ବିଏସପି ୩ରାଜ୍ୟରେ ଏକାକୀ ନିର୍ବାଚନ ଲଢିବ : ମାୟାବତୀ

ବିଏସପି ୩ରାଜ୍ୟରେ ଏକାକୀ ନିର୍ବାଚନ ଲଢିବ :  ମାୟାବତୀ

ନୂଆଦିଲ୍ଲୀ: ମଙ୍ଗଳବାର ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଗୋଟିଏ ପର୍ୟ୍ୟାୟରେ ହେବାକୁ ଥିବାବେଳେ, ଝାଡଖଣ୍ଡରେ ୮୧ ବିଧାନସଭା ଆସନ ପାଇଁ ଦୁଇଟି ପର୍ୟ୍ୟାୟରେ ମତଦାନ ହେବ । ଏଥି ସହ ଉତ୍ତରପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ତାରିଖ ମଧ୍ୟ ଆୟୋଗ ଘୋଷଣା କରିଛନ୍ତି । ଆଉ ଏହି ଘୋଷଣାର କିଛି ସମୟ ପରେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଏକ ବଡ ଘୋଷଣା କରିଛନ୍ତି। ମାୟାବତୀ କହିଛନ୍ତି ଯେ, ବିଏସପି ମହାରାଷ୍ଟ୍ର, ଝାଡଖଣ୍ଡ ଏବଂ ୟୁପିରେ ଏକାକୀ ନିର୍ବାଚନ ଲଢିବ ।ନଭେମ୍ବର ୨୦ ରେ ମହାରାଷ୍ଟ୍ରରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ନଭେମ୍ବର ୨୩ ରେ ଭୋଟ୍ ଗଣନା କରାଯିବ । ସେହିଭଳି ଝାଡଖଣ୍ଡରେ ନଭେମ୍ବର ୧୩ ଏବଂ ୨୦ରେ ମତଦାନ ହେବାକୁ ଥିବା ବେଳେ ଏବଂ ଏହାର ଫଳାଫଳ ୨୩ନଭେମ୍ବରରେ ଆସିବ । ନଭେମ୍ବର ୧୩ ରେ ୟୁପିର ୯ ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ନଭେମ୍ବର ୨୦ ରେ ଉତ୍ତରାଖଣ୍ଡର କେଦାରନାଥରେ ବିଧାନସଭା ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଉପ-ନିର୍ବାଚନର ଫଳାଫଳ ମଧ୍ୟ ନଭେମ୍ବର ୨୩ ରେ ଆସିବ । ମାୟାବତୀ କହିଛନ୍ତି ଯେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ରାଜ୍ୟ ବିଧାନସଭା ସାଧାରଣ ନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ସ୍ୱାଗତଯୋଗ୍ୟ । ସମୟ ଯେତେ କମ୍ ରହିବ ନିର୍ବାଚନ ଅଧିକ ପରିଷ୍କାର ହେବ । ଅର୍ଥାତ୍ ଅର୍ଥ ଶକ୍ତି, ବାହୁବଳ ଶକ୍ତି ଇତ୍ୟାଦିର ଅଭିଶାପରୁ ଯେତେ ମୁକ୍ତ ହେବ ସେତେ ଭଲ । ଏହାର ସମ୍ପୂର୍ଣ୍ଣ ଦାୟିତ୍ବ ନିର୍ବାଚନ ଆୟୋଗଙ୍କ ଉପରେ ନିର୍ଭର କରେ।