ବିରୋଧ କରିବାରୁ ଆକ୍ରମଣ ; ଉଭୟ ପକ୍ଷରୁ ୫ ଗିରଫ
ଭୁବନେଶ୍ୱର, ୨୯ା୪ : ଦୃତ ଗତି ଗାଡି ଚଳାଇ ନିଜଆଡକୁ ମାଡି ଆସୁଥିବା ଦେଖି ମହିଳା ଜଣଙ୍କ ବିରୋଧ କରିବାରୁ ପ୍ରତିସୋଧ ପରାୟଣ ହୋଇ ଗାଡିରୁ ଟାଣି ଆଣି ଆକ୍ରମଣ । ଏନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ସହ ଥାନାରେ ଅଭିଯୋଗ । ଅଭିଯୋଗ ପରେ ଉଭୟଙ୍କ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରି ଉଭୟଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ । ଗିରଫ ୫ ଜଣ ହେଲେ, ସଞ୍ଜିପ୍ କୁମାର ଗୁପ୍ତା, ଆଲୋକ ଶର୍ମା, ସଞ୍ଜିତ୍ ଶର୍ମା, ବିନୟ କୁମାର ଦାସ ଓ ଗୌତମ କୁଣ୍ଡୁ ।
ସୂଚନାଯୋଗ୍ୟଯେ, ରବିବାର ସନ୍ଧ୍ୟା ସମୟରେ ଅଭିଯୁକ୍ତ ବିକ୍ରମ ଓରଫ ଗୁଡ଼ୁ ଏକ କାରକୁ ଦୃତ ଗତିରେ ବେପରୁଆ ଭାବରେ ଚାଳନା କରି ଅଭିଯୋଗକାରିଣୀ କମଳିନୀ ଗୁପ୍ତାଙ୍କ ଆଡକୁ ନେଇ ଆସିଥିଲେ । ସେହି ସମୟରେ ଅଭିଯୋଗକାରିଣୀ ବଙ୍ଗାଳୀ ସାହିର ଅନ୍ୟ କିଛି ମହିଳାଙ୍କ ସହିତ କଥା ହେଉଥିଲେ । ଏହା ଦେଖି ଅଭିଯୋଗକାରିଣୀ ବିରୋଧ କରିବାରୁ ଅଭିଯୁକ୍ତ ବିକ୍ରମ ଓ ତାଙ୍କର ଅନ୍ୟ ସହଯୋଗୀ ମାନେ ତାଙ୍କୁ ଗାଳି ଗୁଲଜ କରିବା ସହିତ ଧମକ ଦେଇଥିଲେ । ସମବର୍ତ୍ତୀ ଭାବରେ ପ୍ରତିଶୋଧ ପରାୟଣ ହୋଇ ଘଟଣା ଦିନ କମଳିନୀ, ସଞ୍ଜିବ୍, ଆଲୋକ, ସଞ୍ଜିତ୍ ଓ ଅନ୍ୟମାନେ ବିକ୍ରମଙ୍କ ଘର ନିକଟକୁ ଯାଇଥିଲେ ଓ ସେଠାରେ ଗାଳି ଗୁଲଜ କରିଥିଲେ । ସେହି ସମୟରେ ଅଭିଯୁକ୍ତ ବିକ୍ରମ ସମ୍ପୃକ୍ତ କାର ଟିକୁ ନେଇ ସେଠାରେ ପହଞ୍ଚି ଥିଲେ । ଏହା ଦେଖି ହଠାତ ସଞ୍ଜିବ୍ କାର ନିକଟକୁ ଆସି ବିକ୍ରମଙ୍କୁ କାର ଭିତରୁ ଟାଣିଆଣି ହତ୍ୟା କରିବା ଉଦେଶ୍ୟରେ ମିଳିତ ଭାବରେ ଲୁହା ରଡରେ ଆକ୍ରମଣ କରିଥିଲେ । ଏହା ଦେଖି ବିକ୍ରମଙ୍କ ମାଆ ତାଙ୍କର ପୁଅକୁ ଉଦ୍ଧାର କରିବା ପାଇଁ ଘଟଣା ସ୍ଥଳକୁ ଦୌଡ଼ି ଯାଇଥିଲେ । ସେହି ସମୟରେ କିଛି ପଡୋଶୀ ଏକତ୍ରିତ ହେବାରୁ ଅଭିଯୁକ୍ତ ସଞ୍ଜିବ୍ ଓ ସହଯୋଗୀ ମାନେ ବିକ୍ରମଙ୍କୁ ଧମକ ଦେଇ ଘଟଣା ସ୍ଥଳରୁ ଚାଲିଯାଇଥିଲେ । ବିକ୍ରମଙ୍କ ସ୍ୱାସ୍ଥ୍ୟବସ୍ତା ଗୁରୁତର ହେବାରୁ ତାଙ୍କୁ ଚିକିସ୍ଥା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏନେଇ ଉଭୟ ପକ୍ଷରୁ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ଉଭୟ ପକ୍ଷରୁ ୫ ଜଣଙ୍କ ଗିରଫ କରିଛି ।