କୁମ୍ଭିରଗଡିଆ ପଂଚାୟତରେ ବିକାଶ ବାଟବଣା : ଖର୍ଚ୍ଚ ନହୋଇ ପଡ଼ିରହିଛି ୮୩ ଲକ୍ଷ
ଯଖପୁରା: ବିଜୁ ପଟ୍ଟନାୟକ ସରକାର ତ୍ରିସ୍ତରୀୟ ପଂଚାୟତକୁ ଅଖଣ୍ଡ କ୍ଷମତା ପ୍ରଦାନ କରିଥିଲେ । ପଂଚାୟତରେ ଗାଁ ମାନଙ୍କର କିପରି ବିକାଶ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ଫଳରେ ପଂଚାୟତକୁ ଅଧିକ ଅର୍ଥ ଖର୍ଚ୍ଚ ପାଇଁ ବ୍ୟୟବରାଦ କରାଯାଉଥିଲା । ଗ୍ରାମାଂଚଳର ଲୋକମାନେ କିପରି ସହରାଂଚଳ ବିକାଶକୁ ଛୁଇଁ ପାରିବେ ତାହା ଉପରେ ଜୋର୍ ଦିଆଯାଇଥିଲା । ଗ୍ରାମାଂଚଳର ବିକାଶ ପାଇଁ ସେ ତ୍ରିସ୍ତରୀୟ ପଂଚାୟତକୁ ଦୃଢ କରିଥିଲେ । ସେହି ଢାଂଚାରେ ଆଜି ପର୍ଯ୍ୟନ୍ତ୍ ଶାସନ ବ୍ୟବସ୍ଥା ଚାଲିଆସିଛି । ଗ୍ରାମ ପଂଚାୟତରେ ଗାଁ ମାନଙ୍କର ବିକାଶ ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଅର୍ଥ ବରାଦ ହେଉଥିବାର ଦେଖିବାକୁ ମିଳୁଛି । ମାତ୍ର ବିଡ଼ମ୍ବନାର ବିଷୟ ଗ୍ରାମ ମାନଙ୍କର ଉନ୍ନତି ପାଇଁ ପଂଚାୟତକୁ ଆସୁଥିବା ଟଙ୍କା ଖର୍ଚ୍ଚ ହୋଇପାରୁନାହିଁ । ବର୍ଷ ବର୍ଷ ଧରି ଅର୍ଥ ପଂଚାୟତ ସମିତିରେ ପଡ଼ିରହୁଛି । ଅର୍ଥ ବରାଦ କରାଯାଉଛି କିନ୍ତୁ ଗ୍ରାମ ମାନଙ୍କର ବିକାଶ ହୋଇପାରୁ ନାହିଁ । ସେମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦାନଗଦୀ ବ୍ଲକ୍ ଅନ୍ତର୍ଗତ କୁମ୍ଭିରଗଡିଆ ପଂଚାୟତ କ୍ଷେତ୍ରରେ । ପଂଚାୟତକୁ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆସିଛି ମାତ୍ର ସେ ଟଙ୍କା ଲୋକଙ୍କ ସୁବିଧା ପାଇଁ ପଂଚାୟତରେ ଖର୍ଚ୍ଚ ହୋଇ ନ ପାରି ପଡ଼ିରହିଛି ।
ସୂଚନା ମୁତାବକ ଏବେ ସୁଦ୍ଧା ପଂଚାୟତରେ ଗାଁ ମାନଙ୍କର ବିକାଶ ପାଇଁ ୮୩ ଲକ୍ଷରୁ ଅଧିକ ଟଙ୍କା ବଳକା ରହିଛି । କୁମ୍ଭିରଗଡିଆ ପଂଚାୟତକୁ ଯଦି ନରିଖି ଦେଖିବାକୁ ତେବେ ପଂଚାୟତରେ ଏବେ ବି ଅନେକ କାମ ବାକି ରହିଛି । ରାସ୍ତା, ନାଳ, ପୋଖରୀ, ଆଲୋକି କରଣ, ଡ୍ରେନ, ଖେଳପଡିଆ, କୋଠଘର ଆଦି ଅନେକ କାର୍ଯ୍ୟ କରିବା ପାଇଁ ବାକିରହିଛି । ପଂଚାୟତରେ୧୫ଟି ୱାର୍ଡ ରହିଛି । ପଂଚାୟତରେ ପାଖାପାଖି ୩୦୦୦ ରୁ ୪୦୦୦ ଲୋକସଂଖ୍ୟା ରହିଛି । ପଂଚାୟତରେ ଅନେକ ପରିବାର ପଛୁଆ ବର୍ଗର ହୋଇଥିବା ସତ୍ୱେ ପଂଚାୟତରେ ଖର୍ଚ୍ଚ ହୋଇପାରୁନି ବଳକା ରାଶି । କୁମ୍ଭିରଗଡିଆ ପଂଚାୟତ ଏମିତି ଏକ ଗାଆଁ ଅଛି ଯେଉଁଠି ବିକାଶ ଅପହଁଚ ହୋଇରହିଛି । ଯେମିତି ରାଧାନଗର ଗାଁ । ରଧାନଗର ଗାଁଟି ଏକ ମୌଜା ହୋଇଥିବା ସତ୍ୱେ ସେ ଗାଁର ବିକାଶ ହୋଇପାରିନାହିଁ । ଗାଁର ସମସ୍ତ ପରିବାର ପଛୁଆ ଜାତିର ଲୋକେ । ଗାଁକୁ ରାସ୍ତା ନାହିଁ,ଗୋଟିଏ ମାତ୍ର ନଳକୂପ ରହିଛି ତାହା ମଧ୍ୟରୁ ଗୋଳିଆ ପାଣି ବାହାରୁଛି । ପାନୀୟ ଜଳ ଯୋଗ୍ୟ ନୁହେଁ । କେଉଁ ଗାଁକୁ ଭଲ ରାସ୍ତା ନାହିଁ ତ କେଉଁ ଗାଁରେ ଆଲୋକି କରଣ ବ୍ୟବସ୍ଥା ହୋଇ ନାହିଁ ପୁଣି କେଉଁ ଗାଁରେ ପାନୀୟ ଜଳର ଅବ୍ୟବସ୍ଥା ରହିଛି ତ କେଉଁ ଗ୍ରାମରେ ଡ୍ରେନର ବ୍ୟବସ୍ଥା ନାହିଁ । ଅନେକ ଗ୍ରାମରେ କୋଠ ଘରନାହିଁ । ଏମିତି ଅନେକ ସମସ୍ୟା ପଂଚାୟତର ଗ୍ରାମ ମାନଙ୍କରେ ରହିଛି । ୪୦ ରୁ ୫୦ବର୍ଷ ହେବ ପଂଚାୟତରେ ଥିବା ଡାକଘରର ନିଜସ୍ୱ ଘରନାହିଁ । କେଉଁଠି ଅଙ୍ଗନୱାଡ଼ି କେନ୍ଦ୍ର କୋଠ ଘରେ ଚାଲୁଛି । ଏଭଳି ଅନେକ ଜଟିଳ ସମସ୍ୟା ପଂଚାୟତର ଗାଁ ମାନଙ୍କରେ ଥିବାବେଳେ ୮୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବା ପାଇଁ ପଡ଼ି ରହିବା ନିଶ୍ଚିନ୍ତ ଚିନ୍ତାର ବିଷୟ । କହିବା ବାହୁଲ୍ୟ ଏଥି ପାଇଁ ବ୍ୟବସ୍ଥା ଦାୟୀ ନା ପଂଚାୟତ ପ୍ରତିନିଧି । ପଂଚାୟତର ସରପଂଚକୁ ଏକଦା କରୋନା ସମୟରେ ନବୀନ ସରକାର ଜିଲାପାଳର କ୍ଷମତା ଦେଇଥିବାର ନଜିର ରହିଛି । ସରପଂଚ ବାବୁଙ୍କ ଅଯୋଗ୍ୟତା ଯୋଗୁଁ ଏପରି ପରିସ୍ଥିତି ଉପୁଜିଛି ବୋଲି ପଂଚାୟତବାସୀ କହିଛନ୍ତି । ପୁଣି ଦେଖିବାକୁ ଗଲେ ମୋହନ ସରକାର ବିଡ଼ିଓ ମାନଙ୍କର କ୍ଷମତାକୁ ଦ୍ୱିଗୁଣିତ କରିଛନ୍ତି । ତେଣୁ ତୁରନ୍ତ ବିଡ଼ିଓ ମହୋଦୟ ଏହା ଉପରେ ନଜର ଦେଇ ପଂଚାୟତର ବିକାଶ ଦିଗରେ ବଳକା ଟଙ୍କାକୁ ଖର୍ଚ୍ଚ କରିବାକୁ ପଂଚାୟତବାସୀ ଦାବି କରିଛନ୍ତି ।