ବନ୍ଦ ଘରୁ ଲୁଟ୍, ଜଣେ ଅଟକ
ହିଞ୍ଜିଳିକାଟୁ: ହିଞ୍ଜିଳି ଥାନା ତଥା ସ୍ଥାନୀୟ ପୌରାଞ୍ଚଳ ରାଜା ସାହିର ଏକ ତାଲାବନ୍ଦ ଘରୁ ଲୁଟ୍ ହୋଇଛି । ଲୁଟେରା ଗ୍ୟାଙ୍ଗ ବାରିପଟ କବାଟ ଭାଙ୍ଗି ଘରେ ପଶି ୩ଟି ଆଲମାରୀ ଓ ୨ଟି ଟିଣ ବାକ୍ସ ତାଲା ଭାଙ୍ଗିଥିଲେ । ସେଥିରୁ ଟଙ୍କା କିମ୍ବା ସୁନା ରୁପା ଅଳଙ୍କାର ନପାଇ ଘରେ ମହଜୁଦ ଥିବା ପିତଳ ଓ କଂସାର ବାସନକୁସନ ଲୁଟି ନେଇଥିଲେ । ଲୁଟ୍ ସାମଗ୍ରୀକୁ ଘରର ବାରିପଟ ପୋଖରୀ ନିକଟସ୍ଥ ଏକ ପରିତ୍ୟକ୍ତ ଘରେ ଲୁଚାଇ ଫେରାର ହୋଇଯାଇଥିଲେ । ଶୁକ୍ରବାର ସକାଳେ ଘରର ବାରିପଟ କବାଟ ଭଙ୍ଗା ଯାଇଥିବା ଦେଖି ସାହି ପଡୋଶୀ ଘର ମାଲିକଙ୍କ ସହ ହିଞ୍ଜିଳି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲା । ତଦନ୍ତ ସମୟରେ ଘରର ବାରିପଟ ପୋଖରୀ ନିକଟସ୍ଥ ଏକ ପରିତ୍ୟକ୍ତ ଘରୁ ଲୁଟ୍ ସାମଗ୍ରୀକୁ ପୁଲିସ ଜବତ କରିଛି । ଖବର ପାଇ ଘର ମାଲିକ ଆତ୍ମା ପ୍ରକାଶ ପଣ୍ଡା ଘରେ ପହଞ୍ଚି ଲୁଟ ହୋଇଥିବା ଜାଣିପାରି ଘଟଣା ନେଇ ଶୁକ୍ରବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଚୋରୀ ଘଟଣାରେ ସଂପୃକ୍ତଥିବା ଜଣେ ଯୁବକଙ୍କୁ ହିଞ୍ଜିଳି ପୁଲିସ ଅଟକ ରଖି ପଚରାଉଚରା କରୁଛି । ଅଟକ ଜଣଙ୍କ ସ୍ଥାନୀୟ ପୌରାଞ୍ଚଳ ଲକ୍ଷ୍ମୀ ବଜାର ହରିଜନ ସାହିର ମନୋଜ ଦାସ ବୋଲି ପୁଲିସ କହିଛି । ଘଟଣାରେ ଆହୁରି ୨ ଜଣ ସଂପୃକ୍ତ ଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିପାରିଛି । ଫେରାର ଅନ୍ୟ ଲୁଟେରାଙ୍କୁ ଯଥାଶୀଘ୍ର ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଥାନା ଆଇଆଇସି ଶ୍ରୀନିବାସ ସେଠି କହିଛନ୍ତି ।