ବାତ୍ୟା ରୂପ ନେଲେ ନାମ ରଖାଯିବ ‘ଦାନା’

ବାତ୍ୟା ରୂପ ନେଲେ ନାମ ରଖାଯିବ ‘ଦାନା’

ଭୁବନେଶ୍ୱର: ଓଡ଼ିଶା ଭିତରେ ହିଁ  ବୁଲିବ ବାତ୍ୟା- ଉପକୂଳରୁ ଆଭ୍ୟନ୍ତର  ଆଉ ଉତ୍ତର ଓଡ଼ିଶା । ସପ୍ତାହେ ଯାଏ  ପ୍ରବଳ ବର୍ଷା ସମ୍ଭାବନା ବି ରହିଛି ।  ବାତ୍ୟା ଦୁର୍ବଳ ପରେ ବି ସପ୍ତାହ  ଯାଏ ଓଡ଼ିଶା ଉପରେ ଲଘୁଚାପ  ରହିବ । ଜିଏଫ୍‌ଏସ୍‌ ମଡେଲ ଏଭଳି ଆକଳନ କରିଛି ।   ଅତି ଭୀଷଣ ବାତ୍ୟା ରୂପ ନେଇପାରେ । ପବନର ବେଗ ୧୫୦କିମି ଡେଇଁପାରେ ।  ମାଡ଼ ହେବ ସିଧା ଓଡ଼ିଶା ଉପକୂଳରେ  ପାରାଦୀପରୁ ବାଲେଶ୍ୱର ମଝିରେ ।  ଗ୍ଲୋବାଲ୍‌ ଫେରକାଷ୍ଟିଂ ମଡେଲ  (ଜିଏଫ୍‌ଏସ୍‌) ଏମିତି ପୂର୍ବାନୁମାନ  ଦେଇଛି । ବାତ୍ୟା ରୂପ ନେଲେ ଏହାର ନାମକରଣ ‘ଦାନା’ ରଖାଯିବ। ଖାଲି ଜିଏଫ୍‌ଏସ୍‌ ମଡେଲ ନୁହେଁ,  ଏନ୍‌ସିଇପି ମଡେଲର ଆକଳନ ମଧ୍ୟ  ବାତ୍ୟା ଆଶଙ୍କାକୁ ବଢ଼ାଇ ଦେଇଛି । ୨୪ ତାରିଖ ବେଳକୁ ବଙ୍ଗୋପସାଗରରେ  ବାତ୍ୟା ଆଶଙ୍କା ୩୦ରୁ ୪୦% ରହିଛି  ବୋଲି ଆଇଏମ୍‌ଡି ଇଆର୍‌ଏଫ୍‌  ମଡେଲ ପୂର୍ବାନୁମାନ କରିଛି । ଇସି  ଏଆଇଏଫ୍‌ଏସ୍‌ ମଡେଲ କହିଛି  କାଟାଗୋରୀ-୧ ବାତ୍ୟା ହେବ । 
କିନ୍ତୁ ଭାରତୀୟ ପାଣିପାଗ ବିଭାଗର  ମହା ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର  କହିଛନ୍ତି, ଆସନ୍ତା ସପ୍ତାହରେ ବାତ୍ୟା  ନେଇ ଏବେଯାଏ କୌଣସି ଆକଳନ  କରାଯାଇନି । ଏହି ସମୟରେ ଲଘୁଚାପ  ସୃଷ୍ଟି ହେବ । ଏହା ଘନୀଭୂତ ହୋଇ  ଅବପାତ ରୂପ ନେଇପାରେ।ଏହା ପ୍ରଭାବରେ ଉପକୂଳ ଓଡ଼ିଶା ଓ ଉତ୍ତର  ଓଡ଼ିଶାରେ ବର୍ଷା ହେବ ।  ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା  ମନୋରମା ମହାନ୍ତି କହିଛନ୍ତି, ୨୨ ତାରିଖରେ  କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ହେବ । ଏହା ଉତ୍ତର ପଶ୍ଚିମ ଦିଗରେ ଆଗକୁ ଯାଇପାରେ । ଏହା ଅଧିକ ଘନୀଭୂତ ହୋଇପାରେ । କିନ୍ତୁ ବାତ୍ୟା ସମ୍ଭାବନାକୁ ନେଇ କୌଣସି ପୂର୍ବାନୁମାନ ନାହିଁ । ୨୩ ଓ ୨୪ ତାରିଖରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ସେ କହିଛନ୍ତି ।  ଗ୍ଲୋବାଲ ଫୋରକାଷ୍ଟ୍‌ ସିଷ୍ଟମ(ଜିଏଫଏସ୍‌)  ମଡେଲର ସଦ୍ୟ ଆକଳନ ଅନୁସାରେ, ୨୪  ତାରିଖରେ ପାରାଦୀପରୁ ବାଲେଶ୍ୱର ମଝିରେ ଓଡ଼ିଶା ଉପକୂଳର କୌଣସି ସ୍ଥାନରେ ବାତ୍ୟା  ମାଡ଼ ହୋଇପାରେ । ଲ୍ୟାଣ୍ଡଫଲ୍‌ ସମୟରେ ବାତ୍ୟା  କେନ୍ଦ୍ରସ୍ଥଳର ଚାପ ୯୪୪ ମିଲିବାର୍‌ ରହିବ । ଅତି  ଭୀଷଣ ବାତ୍ୟା(ଭେରି ସିଭିଅର ସାଇକ୍ଲୋନିକ ଷ୍ଟର୍ମ)  ରୂପ ନେଇପାରେ । ୨୫ ତାରିଖରେ ମଧ୍ୟ ବାତ୍ୟାର  ପ୍ରଭାବ ରହିବ । ପରେ ଏହା ଦୁର୍ବଳ ହୋଇଯିବ ସତ,  କିନ୍ତୁ ଲଘୁଚାପ ସକ୍ରିୟ ରହିବ । ଅକ୍ଟୋବର ମାସ  ଶେଷ ଯାଏ ଏହି ଲଘୁଚାପ ଓଡ଼ିଶା ଉପରେ ରହିବ ବୋଲି ଜିଏଫଏସ୍‌ ଆକଳନ କରିଛି । ଏଭଳି ହେଲେ  ୨୩ ତାରିଖରୁ ସପ୍ତାହେ ଯାଏ ରାଜ୍ୟରେ ପ୍ରବଳ ବର୍ଷା  ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି ।