ଓଡ଼ିଶା ଆସିବ ‘କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ’ ଟିମ୍

ନୂଆଦିଲ୍ଲୀ : ୨୦୨୪ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଦଳର ଦୁର୍ବଳ ପ୍ରଦର୍ଶନର କାରଣ ଅନୁଧ୍ୟାନ କରିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ଦ୍ୱାରା ନିଯୁକ୍ତ ‘ଫ୍ୟାକ୍ଟ ଫାଇଣ୍ଡିଂ ଟିମ’ ଜୁଲାଇ ୬ ପରେ ଓଡ଼ିଶା ଗସ୍ତ କରିବ ବୋଲି ଟିମ ସଦସ୍ୟ ତଥା ସାଂସଦ ତାରିକ ଅନୱାର କହିଛନ୍ତି। ଗତ ସପ୍ତାହରେ ଟିମର ଅନ୍ୟତମ ସଦସ୍ୟ ଅଜୟ ମାକେନଙ୍କ ମାଆଙ୍କ ମୃତ୍ୟୁ ଯୋଗୁଁ ଗସ୍ତ କାର୍ୟ୍ୟକ୍ରମରେ ବିଳମ୍ବ ଘଟିଛି। ଆଗାମୀ ଦୁଇ ତିନ ଦିନ ମଧ୍ୟରେ ଓଡ଼ିଶା ଗସ୍ତ କାର୍ୟ୍ୟକ୍ରମ ଚୂଡ଼ାନ୍ତ ହେବ ବୋଲି ଶ୍ରୀ ଅନୱାର ସୂଚନା ଦେଇଛନ୍ତି। ନିର୍ବାଚନରେ ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼, ଦିଲ୍ଳୀ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡରେ କଂଗ୍ରେସ ଦଳର ଦୁର୍ବଳ ପ୍ରଦର୍ଶନ ତଥା ପ୍ରାର୍ଥୀଙ୍କ ପରାଜୟର କାରଣ ଜାଣିବାକୁ ଅଖିଳ ଭାରତ କଂଗ୍ରେସ କମିଟି ରାଜ୍ୟୱାରି ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛି। ‘ଫ୍ୟାକ୍ଟ ଫାଇଣ୍ଡିଂ’ କମିଟି ରିପୋର୍ଟ ଆଧାରରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାଜ୍ଜୁନ ଖାଡ଼ଗେ ସମୀକ୍ଷା କରିବେ। ଓଡ଼ିଶା ପାଇଁ ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ ଏବଂ ତାରିକ ଅନୱାର ସ୍ଥାନ ପାଇଛନ୍ତି।