ବ୍ରହ୍ମ କମଳ ପୁଷ୍ପର ବିଶେଷତା

ପୁଷ୍ପମାନଙ୍କ ମଧ୍ୟରେ ଏକ ଦୁଷ୍ପ୍ରାପ୍ୟ, ଦୁର୍ଲଭ ତଥା ପବିତ୍ର ଓ ସ୍ବର୍ଗୀୟ ପୁଷ୍ପ ଅଟେ ବ୍ରହ୍ମକମଳ। ଏହା ଉନ୍ନତି, ସୌଭାଗ୍ୟ ତଥା ସନ୍ତୋଷର ପ୍ରତୀକ। ପୁରାଣ ଅନୁସାରେ ଏହା ବ୍ରହ୍ମାଙ୍କ ହସ୍ତରେ ସୁଶୋଭିତ ଓ କେଦାରନାଥ, ବଦ୍ରିନାଥ ତଥା ଅନ୍ୟ ଧାମରେ ଥିବା ବିଷ୍ଣୁ ଓ ଶିବଙ୍କର ପ୍ରିୟ ପୁଷ୍ପ। ଜଗନ୍ନାଥଙ୍କୁ ମଧ୍ୟ ଏହା ଅର୍ପଣ କରାଯାଇଥାଏ। ଯାହାର ବାଡ଼ିବଗିଚାରେ ଯଦି ଅକସ୍ମାତ ଏହି ପୁଷ୍ପ ପ୍ରସ୍ଫୁଟିତ ହେଲା, ତେବେ ସେମାନେ ଏହାକୁ ନେଇ ଜଗନ୍ନାଥଙ୍କୁ ଭକ୍ତିପୂତ ମନରେ ଅର୍ପଣ କରିଥାଆନ୍ତି।
ହିନ୍ଦୁ ପୁରାଣ ଅନୁସାରେ ବ୍ରହ୍ମକମଳ ବ୍ରହ୍ମାଙ୍କ ଦ୍ୱାରା ସୃଷ୍ଟି ହୋଇଥିଲା ଶିବଙ୍କ ପୁତ୍ର ଗଣେଶଙ୍କ ଦେହରେ ହାତୀର ମୁଣ୍ଡ ଯୋଡ଼ିବାକୁ। ବିଶ୍ୱାସ କରାଯାଏ ଯେ ଏହି ପୁଷ୍ପର ପାଖୁଡ଼ାରୁ ଟୋପା ଟୋପା ଅମୃତ ନିର୍ଗତ ହୋଇ ଗଣେଶଙ୍କ କଟା ସ୍ଥାନରେ ପଡ଼ିବାରୁ ସେଥିରେ ହାତୀମୁଣ୍ଡ ଯୋଡ଼ିହୋଇ ଗଣେଶ ପୁନର୍ଜୀବନ ଲାଭ କରିଥିଲେ। ପୁଣି ମଧ୍ୟ ହିନ୍ଦୁ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ, ବିଷ୍ଣୁଙ୍କ ନାଭିରୁ ଏକ କମଳ ସୃଷ୍ଟି ହେଲା ଓ ସେଥିରୁ ବ୍ରହ୍ମା ସୃଷ୍ଟି ହେଲେ। ସେଥିପାଇଁ ଏହାର ନାମ ‘ବ୍ରହ୍ମକମଳ’। ବ୍ରହ୍ମା ତା’ପରେ ଏହି ବିଶ୍ୱବ୍ରହ୍ମାଣ୍ଡକୁ ସର୍ଜନା କଲେ।
ବ୍ରହ୍ମକମଳ ବର୍ଷକରେ କେବଳ ଥରେମାତ୍ର ବର୍ଷାଋତୁ ଆରମ୍ଭରେ ଜୁଲାଇ-ସେପ୍ଟେମ୍ବର ମାସରେ ମଧ୍ୟରାତ୍ରି ବେଳକୁ ଫୁଟିଥାଏ। ମାତ୍ର ତାହା କେଇ ଘଣ୍ଟା ପାଇଁ। ସନ୍ଧ୍ୟା ଆଠଟାଠାରୁ ରାତି ବାରଟା ମଧ୍ୟରେ ଏହା ଫୁଟିଥାଏ। ସୂର୍ଯ୍ୟୋଦୟ ପୂର୍ବରୁ ଏହା ଝାଉଁଳିଯାଏ। ଏହାର ପତ୍ରରୂପକ ଚେପ୍ଟା କାଣ୍ଡର ଧାରରେ ଗୋଟିଏ ପୁଷ୍ପ ଫୁଟିବାକୁ ପ୍ରାୟ ଦୁଇରୁ ତିନି ସପ୍ତାହ ଲାଗିଥାଏ। ପ୍ରଥମେ ଏହା ତଳକୁ ନଇଁକରି ଥାଏ ଓ ଦୁଇ ସପ୍ତାହ ପରେ ଆସ୍ତେ ଆସ୍ତେ ଊର୍ଦ୍ଧ୍ୱମୁଖୀ ହୁଏ। ଯେତେବେଳେ ଫୁଟେ ଏହାର ସୁଗନ୍ଧରେ ଖଣ୍ଡମଣ୍ଡଳ ଆଚ୍ଛନ୍ନ ହୋଇଯାଏ। ସାଧାରଣତଃ ଏହା ଧଳା ରଙ୍ଗର।
ବ୍ରହ୍ମକମଳର ଇଂଲିଶ ନାମ ସାକ୍ରେଡ ସୌସୁରିଆ, ସାଧାରଣ ନାମ ‘ହିମାଳୟ ଫୁଲଙ୍କ ରାଜା’ ଓ ବୈଜ୍ଞାନିକ ନାମ ସୌସୁରିଆ ଓବ୍ଭାଲାଟା ଓ ଏହା ଆସ୍ଟ୍ରେରାସି ବଂଶର। ଏହାକୁ ହିନ୍ଦୀ ଓ ସଂସ୍କୃତରେ ମଧ୍ୟ ‘ବ୍ରହ୍ମକମଳ’ କୁହାଯାଏ। ଏହାକୁ ମଧ୍ୟ ରାତିର ରାଣୀ, ରାତିର ରାଜକୁମାରୀ, ଡଚ୍ମ୍ୟାନ୍ସ କାକ୍ଟସ୍ କୁହାଯାଏ। ଅନ୍ୟାନ୍ୟ ଭାରତୀୟ ଭାଷାରେ ଏହାର ନାମ ଗୁଲ-ଇ-ବାକାଭାଲି, ପିରାମ୍ମାକ୍ କମଳମ୍, ବ୍ରହ୍ମ କମଳମ୍ ଇତ୍ୟାଦି। ଏହାର ଉପତ୍ତ୍ତିସ୍ଥଳ ହିମାଳୟ ପର୍ବତମାଳାର ଭାରତ, ନେପାଳ, ଭୁଟାନ ଓ ପାକିସ୍ତାନରେ ତଥା ଦକ୍ଷିଣପୂର୍ବ ଚାଇନାରେ ଓ ଏହା ତିନି ହଜାର ସାତଶହରୁ ଚାରିହଜାର ଛଅଶହ ମିଟର ଉଚ୍ଚତାରେ (ସମୁଦ୍ର ପତ୍ତନଠାରୁ) ଜନ୍ମିଥାଏ। ହିମାଳୟ ପୁଷ୍ପମାନଙ୍କ ମଧ୍ୟରେ ବ୍ରହ୍ମକମଳ ସମ୍ରାଟ ଅଟେ। ବର୍ତ୍ତମାନ ଏହି ଉଦ୍ଭିଦକୁ ପୃଥିବୀର ବିଭିନ୍ନ ଦେଶରେ ବିଶେଷତଃ ବିଷୁବମଣ୍ଡଳୀୟ ଦେଶଗୁଡ଼ିକରେ ମଧ୍ୟ ଲଗା ଯାଉଅଛି। ଲୋକମାନେ କ୍ୱଚିତ୍ ବାଡ଼ିବଗିଚାରେ ବା କୁଣ୍ଡରେ ଏହାକୁ ଲଗାଇ ଥାଆନ୍ତି।
ଊଦ୍ଭିଦର ବର୍ଣ୍ଣନା: ବ୍ରହ୍ମକମଳ ଏକ ଚିରସ୍ଥାୟୀ ଉଦ୍ଭିଦ। ଏହା ପ୍ରାୟ ଏକ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ। ଏହାର କାଣ୍ଡ ଚେପ୍ଟା, ସବୁଜ ମୋଟା ପତ୍ର ଭଳି। ଏହି ପତ୍ର ଭଳି କାଣ୍ଡର ଧାରରୁ ନୂତନ ପତ୍ରରୂପକ କାଣ୍ଡ ସୃଷ୍ଟି ହୋଇଥାଏ। ଫୁଲ ମଧ୍ୟ ଏହି କାଣ୍ଡର ଧାରରୁ ସୃଷ୍ଟି ହୋଇଥାଏ। ହିମାଳୟ ପର୍ବତ ଶ୍ରେଣୀରେ ଏହା ପ୍ରାକୃତିକ ଭାବରେ ବଢ଼ିଥାଏ। କିନ୍ତୁ ଆମେ ଏହାକୁ କୁଣ୍ଡରେ ବଢ଼ାଇଲେ ଏହାର କେତେକ ଯତ୍ନ ନେବାକୁ ପଡ଼ିଥାଏ। କୁଣ୍ଡରେ ତିନି ଚାରିଟି ଛିଦ୍ର କରି ପାଣି ନିଷ୍କାସନ କରିବାକୁ ପଡ଼ିଥାଏ। ସପ୍ତାହକୁ ଦୁଇ ବା ତିନିଥର ପାଣି ଦିଆଯାଏ। କୁଣ୍ଡର ଉପରିଭାଗର ମାଟି ଶୁଖିଗଲା ପରେ ସେଥିରେ ପାଣି ଦିଆଯାଏ। ପତ୍ରରେ ପାଣି ଦିଆଯାଏ ନାହିଁ। ଏହା ଏକ ମରୁଡ଼ି ଶ୍ରେଣୀର ଉଦ୍ଭିଦ ହୋଇଥିବାରୁ ପାଣି କମ୍ ଦରକାର କରେ। ଅଧିକ ପାଣି ହେଲେ ଏହାର ପତ୍ରରୂପୀ କାଣ୍ଡ ହଳଦିଆ ପଡ଼ିଯାଏ। ସକାଳର ଖରା ଏହା ପାଇଁ ଉତ୍ତମ କିନ୍ତୁ ଦ୍ୱିପ୍ରହରର ତୀକ୍ଷ୍ଣ ଖରା ଏହା ପାଇଁ କ୍ଷତିକାରକ। ଅଳ୍ପ ଛାଇଛାଇଆ ସ୍ଥାନରେ ଏହାର କୁଣ୍ଡକୁ ରଖିବା ଉଚିତ।
ବ୍ରହ୍ମକମଳ ଏକ ଉଭୟଲିଙ୍ଗୀ ଉଦ୍ଭିଦ। ତେଣୁ ପ୍ରତି ଫୁଲରେ ଉଭୟ ପୁଂକେଶର ଚକ୍ର ଓ ସ୍ତ୍ରୀକେଶର ଚକ୍ର ରହିଥାଏ। କୀଟପତଙ୍ଗମାନଙ୍କ ଦ୍ୱାରା ଏହାର ପରାଗସଙ୍ଗମ ହୋଇଥାଏ। ମୌସୁମୀ ପ୍ରବାହ ସମୟରେ ଜୁଲାଇ-ଅଗଷ୍ଟ ମାସରେ ହିମାଳୟ ପର୍ବତମାଳାର ଘାସ ପଥୁରିଆ ଅଞ୍ଚଳରେ ଏହା ଫୁଟିଥାଏ। ପ୍ରଥମେ ଫୁଟି ନଥିବା ଗୋଟା ଫୁଲର ବାହ୍ୟ ରଙ୍ଗ ବାଦାମୀ ହୋଇଥାଏ। ଏହା ଭିତରେ ସବୁଜ-ହଳଦିଆ କାଗଜ ଭଳିଆ ପତଳା ଉପପତ୍ର ରହିଥାଏ ଯାହା ଫୁଲକୁ ପର୍ବତର ଥଣ୍ଡା ପରିବେଶରୁ ରକ୍ଷା କରିଥାଏ। ଫୁଲ ଫୁଟିଗଲା ପରେ ଏହାର ପାଖୁଡ଼ା ସବୁ ଶୁଭ୍ର ହୋଇଥାଏ। ଫୁଲ ସବୁ ଜୁଲାଇରୁ ସେପ୍ଟେମ୍ବର ମାସ ପଯ୍ୟନ୍ତ ଫୁଟିଥାଏ। ତା’ପରେ ଉଦ୍ଭିଦର ଉପରିଭାଗରେ ଥିବା ଅଂଶ ମରିଯାଏ ଓ ପୁନଶ୍ଚ ଏହା ଏପ୍ରିଲ ମାସରେ ଆବିର୍ଭୂତ ହୁଏ।