଧାକୁ ସହଜ କରିବା ନୁହେଁ, ସମଗ୍ର ଅଞ୍ଚଳର ଅର୍ଥନୈତିକ, ସାମାଜିକ ଉନ୍ନତିରେ ମାଇଲଷ୍ଟୋନ୍ ସାବିତ ହେବ । ଘଣ୍ଟେଶ୍ୱରରେ ବର୍ତ୍ତମାନ ପ୍ରଶାସନୀକ କାର୍ଯ୍ୟ ପାଇଁ ଲୋକଙ୍କୁ ଚାନ୍ଦବାଲି ବ୍ଲକ କାର୍ଯ୍ୟାଳୟକୁ ଯିବାକୁ ପଡୁଛି । ୨୫-୩୦ କିଲୋମିଟର ଦୂର ଅତିକ୍ରମ କରିବାରୁ ସାଧାରଣ ଲୋକଙ୍କୁ ଦୈନିକ ଭାବରେ କ୍ଷତି ସହିବାକୁ ପଡୁଛି । ବୃଦ୍ଧ, ମହିଳା, ଅଶକ୍ତ ଓ ଗରିବ ଲୋକମାନେ ବ୍ଲକ୍ କାର୍ଯ୍ୟାଳୟର ସୁବିଧାରୁ ବଞ୍ଚିତ ହେଉଛନ୍ତି । ଗରିବ କୃଷକ ତାଙ୍କର ସରକାରୀ ସୁବିଧା ନେବା ପାଇଁ ୨୦୦-୩୦୦ ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି । ଭୌଗୋଳିକ ଓ ଜନସଂଖ୍ୟା କଥା କହିବାକୁ ଗଲେ ଘଣ୍ଟେଶ୍ୱର ଅଞ୍ଚଳରେ ପ୍ରାୟ ୧୦ରୁ ଅଧିକ ପଞ୍ଚାୟତ ସହିତ୨ ଲକ୍ଷରୁ ଅଧିକ ଲୋକସଂଖ୍ୟା ବସବାସ କରୁଛନ୍ତି । ବଜାର, ଶିକ୍ଷା, ସ୍ୱାସ୍ଥ୍ୟ, ବ୍ୟବସାୟ, କୃଷି, ପରିବହନ ସୁବିଧାରେ ଏହା ସ୍ୱୟଂଭାବେ ବିକଶିତ । ପ୍ରତିଦିନ ହଜାରହଜାର ଲୋକ ବିଭିନ୍ନ କାମରେ ଘଣ୍ଟେଶ୍ୱରକୁ ଆସୁଛନ୍ତି । ତେଣୁ, ଏହାକୁ ସ୍ୱତନ୍ତ୍ର ପ୍ରଶାସନୀକ ଏକକ ହିସାବରେ ଘୋଷଣା କରିବା ପୂରାପୁରି ଯୁକ୍ତିସଂଗତ । ଘଣ୍ଟେଶ୍ୱର ପୂର୍ବରୁ ବ୍ୟବସାୟ କେନ୍ଦ୍ର ଭାବେ ପରିଚିତ । ସାପ୍ତାହିକ ହାଟ, କୃଷିପଣ୍ୟ ବ୍ୟବସାୟ, ମାଛ,ହସ୍ତଶିଳ୍ପ ସହିତ ସୁଦୂର ଗ୍ରାମ ଅଞ୍ଚଳର ଲୋକ ଏଠାରେ ଆସି ବଜାର କରୁଛନ୍ତି । ସେଥିପାଇଁ ଘଣ୍ଟେଶ୍ୱରକୁ ବ୍ଲକ ମାନ୍ୟତା ମିଳିଲେ, ସ୍ଥାନୀୟ ଅର୍ଥନୀତି ଆହୁରି ସୁଦୃଢ଼ ହେବ । ଯଦି ବ୍ଲକ ଘୋଷଣା ହୁଏ, ସରକାରୀ ସୁବିଧାଗୁଡ଼ିକୁ ଆହୁରି ବିକାଶ କରିବା ସହଜ ହେବ । ବିଭିନ୍ନ ସାମାଜିକ ସଙ୍ଗଠନ, ସ୍ଥାନୀୟ ପ୍ରତିନିଧି ଓ ସଚେତନ ନାଗରିକମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପୂର୍ବତନ ସାର କର୍ଣ୍ଣପାତ କରୁ ନଥିବା ବେଳେ, ନୂତନ ସରକାର ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।