ଇଭିଏମ୍ କମିଶନିଂ ପ୍ରଶିକ୍ଷଣ
ଯାଜପୁର: ନିର୍ବାଚନ ପରିଚାଳନା ଦାୟିତ୍ୱ ତୁଲାଇବାକୁ ଥିବା ବିଭିନ୍ନ ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବାରେ ଲାଗିଛି । ମଙ୍ଗଳବାର ପୂର୍ବାହ୍ନ ଓ ଅପରାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଜିଲାପାଳ, କଳିଙ୍ଗନଗର ଲଙ୍କେଶ୍ୱର ଅମାତ, ଉପ-ଜିଲାପାଳ ଅଂଶୁମାନ ଶତପଥୀ, ଅତିରିକ୍ତ ଉପ-ଜିଲାପାଳ ମନୋରମା ଜାଲି ଯୋଗଦେଇ ଭୋଟ ଗଣତିରେ ନିଯୁକ୍ତ ହେବାକୁ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମସ୍ତ ବିଡିଓ-ଏବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର, ଡେପୁଟି କଲେକ୍ଟର, ରାଜସ୍ୱ ନିରୀକ୍ଷକ, ରାଜସ୍ୱ ସୁପରଭାଇଜର, ସିଆର୍ସିସି ସେକ୍ସନ ଅଫିସରମାନେ ଯୋଗ ଦେଇଥିଲେ । ଲୋକସଭା ଆସନ ନିମନ୍ତେ ୧୨ଗୋଟି ଟେବୁଲ ଓ ବିଧାନସଭା ଆସନ ନିମନ୍ତେ ୧୨ ଗୋଟି ଟେବୁଲକୁ ନେଇ ୨୪ ଗୋଟି ଟେବୁଲରେ ଏନ୍ସି କଲେଜରେ ଜୁନ୍ ୪ ତାରିଖରେ ସକାଳ ୮ଘଟିକା ସମୟରେ ଭୋଟ ଗଣତି ଆରମ୍ଭ ହେବ । ପ୍ରତି ଟେବୁଲରେ ଇଭିଏମ୍ ପାଇଁ ମାଇକ୍ରୋ ପର୍ଯ୍ୟବେକ୍ଷକ, କାଉଣ୍ଟିଂ ସୁପରଭାଇଜର ଏବଂ କାଉଣ୍ଟିଂ ଆସିଷ୍ଟାଣ୍ଡ ରହିବେ । ଭୋଟ ଗଣତି ଦିବସ ଜୁନ୍ ୪ତାରିଖର ଏକ ସପ୍ତାହ ପୂର୍ବରୁ ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ କରାଯିବ । ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପ-ଜିଲାପାଳ ଅଂଶୁମାନ ଶତପଥୀଙ୍କ ଉପସ୍ଥିତିରେ ଇଲେକ୍ଟୋରାଲ ରୋଲର ଟେବୁଲ ଟପ୍ ଏକ୍ସରସାଇଜ ଅନୁଷ୍ଠିତ ହୋଇଥିଲା । ପୂର୍ବାହ୍ନ ୧୧ଘଟିକା ସମୟରେ ନିର୍ବାଚନ କମିଶନଙ୍କ ନିଯୁକ୍ତ ସାଧାରଣ ପର୍ଯ୍ୟବେକ୍ଷକ ଡ.କରୁଣା କୁମାରୀ, ଏବଂ ବିଶ୍ରାମ ମୀନାଙ୍କ ଉପସ୍ଥିତିରେ ଗୌତମ ବୁଦ୍ଧ ସଂସ୍କୃତି ଭବନ ଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲାପରିଷଦଅଶୋକ କୁମାର ବେହୁରିଆ ଅଣୁ ପର୍ଯ୍ୟବେକ୍ଷକ ମାନଙ୍କୁ କାଉଣ୍ଟିଂ ହଲର ବିଭିନ୍ନ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ ସମ୍ୱନ୍ଧରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଅପରାହ୍ନରେ ୪ ଘଟିକା ସମୟରେ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ, ରାଜସ୍ୱ ଶୁଭେନ୍ଦ୍ର କୁମାର ସାମଲଙ୍କ ଅଧ୍ୟକ୍ଷତାରେ ମଧ୍ୟ କାଉଣ୍ଟିଂ କର୍ମଚାରୀ ମାନଙ୍କୁ ଜୁନ୍ ୪ ତାରିଖ ଭୋଟ ଗଣତି ଦିନ ଭୋର ୫ ଟା ସମୟରୁ ଏଜେଣ୍ଟ ମାନଙ୍କ ଉପସ୍ଥିତିରେ ସକାଳ ୭ ଘଟିକା ପର୍ଯ୍ୟନ୍ତ ଟେବୁଲ ରାଣ୍ଡୋମାଇଜେସନ ହେବା ସମ୍ୱନ୍ଧରେ ସୂଚନା ଦେଇଥିଲେ । ଅପରାହ୍ନରେ ୪ ଘଟିକା ସମୟରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅତିରିକ୍ତ ଜିଲାପାଳ, ପ୍ରଶାସନ ନବକ୍ରିଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ପ୍ରିଜାଇଡିଂ ଅଧିକାରୀ ମାନଙ୍କୁ ଇଭିଏମ୍ ମେସିନ (ବାଲାଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଏବଂ ଭିଭିପାଟ୍) କମିଶନିଂ ସମ୍ୱନ୍ଧରେ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ସହ ପ୍ରାକ୍ଟିକାଲ ପ୍ରଦର୍ଶନୀ ମାଧ୍ୟମରେ ବୁଝାଇଥିଲେ । ପ୍ରାର୍ଥୀ ମାନଙ୍କ ଖର୍ଚ୍ଚ ସମ୍ୱନ୍ଧୀୟ ରେଜିଷ୍ଟରକୁ ନିର୍ବାଚନ ଖର୍ଚ୍ଚ ଟିମ୍ ଜିଲାପରିଷଦ ସମ୍ମିଳନୀ କକ୍ଷରେ ଡିପିଏମ୍ଓଏଲ୍ଏମ୍ ପ୍ରଶାନ୍ତ କୁମାର ପାଢୀଙ୍କ ପରିଚାଳନାରେ ସାଡୋ ରେଜିଷ୍ଟର ସହ ମେଳକ କରାଯାଇଥିଲା ।
 
 Rasmita Behera
                                    Rasmita Behera                                 
    
 
    
 
 
 
