ବାଜବାଟିରେ ବେଆଇନ କଳାପଥର ଖନନ :ଏନ୍ଜିଟିରେ ମାମଲା ରୁଜୁ

 ଯାଜପୁର: ଦିନକୁ ଦିନ ଲଘୁ ଖଣିଜ ବିଭାଗ ନୀରବଦ୍ରଷ୍ଟା ସାଜୁ ଥିବାର ଦେଖିବାକୁ ମିଳୁଛି । ଫଳରେ ଖଣି ହେଉ କି ପଥର ହେଉକୁ ବାଲି ମାଫିଆ ସକ୍ରିୟ ହୋଇ ଉଠୁଛନ୍ତି । ସରକାର କୋଟି କୋଟି ଟଙ୍କା ରାଜସ୍ୱ ହରାଉଥିବା ଥିବାବେଳେ ଲୁଟକାରୀ ଲାଲେ ଲାଲ ହେଉଛନ୍ତି । ସେମିତି ଏକ ଘଟଣା ପୁଣି ଧର୍ମଶାଳା ତହସିଲର ବାଜବାଟି କଳାପଥର ଲିଜ୍ ଓ ଖନନକୁ ନେଇ ଜାତୀୟ ଗ୍ରୀନ ଟ୍ରିବୁନାଲରେ ମାମଲା ରୁଜୁ ହୋଇଛି । ଘଟଣାରେ ଏନଜିଟି ପକ୍ଷରୁ କୈଫତ ତଲବ କରାଯାଇଛି । ଉତ୍ତର ରଖିବାକୁ ବିଭିନ୍ନ ବିଭାଗର ଅଧିକାରୀ ଓ ଲିଜ୍ଧାରୀଙ୍କୁ ନୋଟିସ ହୋଇଛି । ଆସନ୍ତା ଏପ୍ରିଲ ୭ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ପ୍ରକାଶ ଥାଉ କି ଅରୁଣ କୁମାର ଜେନା ସମେତ ୯ଜଣ ବେଆଇନ ଭାବେ କଳାପଥର ଖାଦାନ ଚାଲିଛି ବୋଲି ଅଭିଯୋଗ କରିଛନ୍ତି । ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ଓ ଆଶୁତୋଷ ପାଢ଼ୀ ଏନ୍ଜିଟିରେ ଏହି ମାମଲା ପରିଚାଳନା କରୁଛନ୍ତି । ଗତ ୨୩ ତାରିଖରେ ଏହି ମାମଲାକୁ ବିଚାରପତି ବି ଏମିଡି ସ୍ଥାଲେକର ଓ ସଦସ୍ୟ ଡାକ୍ତର ଅରୁଣ କୁମାର ବର୍ମା ବିଚାର କରି ପରବର୍ତ୍ତୀ ଶୁଣାଣି ୭ ତାରିଖକୁ ଧାର୍ଯ୍ୟ କରିଛନ୍ତି । ଲିଜଧାରୀ ଅଗ୍ରୱାଲ ଇନଫ୍ରାବିଲ୍ ଡ୍ ପ୍ରାଇଭେଟ ଲିମିଟେଡ ବେଆଇନ ଭାବେ ଖନନ କରିବା ସହିତ ପରିବେଶ ଆଇନକୁ ଉଲଙ୍ଘନ କରୁଛନ୍ତି । ଏଥିରେ ପ୍ରଦୂଷଣ ଆଇନ, ସିଟିଓ, ମାଇନିଙ୍ଗ ପ୍ଲାନ୍କୁ ଉଲଙ୍ଘନ କରୁଥିବାର ଅଭିଯୋଗ କରିଛନ୍ତି । ଖାଦାନ ଖନନ ବେଳେ ୬ମିଟରରୁ ଅଧିକ ଗଭୀର ଖନନ ପାଇଁ ଅନୁମତି ନଥିବାବେଳେ ଏଠାରେ ଲିଜଧାରୀ ଖାଦାନ ନମ୍ବର ୩ ଓ ୫ରେ ବେଆଇନ ଭାବେ ଅଧିକ ଗଭୀର ଖନନ କରାଯାଇଛି । ବାଜବାଟି ଖାଦାନ ନମ୍ବର ୧, ୩, ୫ ଠାରୁ ଦୁଇ ଶହ ମିଟର ଦୂରରେ ବାଜବାଟି ଗାଁ ରହିଛି । ସେହିପରି ଖାଦାନ ନିକଟରେ ଅଙ୍ଗନୱାଡ଼ି, ମନ୍ଦିର ଓ ବିଦ୍ୟାଳୟ ପ୍ରଭୁତି ରହିଛି । ଏପରିକି ମାଇନିଙ୍ଗ ପ୍ଲାନ୍ରେ ଅନୁମୋଦନ ହୋଇଥିବା ନୀତିନିୟମକୁ ଉଲଙ୍ଘନ କରାଯାଇଛି । ସମସ୍ତ ଅଭିଯୋଗ ଉପରେ ଆଲୋଚନା କରି ଲିଜଧାରୀଙ୍କ ସମେତ ସଂପୃକ୍ତ ଅଧିକାରୀ ଆସନ୍ତା ଏପ୍ରିଲ ୭ ତାରିଖରେ ଉତର ରଖିବେ ବୋଲି ଏନଜିଟି ପକ୍ଷରୁ ନିଦେ୍ର୍ଦଶ ରହିଛି ।