କୋଟିଏ ମହିଳା ପାଇଲେ ‘ସୁଭଦ୍ରା’ ଦ୍ୱିତୀୟ କିସ୍ତି : ସୁଭଦ୍ରା ଏକ ବିପ୍ଳବ : ମୁଖ୍ୟମନ୍ତ୍ରୀ 

କୋଟିଏ ମହିଳା ପାଇଲେ ‘ସୁଭଦ୍ରା’ ଦ୍ୱିତୀୟ କିସ୍ତି : ସୁଭଦ୍ରା ଏକ ବିପ୍ଳବ : ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର :  ସୁଭଦ୍ରା ଏକ ବିପ୍ଳବରେ ପରିଣତ ହୋଇଛି  । ଏହା ବ୍ୟାପକ ଅଭିଯାନର ରୂପ ନେବାକୁ ଯାଉଛି  । ଲକ୍ଷପତି ଦିଦିରେ ଏବେ ଓଡ଼ିଶା, ଦେଶର ଦ୍ୱିତୀୟ ରାଜ୍ୟ ହୋଇପାରିଛି  । ମହିଳାଙ୍କ ବିରୋଧରେ ହିଂସାରେ ଲିପ୍ତ ବ୍ୟକ୍ତିଙ୍କ ସ୍ଥାନ ଘରେ ନୁହେଁ ବରଂ ଜେଲ୍ରେ  । ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି  ।
ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ବ୍ରହ୍ମପୁରର ଆମ୍ବପୁଆ ଠାରେ ରାଜ୍ୟର ୧ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରିଛନ୍ତି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ନୂଆ ସରକାର ରାଜ୍ୟର ୧ କୋଟିରୁ ଅଧିକ ମା’ଙ୍କ ପାଇଁ ଆର୍ଥିକ ସ୍ୱାଧୀନତାର ରାସ୍ତା ଖୋଲିପାରିଛି  । ସବୁ ମା’ଙ୍କୁ ୨ଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ମିଳିଛି  । ମୁଖ୍ୟମନ୍ତ୍ରୀ ଭାବେ ଆଜି ଦିନଟି ମୋ ପାଇଁ ସନ୍ତୋଷ ଓ ଗୌରବର ଦିନ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପୂର୍ବ ସରକାରଙ୍କୁ ସମାଲୋଚନା କରି କହିଛନ୍ତିଯେ, ଯେଉଁମାନେ ପଚାରୁଛନ୍ତିଯେ, ଆମ ସରକାର ୯ ମାସରେ କ'ଣ କରିଛି, ସେମାନଙ୍କୁ କୁହନ୍ତୁଯେ ୨୪ ବର୍ଷରେ ଯେଉଁ ସରକାର ମହିଳାଙ୍କ ପାଇଁ କେବଳ ସ୍ଳୋଗାନ୍ ଦେଉଥିଲେ, ମୋହନ ସରକାର କ୍ଷମତାକୁ ଆସିବାର ମାତ୍ର ୨୪ ମିନିଟ ମଧ୍ୟରେ ଐତିହାସିକ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଥିଲେ  ।
ସେ ଆହୁରି ମଧ୍ୟ କହିଥିଲେଯେ, ଆମର ନିନ୍ଦୁକମାନେ ଭୁଲି ଯାଇଛନ୍ତିଯେ ଶିଶୁଟିଏ ଜନ୍ମ ହେବାକୁ ମଧ୍ୟ ମା’ ଗର୍ଭରେ ୯ ମାସ ବିତେଇବାକୁ ପଡିଥାଏ  । ଆମ ସରକାରର ୯ ମାସ ପୂରଣ କରିବାକୁ ଆହୁରି ଚାରି ଦିନ ବାକି ଅଛି  । କିନ୍ତୁ, ଏହି ସ୍ୱଳ୍ପ ସମୟ ଭିତରେ ଆମେ ଓଡିଶାର ଜନସାଧାରଣଙ୍କ ପାଇଁ ଯେଉଁ କାର୍ଯ୍ୟ କରିପାରିଛୁ, ତାହା ସେମାନେ ପ୍ରକୃତରେ ବିଶ୍ୱାସ କରିପାରୁନାହାନ୍ତି  । ସେମାନେ ବିଶ୍ୱାସ କରି ପାରୁନାହାନ୍ତିଯେ, ଚାଷୀଙ୍କୁ ୨୪ ବର୍ଷରେ ଏମଏସପି ଠାରୁ କିଛି ଅଧିକ ଟଙ୍କା ଦେଇ ପାରିଲେ ନାହିଁ  । କିନ୍ତୁ ଏ ନୂଆ ସରକାର କିପରି ଭାବେ ୨୪ ମିନିଟରେ କୁଇଣ୍ଟାଲ ପିଛା ଶହେ ନୁହେଁ, ୮ ଶହ ଟଙ୍କା ଦେବା ପାଇଁ ନିଷ୍ଫତ୍ତି ନେଇଗଲେ  ।  ସେ ପୁଣି କହିଥିଲେ, ଏହି କାର୍ଯ୍ୟକ୍ରମ ଆଜି ଏକ ବିପ୍ଲବରେ ପରିଣତ ହୋଇଛି, ସୁଭଦ୍ରା ବିପ୍ଲବ  । ସୁଭଦ୍ରା ଯୋଜନା ଏକ ବ୍ୟାପକ ଅଭିଯାନର ରୂପ ନେବାକୁ ଯାଉଛି  । ମହିଳାଙ୍କ ବିରୁଦ୍ଧରେ ହିଂସା ଏବଂ ଅସଦାଚରଣ କରୁଥିବା ବ୍ୟକ୍ତିଙ୍କ ପାଇଁ କଡା ବାର୍ତ୍ତା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ମହିଳାଙ୍କ ବିରୁଦ୍ଧରେ ହିଂସାରେ ଲିପ୍ତ ବ୍ୟକ୍ତି ଜଣେ ଅପରାଧୀ  । ସେମାନଙ୍କ ସ୍ଥାନ ଜେଲର ଚାରିକାନ୍ଥ ମଧ୍ୟରେ  । ସଭ୍ୟ ସମାଜରେ ଏହାର କୌଣସି ସ୍ଥାନ ନାହିଁ  । ମହିଳାମାନଙ୍କୁ ଲକ୍ଷପତି କରାଇବା ପାଇଁ ‘ଲକ୍ଷପତି ଦିଦି’ ଯୋଜନା ଆରମ୍ଭ ହୋଇଛି  । ଏହି ଯୋଜନାକୁ କାର୍ଯ୍ୟକାରୀ କରି ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ହାସଲ କରିଛି  । ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି ହୋଇ ସାରିଲେଣି  ।  ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାରେ ୬୩୮ କୋଟିରୁ ଅଧିକ ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି  । ଏଥିରେ ୪୯୩ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖାଯାଇଥିବା ବେଳେ ୧୪୫ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରାଯାଇଛି  ।  ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେଯେ, ସୁଭଦ୍ରା ୧ କୋଟିରୁ ଉର୍ଦ୍ଧ୍ୱ ମହିଳାଙ୍କ ପାଖରେ ପହଁଚିଛି  । ୮ ମାସ ମଧ୍ୟରେ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁଯେ, ମହିଳାଙ୍କୁ ସଶକ୍ତ କରିବୁ ଏବଂ ତାହା ଏହି ଭଳି ଭାବେ ଆଗକୁ ମଧ୍ୟ ଆମେ ପୂର୍ଣ୍ଣ କରିବୁ ବୋଲି ସେ କହିଥିଲେ  । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,  ମସô୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବାଣିଜ୍ୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ଓ ଗଞ୍ଜାମ ଜିଲ୍ଲାର ସମସ୍ତ ବିଧାୟକମାନେ ଉପସ୍ଥିତ ଥିଲେ  । ଉକ୍ତ କାର୍ଯ୍ୟକ୍ରମରେ ମହିଳା ଏବଂ ଶିଶୁବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ, ଗଞ୍ଜାମ ଜିଲ୍ଲାପାଳ  ଦିବ୍ୟଜ୍ୟୋତି ପରିଡା ଧନ୍ୟବାଦ ଦେଇଥିଲେ ।