ବର୍ଷାରେ ଧୋଇଗଲା ରାସ୍ତା : ହନ୍ତସନ୍ତ ଗ୍ରାମବାସୀ
କିଛିଦିନ ହେଲା ଲଘୁଚାପ ଯୋଗୁ ପ୍ରବଳ ବର୍ଷା ଲାଗିରହିଛି। ଗଜପତି ଜିଲା ମୋହନା ବ୍ଲକ କର୍ଚବାଡ଼ି ପଞ୍ଚାୟତଠାରୁ ବୁଡ଼ରିଙ୍ଗ ଦେଇ ଅନ୍ତରବା, ଚୁଡଙ୍ଗପୁର ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଧୋଇହୋଇ ଯାଇଛି। ଫଳରେ ଲୋକେ ଯାତାୟାତରେ ବହୁ ସମସ୍ୟା ଭୋଗୁଛନ୍ତି। ଗତ କିଛି ମାସ ତଳେ ଏହି ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଥିଲା। ହେଲେ କିଛି ଦିନ ପରେ ଏହି ରାସ୍ତାରେ ପିଚୁ ଉଠିଯିବା ସହ ବର୍ଷାରେ ଧୋଇ ହୋଇଯାଇଛି।
ଏଥିପାଇଁ ଗତ କିଛି ଦିନ ତଳେ ସ୍ଥାନୀୟ ସମିତି ସଭ୍ୟ ଟୁନା ମଲ୍ଲିକ ଏହି ରାସ୍ତାର ଫଟୋ ଉଠାଇ ମୋହନା ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀଙ୍କୁ ଦେଇଥିଲେ। ତୁରନ୍ତ ରାସ୍ତା ମରାମତି ପାଇଁ ଦାବି କରିଥିଲେ। ହେଲେ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନି। ବର୍ତ୍ତମାନ ଗତ କିଛି ଦିନ ହେଲେ ପ୍ରବଳ ବର୍ଷା ଲାଗି ରହିଥିବାରୁ ରାସ୍ତାରେ ପାଣି ଚାଲୁଛି। ରାସ୍ତା ଧୋଇ ହେବାସହ ନାଳ ସୃଷ୍ଟି ହୋଇଛି। ଏହି ରାସ୍ତା ଦେଇ ପ୍ରାୟ ୧୦ରୁ ଅଧିକ ଗ୍ରାମବାସୀ ଯାତାୟାତ କରୁଛନ୍ତି। ତେଣୁ ତୁରନ୍ତ ରାସ୍ତା ମରାମତି ପାଇଁ ସମିତି ସଭ୍ୟ ଓ ଅଞ୍ଚଳବାସୀ ଦାବି କରିଛନ୍ତି। ସରକାର ଯଦି ଦାବି ନ ଶୁଣନ୍ତି ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ। ଏ ବିଷୟରେ ସହକାରୀ ଯନ୍ତ୍ରୀ ଶିବରାମ ସାହୁଙ୍କୁ ପଚାରିବାରୁ ବର୍ଷା ବନ୍ଦ ହେବା ପରେ ଖୁବ୍ଶୀଘ୍ର କାର୍ଯ୍ୟ କରାଯିବ ବୋଲି କହିଛନ୍ତି।