ଜରିପାଲ ତଳେ ବିତୁଛି ବିନ୍ଧାଣୀ ପରିବାରଙ୍କ ଜୀବନ
ଯଖପୁରା : ମଣିଷ ପାଇଁ ଅତି ଆବଶ୍ୟକ ଖାଦ୍ୟ, ବସ୍ତ୍ର,ବାସଗୃହ । ମଣିଷ ତା’ କାର୍ଯ୍ୟ ବ୍ୟସ୍ତତା ଜୀବନ ଭିତରେ ସ୍ୱପ୍ନ ଦେଖେ ଘର ଖଣ୍ଡେ ନିର୍ମାଣ କରିବ । ନିଜର ତଥା ନିଜ ପିଲା ଛୁଆଙ୍କ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଘରର ଆବଶ୍ୟକତା ରହିଛି । ଘରଟିଏ ନିର୍ମାଣ କରିବା ସମସ୍ତଙ୍କ ଜୀବନର ସ୍ୱପ୍ନ ହୋଇଥାଏ । କିନ୍ତୁ ସେହି ଘର ନିର୍ମାଣକୁ ନେଇ ଜୀବନ ବିତିଯାଏ କିନ୍ତୁ ଘର ଖଣ୍ଡେ ତା ଭାଗ୍ୟରେ ଜୁଟେ ନାହିଁ । ବାପା ଗୋଷା ବାପା ଅମଳରୁ ନିର୍ମିତ ଘରେ ରହିଥାଏ । ସେହି ଘରକୁ ମଧ୍ୟ ସୁରକ୍ଷିତ ଭାବରେ ରଖିବା ବେଳେ ବେଳେ କଷ୍ଟ ହୋଇପଡେ । ଅଣ୍ଟାରେ ଯଦି ସମ୍ବଳ ନ ଥାଏ, ତେବେ ମଣିଷ ନାଚାର ହୋଇପଡେ । ଘର ନିର୍ମାଣ କରିବା ଦୂରରେ ଥାଉ ରହୁଥିବା ଘରକୁ ମଧ୍ୟ ସୁରକ୍ଷିତ ରଖିପାରେ ନାହିଁ । ଏପରି ଦୃଶ୍ୟ ଦେଖିବକୁ ମିଳିଛି ଦାନଗଦୀ ବ୍ଲକ୍ ଅନ୍ତର୍ଗତ ମାଣତୀରା ପଞ୍ଚାୟତ ରାବଣା ଗ୍ରାମର ଆଦିବାସୀ ଅଧ୍ୟୁଷିତ ଚୁଳିଆ ସାହିରେ ।
ଚୂଳିଆ ସାହିର ସମସ୍ତ ପରିବାର ଆଦିବାସୀ ସଂପ୍ରଦାୟର । ଗ୍ରାମରେ ପ୍ରାୟ ୪୦ ରୁ ୫୦ ପରିବାର ବସବାସ କରନ୍ତି । ଅନେକ ପରିବାର ଅଭାବ ଅନଟନ ଭିତରେ ଜୀବନ ବିତାଉଛନ୍ତି । ତା ମଧ୍ୟରେ ବିନ୍ଧାଣୀ ପରିବାର କଥା ଆଲୋଚନାକୁ ନିଆଯାଏ । ପରିବାରରେ ଦୁଇଭାଇ ରହନ୍ତି । ମାତ୍ର ଅଳ୍ପ ବୟସରେ ବଡ଼ ଭାଇର ଦେହାନ୍ତ ହୁଏ । ବଡ଼ ଭାଇର ସ୍ତ୍ରୀ ଅନାମୀ ବିନ୍ଧାଣୀ । ତାର ଚାରିଗୋଟି ପିଲା । ତିନୋଟି ଝିଅ ଆଉ ଗୋଟିଏ ପୁଅ । ସାନ ଭାଇ ଧର୍ମା ବିନ୍ଧାଣୀ । ସ୍ତ୍ରୀ ଦିବାଲି । ସଂସାର କହିଲେ ପାଞ୍ଚ ଝିଅ ଦୁଇ ପୁଅ । ଏହାକୁ ନେଇ ସଂପୂର୍ଣ୍ଣ ବିନ୍ଧାଣୀ ପରିବାର । ରହିବା ପାଇଁ ଗୋଟିଏ ଘର ଦୁଇଟି ବଖରା । ମାତ୍ର ଘରର ଅବସ୍ଥା ବିପର୍ଯ୍ୟସ୍ତ । ଜରାଜୀର୍ଣ୍ଣ ଘରେ ବସବାସ କରୁଛନ୍ତି ବିନ୍ଧାଣୀ ପରିବାର । ଯେଉଁ ଘରେ ରହୁଛନ୍ତି ପରିବାରର ୧୩ ଜଣ ସଦସ୍ୟ । ଘରର ଅବସ୍ଥା ଏପରି ଯେ ଘର ଭିତରୁ ଦିନରେ ସୂର୍ଯ୍ୟ ରାତିରେ ତାରା ଦେଖାଯାଏ । ଘରର କାନ୍ଥ ସବୁ ନଇଁ ପଡ଼ିଛି । ଘର ଭିତର ଖାଲଖମାରରେ ପୂର୍ଣ୍ଣ । ଶୋଇବା ପାଇଁ ମଳେ ଜାଗା ମଧ୍ୟ ନାହିଁ । ଅଭାବ ଅନଟନରୁ ରହୁଥିବାରୁ ନୁଆଁଣିଆ ଚାଳ ଘରଟିକୁ ଛପର କରିପାରୁନାହାଁନ୍ତି । ଫଳରେ ଘର ଭିତରେ ରହିଲେ ମଧ୍ୟ ଖରା, ବର୍ଷା, ଶୀତର ପ୍ରକୋପ ସହିବାକୁ ପଡେ । ଯେଉଁ ଘରେ ତେର ତେର ଜଣ ରହୁଛନ୍ତି । କେତେବେଳେ ଯେ କାହାର ଜୀବନ ଯିବ କିଏ କହିପାରିବ । ଘର ଉପରେ ଚାଳ ଛପର ନଥିବାରୁ ଘରକୁ ବଞ୍ଚାଇବା ପାଇଁ ଘର ଉପରେ ଜରିପାଲ ଖଣ୍ଡେ ପଡ଼ିଛି । ଜାରିପାଲ ପରିବାର ସାହାରା ହୋଇଛି । ଜରିପାଲ ଯୋଗୁଁ ଘରେ ରହିବା ସମ୍ଭବ ହେଉଛି କିନ୍ତୁ ବିଡ଼ମ୍ବନା ବର୍ତ୍ତମାନ ବର୍ଷା ଦିନ ଆସିଥିବାରୁ ପରିବାରର ଦୁଃଖ ବଢ଼ିଯାଇଛି । ବର୍ଷା ଦାଉରୁ ରକ୍ଷା ପାଇବା କଷ୍ଟକର ହୋଇପଡିଛି । ଘରୁ ପାଣି ଗଳୁଛି । ଛୋଟ ଛୋଟ ପିଲାମାନେ ରହିବା, ବସିବା, ଶୋଇବା କଷ୍ଟ ହୋଇପଡିଛି । ଏପରି କ୍ଷେତ୍ରରେ ସରକାରୀ ସୁବିଧା ପରିବାର ପାଇଁ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ । ସରକାରୀ ସୁବିଧା କହିଲେ କେବଳ ରେସନ୍ ଚାଉଳ ଗଣ୍ଡେ । ଅନ୍ୟ ସୁବିଧା କିଛି ନାହିଁ । ଅନାମୀ ବିନ୍ଧାଣୀର ଦୁଃଖ ଆହୁରି ବଳି ପଡ଼ିଛି । ପରିବାର ପୋଷିବା ବୟସରେ ନିଜର ବଡ଼ ପୁଅ ରୋଗରେ ପଡ଼ି ପଡ଼ି ଅର୍ଥାଭାବରୁ ଆଖି ବୁଜିଦେଲା । ସ୍ୱାମୀକୁ ହରାଇ ଯେତିକି ଦୁଃଖରେ ଅନାମୀ ଥିଲା ପୋଷିବା ବୟସର ପୁଅ ଗଲା ପରେ ବୋଝ ଉପରେ ନଳିତା ବିଡା ସଦୃଶ । ଘର ଚଳିବା ପାଇଁ ଅତାରେ ବିନ୍ଧାଣୀ ପରିବାରର ଅର୍ଥ ନାହିଁ । ଖାଟିଲେ ଖାଇବେ ନ ହେଲେ ନାହିଁ । ଏପରି ଅବସ୍ଥାରେ ବିନ୍ଧାଣୀ ପରିବାର କିପରି ଘର କରିବେ କିଛି ବୁଦ୍ଧି ପାଉନାହାନ୍ତି । ଘର ଖଣ୍ଡେ ସରକାରଙ୍କ ତରଫରୁ ପାଇବା ପାଇଁ ନେତାଙ୍କ ଘରକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ହେଲେ କେହି ଶୁଣୁ ନାହାନ୍ତି । ନେତା କେବଳ ନିର୍ବାଚନ ସମୟରେ ଆସନ୍ତି ଆଉ ଅନେକ ପ୍ରତିଶ୍ରୁତି ଦେଇ ସ୍ୱପ୍ନ ଦେଖାନ୍ତି । ମାତ୍ର ବାସ୍ତବ କ୍ଷେତ୍ରରେ କେହି କାହାରି ପାଇଁ ନାହାନ୍ତି ବୋଲି କ୍ଷୋଭ ସହିତ ପରିବାର ଲୋକ କହନ୍ତି । ସମସ୍ତେ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦିଅନ୍ତି, କିନ୍ତୁ ଭୋଟ ପରେ କାହାର ଦେଖା ଦର୍ଶନ ମିଳେ ନାହିଁ । ସରକାରୀବାବୁ ମାନଙ୍କୁ ପଚାରିବାରୁ ସେମାନେ କହନ୍ତି ବିନ୍ଧାଣୀ ପରିବାରର ନିଜସ୍ୱ ଜମି ନାହିଁ, ତାଙ୍କୁ କିପରି ସରକାରୀ ଘର ସହାୟତା ମିଳିବ । ଆମେ କହିରଖୁ କି ଏଠାରେ କ’ଣ ଗୋଟେ ପରିବାର ଘର ଖଣ୍ଡେ ପାଇଁ ନଷ୍ଟ ହୋଇଯିବ । ସରକାରଙ୍କ ଅଜବ ନୀତି । ତେଲିଆ ମୁଣ୍ଡରେ ତେଲ । ଯେଉଁ ମାନଙ୍କ ଘର ଅଛି ସେମାନଙ୍କୁ ଘର ମିଳିଛି ଆଉ ଯାହାର ମୁଣ୍ଡ ଉପରେ ଛାତ ନାହିଁ ତା ପାଇଁ କିଛି ନାହିଁ । ସରକାର ଅନେକ ଯୋଜନା କରୁଛନ୍ତି । ସମସ୍ତଙ୍କ ପେଟକୁ ଦାନା ଆଉ ଦେହକୁ କନା ମୁଣ୍ଡ ଉପରେ ଛାତ ଦେବାପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି । କିନ୍ତୁ ବାସ୍ତବ କ୍ଷେତ୍ରରେ ପରିସ୍ଥିତି ଭିନ୍ନ । ତେଣୁ ବିନ୍ଧାଣୀ ପରିବାରକୁ ସରକାରୀ ଘର ଖଣ୍ଡେ ଯୋଗାଇ ଦେବାପାଇଁ ଅନେକ ସ୍ୱେଛାସେବୀ ସଂଗଠନ ଦାବି କରିଛନ୍ତି ।