ଇଡ଼ି ଓ ସିବିଆଇ ଚଢ଼ାଉ ହୋଇଥିବା କମ୍ପାନୀ ‘ବିରୋଧୀ ପାଇଛନ୍ତି ଅଧିକ ଚାନ୍ଦା’

ଭୁବନେଶ୍ୱର : ଇଡ଼ି ଓ ସିବିଆଇ ଚଢ଼ାଉ ହୋଇଥିବା କମ୍ପାନୀଗୁଡ଼ିକ ବିରୋଧୀଙ୍କୁ ଅଧିକ ଚାନ୍ଦା ଦେଇଛନ୍ତି । ବିଜେପି ସେମାନଙ୍କ ଠାରୁ ୩୭% ଚାନ୍ଦା ପାଇଥିବାବେଳେ ବିରୋଧୀ ୬୩% ଚାନ୍ଦା ପାଇଛନ୍ତି । ତେଣୁ ଚାନ୍ଦା ପାଇଁ ବିଜେପି ସରକାର ଚଢ଼ାଉ କରୁଛି ବୋଲି ବିରୋଧୀ ଯାହା କହୁଛନ୍ତି ତାହା ଭୁଲ ପ୍ରମାଣିତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେ କହିଛନ୍ତିଯେ, ରାଜନୀତିକ ଚାନ୍ଦା ପାଇଁ କେନ୍ଦ୍ର ସରକାର ଇଡ଼ି ଓ ସିବିଆଇ ରେଡ୍ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ତେବେ ୩ ହଜାର କମ୍ପାନୀ ଇଲୋକ୍ଟ୍ରାଲ ବଣ୍ଡ ଜରିଆରେ ଚାନ୍ଦା ଦେଇଥିବାବେଳେ ମାତ୍ର ୨୬ କମ୍ପାନୀ ଉପରେ ଇଡ଼ି ଓ ସିବିଆଇ ରେଡ୍ ହୋଇଛି । ସେମାନଙ୍କ ମଧ୍ୟରୁ ୧୬ କମ୍ପାନୀ ଚାନ୍ଦା ଦେଇଛନ୍ତି । ସେଥିମଧ୍ୟରୁ ବିଜେପିକୁ ୩୭% ଟଙ୍କା ଆସିଥିବାବେଳେ ବିରୋଧୀ ୬୩% ଚାନ୍ଦା ପାଇଛନ୍ତି ।
ସେହିପରି ଇଲୋକ୍ଟ୍ରାଲ ବଣ୍ଡ ସଂକ୍ରାନ୍ତରେ ମୋଦି କହିଛନ୍ତିଯେ, ଏହାଦ୍ୱାରା କେଉଁ କମ୍ପାନୀ କେଉଁ ଦଳକୁ କେତେ ଦେଇଛି ତାହା ଜଣାପଡ଼ିଯାଉଛି । କଳାଧନରେ ନିର୍ବାଚନ ଲଢାଯାଉଛି ବୋଲି ଅଭିଯୋଗ ହୋଇ ଆସୁଛି । ତେଣୁ ରାଜନୀତିକ ଚାନ୍ଦାରେ ସ୍ୱଚ୍ଛତା ଆସିବା ଦରକାର । ଇଲେକ୍ଟ୍ରୋଲ ବଣ୍ଡ ଏଥିରେ ସହାୟକ ହୋଇପାରୁଛି । ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶରେ ଇଲୋକ୍ଟ୍ରାଲ ବଣ୍ଡ ସଂକ୍ରାନ୍ତୀୟ ତଥ୍ୟ ପଦାକୁ ଆସିଛି । ଏହା ବିଜେପି ପାଇଁ ଝଟକା ବୋଲି ଅନେକ କହୁଥିଲେ । କିନ୍ତୁ ସବୁ ଦଳର ତଥ୍ୟ ସାମ୍ନାକୁ ଆସିପାରିଛି ।
ସୂଚନାଯୋଗ୍ୟଯେ, ବିରୋଧୀ ପୂର୍ବରୁ ଇଡ଼ି ଓ ସିବିଆଇ ଚଢ଼ାଉ ପରେ କେଉଁ କମ୍ପାନୀ ପୂର୍ବରୁ କେତେ ଦେଇଥିଲେ ଓ ପରେ କେତେ ଚାନ୍ଦା ଦେଇଛନ୍ତି ତାହାର ଏସଆଇଟି ତଦନ୍ତ କରିବାକୁ ଦାବି କରିଥିଲେ ।