ରାଜଧାନୀରେ ହେବ ଦୀନଦୟାଲ ପାର୍କ

Deendayal Park

ରାଜଧାନୀରେ ହେବ ଦୀନଦୟାଲ ପାର୍କ

‘ଏକାତ୍ମ ମାନବବାଦ’କୁ ଅନୁସରଣ କରିବା ଦରକାର : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଦେଶ ପ୍ରତି ଦୀନଦୟାଲଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏବଂ ତାଙ୍କ ସ୍ମୃତିକୁ ଉଜ୍ଜୀବିତ କରି ରଖିବା ପାଇଁ ରାଜ୍ୟ ସରକାର ତାଙ୍କ ନାମରେ ଭୁବନେଶ୍ୱରରେ ଏକ ସୁଦୃଶ୍ୟ ପାର୍କ ନିର୍ମାଣ କରିବେ । ସେହି ପାର୍କରେ ପଣ୍ଡିତ ଦୀନଦୟାଲଙ୍କ ଏକ ଲାଇଫ୍‌ ସାଇଜ୍‌ ପ୍ରତିମୂର୍ତ୍ତି ମଧ୍ୟ ପ୍ରତିଷ୍ଠା କରାଯିବ  । ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୯ତମ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି  ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଭାରତୀୟ ସାଂସ୍କୃତିକ ବିଚାରଧାରା ଏବଂ ସ୍ୱତନ୍ତ୍ର ଅର୍ଥନୈତିକ ଚିନ୍ତାଧାରାର ପ୍ରସାର କ୍ଷେତ୍ରରେ ଯଦି କାହାର ସର୍ବାଧିକ ଅବଦାନ ଥାଏ, ତେବେ ସେ ହେଉଛନ୍ତି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ  । ଜଣେ ମୌଳିକ ଚିନ୍ତାନାୟକ ଭାବେ ଦେଶ ପ୍ରତି ତାଙ୍କର ଅନେକ ଅବଦାନ ରହିଛି  । କିନ୍ତୁ ଇତିହାସରେ ତାଙ୍କୁ ଯେଉଁ ସମ୍ମାନ ମିଳିବାର କଥା, ତାହା ମିଳିପାରି ନାହିଁ । ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଭଳି ଜଣେ ମୌଳିକ ଚିନ୍ତାନାୟକଙ୍କ ପ୍ରତି ଉପଯୁକ୍ତ ସମ୍ମାନ ଓ ମର୍ଯ୍ୟଦା ପ୍ରଦାନ କରିବାର ପ୍ରକୃଷ୍ଟ ସମୟ ଆସିଛି  ।