କଳାହାଣ୍ଡିରେ ବିକାଶର ହିସାବ ଦେଲେ ପାଣ୍ଡିଆନ

କଳାହାଣ୍ଡିରେ ବିକାଶର ହିସାବ ଦେଲେ ପାଣ୍ଡିଆନ

ଭବାନୀପାଟଣା:  ବିଜେଡି ନେତା  ଭିକେ ପାଣ୍ଡିଆନ କଳାହାଣ୍ଡିରେ ନିର୍ବାଚନୀ ପ୍ରଚାର କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ଏଥିସହ ବିଗତ ଦିନରେ କଳାହାଣ୍ଡି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ହୋଇଥିବା ବିକାଶ ତାଲିକାକୁ ଜନସାଧାରଣଙ୍କ ଆଗରେ ରଖିଛନ୍ତି ।

ପାଣ୍ଡିଆନ କଳାହାଣ୍ଡି ଜିଲ୍ଲାର ଚାରୋଟି ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । କଳାହାଣ୍ଡି ଜିଲ୍ଲାର ପାଞ୍ଚୋଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ ଚାରୋଟି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିବା ସହ ବିଗତ ଦିନରେ ହୋଇଥିବା ବିକାଶ ତାଲିକାକୁ ଲୋକଙ୍କ ଆଗରେ ରଖିଛନ୍ତି । ଶନିବାର ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ଼, ଧର୍ମଗଡ, ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀରେ ପାଣ୍ଡିଆନ କରିଛନ୍ତି ମାରାଥନ ପ୍ରଚାର । ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋତମୁଣ୍ଡା ଠାରେ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ପାଇଁ ଭୋଟ ଭିକ୍ଷା କରିବା ସହ ପ୍ରଚାର କରିଥିଲେ ।
ଏହାପରେ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଜୟପାଟଣାଠାରେ ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ପାଇଁ ଭୋଟ ଭିକ୍ଷା କରିବା ପରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦଶପୁରଠାରେ ଜୁନାଗଡ଼ ବିଧାୟକ ପ୍ରାର୍ଥୀ ଦିବ୍ୟ ଶଙ୍କର ମିଶ୍ରଙ୍କ ପାଇଁ ଭୋଟ ମାଗିଥିଲେ । ଏହାସହ ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜୋରାଡୋବ୍ରାଠାରେ ବିଧାୟକ ପ୍ରାର୍ଥୀ ମନୋରମା ମହାନ୍ତିଙ୍କ ସମେତ ସମସ୍ତ ନିର୍ବାଚନ ମଣ୍ଡଳୀରେ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ଯୋଡି ଶଙ୍ଖରେ ଭୋଟ ଦେବାକୁ ଅପିଲ କରିବା ସହ ଜିଲ୍ଲାରେ ହୋଇଥିବା ବିକାଶମୂଳକ କାର୍ୟ୍ୟର ହିସାବ ଦେଇଥିଲେ ପାଣ୍ଡିଆନ ସେପେଟେ ଏଥର ବିଜେଡି ପ୍ରାର୍ଥୀ ନିର୍ବାଚନ ଜିତିବେ ଓ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ବିଜେଡି ପ୍ରାର୍ଥୀ ।