ଗ୍ରାମ୍ୟ ଉନ୍ନୟନ ବିଭାଗର ଠିକାଦାର ପ୍ରୀତି  ସରିଲା ଅବଧି ; ହେଲାନି ରକ୍ଷଣା ବେକ୍ଷଣ


ାା ପ୍ରଭାନୁ୍ୟଜ ।ା ଯାଜପୁର: ରାସ୍ତା ମାତ୍ର ଦେଢ କିଲୋମିଟର । ହେଲେ ଖାଲ ଅତାଧିକ । ୬ବର୍ଷ ତଳେ ଅଧକୋଟି ଟଙ୍କାରେ ନିର୍ମାଣ  ହୋଇଥିବା ଉକ୍ତ ରାସ୍ତା କାର୍ଯ୍ୟ ଅବଧି ପରେ ଶେଷ ହୋଇଥିଲା । ବର୍ଷକ ବ୍ୟବଧାନରେ ଶେଷ ହୋଇଥିବା ରାସ୍ତାର ରକ୍ଷଣା ବେକ୍ଷଣ ସମୟ ନିର୍ଘଣ୍ଟ ହୋଇଥିଲା । ହେଲେ ସଂପୃକ୍ତ ରାସ୍ତା ରକ୍ଷଣା ବେକ୍ଷଣ ଅଭାବରୁ ଦୁର୍ବିଶହ ହୋଇପଡ଼ିଛି । ଆମେ କହୁଛୁ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ଭିକିପୁର-ତରାପୁର ରାସ୍ତାର କଥା । ଯେଉଁ ରାସ୍ତାଟି ବ୍ୟାସନଗର ପୈାରାଞ୍ଚଳକୁ ଭିକିପୁର ଠାରୁ ଦଳା-ଶଙ୍ଖଚିଲା ରାସ୍ତାରୁ ସଂଯୋଗ କରୁଛି । ଯେଉଁ ରାସ୍ତା ଉପରେ ଲକ୍ଷ୍ମୀନଗର, ପହଗାଁ, ଯୋକଡ଼ିଆ, ରାଉତରାପୁର, ତଣ୍ଡରା ପ୍ରଭୂତି ଏକାଧିକ ପଞ୍ଚାୟତର ଲୋକେ ନିର୍ଭର କରନ୍ତି । ତରାପୁର ଠାରେ ଥିବା ଏକ ଇଂଜିନିୟରିଂ କଲେଜର ଛାତ୍ରଛାତ୍ରୀ ମଧ୍ୟ ଉକ୍ତ ରାସ୍ତା ଦେଇ ଯିବା ଆସିବା କରିଥାନ୍ତି । ବ୍ଲକର ଏକ ଗୁରୁତ୍ୱପୂର୍ଣ୍ଣ ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିବା ପରେ ଅଧକୋଟି ଟଙ୍କାରେ ଏହା ନିର୍ମାଣ କରାଯାଇଥିଲା । ଠିକାଦାର ସୁକାନ୍ତ କୁମାର ଧଳ କାର୍ଯ୍ୟାଦେଶ ପାଇବା ପରେ ଧିମେଇ ଧିମେଇ କରିଥିଲେ କାର୍ଯ୍ୟ । ଯାଜପୁର ରୋଡ଼ ସବ ଡ଼ିଭିଜନ ରାସ୍ତା ନିର୍ମାଣ ପରେ କିନ୍ତୁ ଏହାର ରକ୍ଷଣା ବେକ୍ଷଣକୁ ଭୁଲିଗଲେ ଠିକାଦାର ଆଉ ଯାଜପୁର ରୋଡ଼ ସବ ଡ଼ିଭିଜନ ଗ୍ରାମ୍ୟ ଉନ୍ନୟନ ବିଭାଗ । ଫଳରେ ରାସ୍ତାଟି ଖାଲଖମାରେ ପରିପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଏକାଧିକ ସ୍ଥାନରେ ଗଡ଼ିଆର ଭ୍ରମ ସୃଷ୍ଟି କରୁଛି । ଠିକାଦାର ମୋଟୁରୁ ରକ୍ଷଣା ବେକ୍ଷଣ ନକରିବାରୁ ରାସ୍ତାର ସ୍ଥିତି ଏଭଳି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି । କିନ୍ତୁ ରକ୍ଷଣା ବେକ୍ଷଣର ସୂଚନା ଫଳକ ଯଦି ଦେଖିବା ତେବେ ଚଳିତ ବର୍ଷ ଅପ୍ରେଲ ମାସରୁ ଏହାର ଅବଧି ଶେଷ ହୋଇଯାଇଛି । ରକ୍ଷଣା ବେକ୍ଷଣ ଅବଧି ୩ ମାସ ପରେ ବି ରାସ୍ତାର ରକ୍ଷଣା ବେକ୍ଷଣ କରାଯାଇନଥିବାରୁ ଚଳପ୍ରଚଳ କରୁଥିବା ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି । ସୂଚନା ଫଳକ ଯାହା କହୁଛି, ୨୦୧୯-୨୦ରେ ମରାମତି ବାବଦରେ ୬୧ ହଜାର, ୨୦୨୦-୨୧ରେ ୭୨ହଜାର, ୨୦୨୧-୨୨ରେ ୮୩ହଜାର,୨୦୨୨-୨୩ରେ ୯୪ହଜାର, ୨୦୨୩-୨୪ରେ ୧ଲକ୍ଷ ୫ହଜାର । ଏହିକ୍ରମେ ଗାଏମୋଟ ରକ୍ଷଣା ବେକ୍ଷଣା ବାବଦରେ ୪ଲକ୍ଷରୁ ଅଧିକ ଟଙ୍କା ବାର୍ଷିକ ଭିତିରେ ପାଞ୍ଚବର୍ଷ ପାଇଁ ବ୍ୟୟଅଟକଳ କରାଯାଇଥିଲା । ଘାସ ଚାଞ୍ଚିବା, ବୁଦାକାଟିବା, ବର୍ଷା ଜନିତ କ୍ଷତିର ମରାମତି କରିବା, ଖାଲଖମା ଓ ଫାଟର ମରାମତି କରିବା,  ନଳାପୋଲର ମରାମତି କରିବା, ପୋଲରେ ଧଳାଚୂନ ଲେପନ କରିବା ପ୍ରଭୂତି ରହିଥିବା ବେଳେ ଠିକାଦାର କିନ୍ତୁ ଏହାକୁ କରିବାର ଦେଖାଯାଇନି । ସଂପୃକ୍ତ ରାସ୍ତାରୁ ପିଚୁ ସହ ଗୋଡ଼ି ଉଠି ବଡ଼ବଡ଼ ଖାଲ ସୃଷ୍ଟି ହୋଇପଡ଼ିଛି । ଯାହା ମରଣଯନ୍ତା ପାଲଟିଥିଲେ ହେଁ ଗ୍ରାମ୍ୟ ଉନ୍ନୟନ ବିଭାଗ ଯାଜପୁର ଡ଼ିଭିଜନ ଏବଂ ବିଭାଗୀୟ ଯନ୍ତ୍ରୀଙ୍କ କୁମ୍ଭନିଦ୍ରା ଭାଙ୍ଗୁନି । ଯାହାକୁ ନେଇ ଜନଅସନ୍ତୋଷ ବଢିବାକୁ ଲାଗିଥିବା ବେଳେ ସ୍ଥାନୀୟ ଲୋକେ ବିଭାଗ କାର୍ଯ୍ୟାଳୟ ଘେରିବାକୁ ସଜବାଜ ହେଉଥିବାର ଜଣାପଡ଼ିଛି । ଏସଂପର୍କରେ ଯନ୍ତ୍ରୀଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ହେଁ ସେ ଫୋନ ଉଠାଇନଥିଲେ ।