ପାଣ୍ଡିଆନ୍‌ଙ୍କୁ କ୍ଲିନ୍‌ଚିଟ୍ ଦେଲେ ନବୀନ

ପାଣ୍ଡିଆନ୍‌ଙ୍କୁ କ୍ଲିନ୍‌ଚିଟ୍ ଦେଲେ ନବୀନ

ଭୁବନେଶ୍ବର: ରାଜ୍ୟରେ ବିଜେଡିର ପରାଜୟ ପରେ ଭିକେ ପାଣ୍ଡିଆନ୍‌ଙ୍କୁ ନେଇ ଜାରି ରହିଥିବା ବିବାଦ ମଧ୍ୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ସେ ପାଣ୍ଡିଆନ୍‌ଙ୍କୁ କ୍ଲିନ୍‌ଚିଟ୍  ଦେଇଛନ୍ତି। ସେ କହିଛନ୍ତି ପାଣ୍ଡିଆନ୍‌ଙ୍କୁ ନେଇ ଚାଲିଥିବା ସମାଲୋଚନାକୁ ମୁଁ ନିନ୍ଦା କରୁଛି । ପାଣ୍ଡିଆନ୍ କୌଣସି ପଦବୀରେ ନାହାନ୍ତି କି ନିର୍ବାଚନ ଲଢି ନାହାନ୍ତି ।  ପାଣ୍ଡିଆନ ସ୍ବାସ୍ଥ୍ୟ, ଶିକ୍ଷା ଓ ମନ୍ଦିର ରୂପାନ୍ତରଣରେ ଭଲ କାର୍ୟ୍ୟ କରିଥିଲେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ବାତ୍ୟା ଓ କୋଭିଡ୍ କାଳରେ ପାଣ୍ଡିଆନ ବହୁତ ଭଲ କାମ କରିଥିବା କଥା ମଧ୍ୟ ଦୋହରାଇଛନ୍ତି ନବୀନ ।  ପରାଜୟକୁ ମୁଁ ସ୍ୱୀକାର କରିବା ସହ ରାଜ୍ୟବାସୀଙ୍କ ସେବା ଜାରି ରଖିବି ।  ରାଜ୍ୟବାସୀ ମତେ ବାରମ୍ବାର ମୁଖ୍ୟମନ୍ତ୍ରୀ କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ଏହା ସହିତ ସେ ପୁଣି କହିଛନ୍ତି ମୋ ଉତ୍ତରାଧିକାରୀ ରାଜ୍ୟବାସୀ ସ୍ଥିର କରିବେ । ପାଣ୍ଡିଆନ୍ ମୋ  ଉତ୍ତରାଧିକାରୀ ନୁହଁନ୍ତି।
ଏହା ସହିତ ନବୀନ କହିଛନ୍ତି ଦୀର୍ଘ ଦିନ ଧରି ଓଡ଼ିଶାର ସେବା କରିବା ପାଇଁ ବିଜେଡ଼ି ସରକାରଙ୍କୁ ଓଡ଼ିଶାର ଜନସାଧାରଣ ସୁଯୋଗ ଦେଇଥିବାରୁ ମୁଁ ସେମାନଙ୍କୁ କୃତଜ୍ଞତା ଜଣାଉଛି। ପିଟିଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଲୋକଙ୍କ ସେବା କରିବାକୁ ମୋତେ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀ ନିକଟରେ ମୁଁ ଗଭୀର କୃତଜ୍ଞ। ଆମ ସରକାରଙ୍କ ଉପଲବ୍ଧି ନେଇ ମୁଁ ଗର୍ବିତ । ଗଣତନ୍ତ୍ରରେ ବିଜୟ କିମ୍ବା ପରାଜୟ ହୋଇଥାଏ। ଓଡ଼ିଶାର ସାଢେ ୪ କୋଟି ଜନତା ମୋ ପରିବାର ଓ ମୁଁ ସେମାନଙ୍କ ସେବା ଜାରି ରଖିବି । ଆମେ ପରାଜୟକୁ ସାଦର ସହ ଗ୍ରହଣ କରୁଛୁ।

ସେ କହିଛନ୍ତି ଯେ ଗଣତନ୍ତ୍ରରେ ଜିତିବା ଓ ହାରିବା  ନିରନ୍ତର ପ୍ରକ୍ରିୟା । ଦୀର୍ଘଦିନ କ୍ଷମତାରେ ରହିବା ପରେ ହାରିବାକୁ ସ୍ୱୀକାର କରୁଛି । ପରାଜୟ ସତ୍ତ୍ୱେ ରାଜ୍ୟବାସୀଙ୍କ ପାଇଁ ସେବା ଜାରି ରଖିିବି । ପାଣ୍ଡିଆନଙ୍କୁ ପରାଜୟ ପାଇଁ ସମାଲୋଚନା କରିବା ଗ୍ରହଣୀୟ ନୁହେଁ । ତାଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ । 
ପାଣ୍ଡିଆନ ଅଫିସରଭାବେ କାମ କରି ଚାକିରିରୁ ଅବସର ନେଇ ବିଜେଡିରେ ମିଶିଥିଲେ । ସେ କୌଣସି ପଦପଦବୀରେ ନାହାନ୍ତି କି ଚଳିତ ନିର୍ବାଚନରେ  ଲଢିନାହାନ୍ତି ।
ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ମୁଁ ଆଉଥରେ ସ୍ପଷ୍ଟ କରୁଛି । ମୋ ଉତ୍ତରାଧିକାରୀ ଓଡ଼ିଶାବାସୀ ସ୍ଥିର କରିବେ ବୋଲି ନବୀନ ପଟ୍ଟନାୟକ କହିଛନ୍ତି ।
ଏହାଛଡ଼ା ସେ କହିଛନ୍ତି ଯେ ମୋ ସ୍ୱାସ୍ଥ୍ୟ ଅବସ୍ଥା ନେଇ ପ୍ରଶ୍ନ କରାଯାଇଛି । ତେବେ ମୁଁ ପୂରା ସୁସ୍ଥ ଅଛି । ନିର୍ବାଚନରେ ଦଳ ପାଇଁ ପ୍ରଚାର କରିଛି ।